Wed. Mar 11th, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ରାବଣ ପୁତ୍ତଳିକାରେ ନିଆଁ ଲଗାଇ ଜଣେ ଗିରଫ, ଅନ୍ୟ ଜଣେ ଫେରାର

207 Views

ସମ୍ବଲପୁର  : ମଙ୍ଗଳବାର ସନ୍ଧ୍ୟାରେ ମାନେଶ୍ୱର ଠାରେ ଦାହ ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ରାବଣ ପୁତ୍ତଳିକାରେ ନିଆଁ ଲଗାଇବା କାରଣରୁ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗରିଫ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଖସି ପଳାଇ ଯାଇଛନ୍ତି।

ଗିରଫ ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ମାନେଶ୍ୱରନିବାସୀ ୪୦ ବର୍ଷିୟ ଅଜିତ ପାତ୍ର। ଫେରାର ହୋଇଯାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ମିର୍ଗାମୁଣ୍ଡା ଗ୍ରାମର ସତ୍ୟନାରାୟଣ ପାଣିଗ୍ରାହୀ।

ଗତକାଲି ସେ ଅଞ୍ଚଳରେ ରହି ରହି ବର୍ଷା ହେଉଥିଲା। ରାବଣ ପୁତ୍ତଳିକା ଦାହ କରିବା ନିମନ୍ତେ ଆୟୋଜକମାନେ ରାତି ୮ଟାକୁ ସମୟ ଧାର୍ଯ୍ୟ କରିଥିଲେ। କିନ୍ତୁ, ମଦ୍ୟପାନ କରିଥିବା ଅଜିତ ଓ ସତ୍ୟନାରାୟଣ ସନ୍ଧ୍ୟା ୭ଟାରେ ରାବଣ ପୁତ୍ତଳିକାରେ ଅଗ୍ନି ସଂଯୋଗ କରିବାରୁ ତାହା ନିଆଁ ଧରି ଅଣ୍ଟାଯାଏଁ ପୋଡ଼ିଗଲା। ଏଥିରେ ଆୟୋଜକ ଏବଂ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଅଜିତଙ୍କୁ ବହେ ମାରଧର କରି ପୁଲିସ ଜିମାରେ ଦେଇଥିଲେ। ଗଣ୍ଡଗୋଳର ସୁଯୋଗ ନେଇ ସତ୍ୟନାରାୟଣ ଘଟଣାସ୍ଥଳରୁ କୌଣସି ମତେ ଖସି ପଳାଇଥିଲେ।

ଏ ଘଟଣା ପରେ ସେଠାରେ ଆଉ ରାବଣ ପୋଡ଼ି ଅନୁଷ୍ଠିତ ହୋଇ ପାରିଲା ନାହିଁ। ଆଜି ସକାଳେ ଆୟୋଜକଙ୍କ ସମେତ ୪୦/୫୦ ଲୋକ ସଦର ଥାନାକୁ ଯାଇ ଏ ସଂକ୍ରାନ୍ତରେ ଏଫ୍‌ଆଇଆର୍‌ ଦେବା ସହ ଫେରାର ସତ୍ୟନାରାୟଣଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପୁଲିସ ମାମଲା ରୁଜୁ କରି ଅଜିତଙ୍କୁ ଗିରଫ କରିଛି।

By amfnews

Related Post