Fri. May 9th, 2025

ନିରନ୍ତର ବିକାଶ ରିପୋର୍ଟରେ ଓଡ଼ିଶା ‘ପ୍ରଦର୍ଶନକାରୀ’

By amfnews Dec 23, 2018 #Featured
204 Views

ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ୧୩ ନମ୍ବର, ଜଙ୍ଗଲ, ପରିବେଶ ସୁରକ୍ଷାରେ ୧୦୦ ନମ୍ବର

ଶୁକ୍ରବାର ନିତି ଆୟୋଗଙ୍କ ଦ୍ବାରା ପ୍ରକାଶିତ ରିେପାର୍ଟ କହୁଛି, ନିରନ୍ତର ବିକାଶ ସୂଚୀ ତାଲିକାରେ ୧୯ ରାଜ୍ୟ ଓଡ଼ିଶାଠାରୁ ଉପରେ ଅଛନ୍ତି। ସମ୍ପୂର୍ଣ୍ଣ ଦାରିଦ୍ର୍ୟ ଦୂରୀକରଣ ତାଲିକାରେ ବା ନିରନ୍ତର ବିକାଶ ଲକ୍ଷ୍ୟର ୧ ନମ୍ବର ମାପଦଣ୍ଡ ଅନୁଯାୟୀ ଓଡ଼ିଶାର ସ୍ଥାନ ୧୩ ନମ୍ବରରେ ରହିଛି ଓ ଏ େକ୍ଷତ୍ରରେ ରାଜ୍ୟ ୫୯ ନମ୍ବର ପାଇଛି।

ପ୍ରକାଶିତ ରିପୋର୍ଟ ଅନୁସାରେ, ରାଜ୍ୟର ୨୫ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି। ସେହିପରି ୪୬ ପ୍ରତିଶତ ଲୋକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ବାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ହୋଇଛନ୍ତି। ସେହିଭଳି କ୍ଷୁଧା ଦୂର ବା ନିରନ୍ତର ବିକାଶ ଲକ୍ଷ୍ୟର ଦୁଇ ନମ୍ବର ମାପଦଣ୍ଡ ଅନୁଯାୟୀ, ଓଡ଼ିଶାକୁ ମିଳିଛି ୪୬ ଅଙ୍କ।

ବିଜେପି ଶାସିତ ଗୁଜରାଟ ଓ ମହାରାଷ୍ଟ୍ର ଏହି ମାପଦଣ୍ଡରେ ଓଡ଼ିଶାଠାରୁ ଟିକିଏ ଆଗରେ ରହି ୪୯ ଓ ୪୭ ଅଙ୍କ ପାଇଛନ୍ତି। ଓଡ଼ିଶା ଭଳି ସମାନ ସ୍ଥାନରେ ରହିଛି ଛତିଶଗଡ଼। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶାର ଗ୍ରାମାଞ୍ଚଳରେ ଶହେରୁ ୫୫ ଜଣଙ୍କୁ ସାମିଲ କରାଯାଇଛି। ୧୫ରୁ ୪୯ ବର୍ଷ ବୟସର ୪୬ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତିି।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାକୁ ୫୪ ନମ୍ବର ମିଳିଛି। ରିପୋର୍ଟ ଅନୁଯାୟୀ ସ୍ବାସ୍ଥ୍ୟସେବା ପାଇଁ ଓଡ଼ିଶାକୁ ପ୍ରଦର୍ଶନକାରୀ ବର୍ଗରେ ସ୍ଥାନ ମିଳିଥିଲେ ବି ମହାରାଷ୍ଟ୍ର ଗୋଟିଏ ଅଙ୍କ ଅଧିକ ପାଇ ଓଡ଼ିଶାଠାରୁ ଆଗରେ ରହିଛି। ଗୁଜୁରାଟ ଦୁଇ ଅଙ୍କ କମ ପାଇଁ ଓଡ଼ିଶାଠାରୁ ତଳେ ରହିଛି। ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ୯୨ ଅଙ୍କ ପାଇ କେରଳ ସର୍ବାଗ୍ରେ ରହିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମାତୃ ମୃତ୍ୟୁହାର ଅନୁପାତ ୩୪ ଥିବାବେଳେ ୫ବର୍ଷରୁ କମ ବର୍ଗରେ ପ୍ରତି ହଜାରେ ଜନ୍ମିତ ଶିଶୁଙ୍କ ଭିତରୁ ୪୩ ଜଣ ମୃତ୍ୟୁମୁଖରେ ପଡ଼ୁଛନ୍ତି।

ନିତି ଆୟୋଗ ଦ୍ବାରା ପ୍ରକାଶିତ ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୧୮ ଅନୁଯାୟୀ, ଉତ୍ତରପ୍ରଦେଶ,ବିହାର ଓ ଆସାମ ବହୁ ତଳେ ଅଛନ୍ତି। ସେହିଭଳି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଚଣ୍ଡିଗଡ଼ ନିରନ୍ତର ବିକାଶ ସୂଚକାଙ୍କରେ ଶୀର୍ଷ ସ୍ଥାନରେ ରହିଥିବା ନିତି ଆୟୋଗ ପ୍ରକାଶ କରିଛି।

By amfnews

Related Post