Sat. Mar 7th, 2026

ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ କ୍ଷମତାକୁ ଏକୀକୃତ ପୂର୍ବକ ଅପାର ସଫଳତା ଲାଭ କରନ୍ତୁ : ସେଲ ଅଧ୍ୟକ୍ଷ

180 Views

ରାଉରକେଲା, ୧୪ା୧୧  : “ନିଜ ଉପରେ ବିଶ୍ୱାସ ରଖନ୍ତୁ, ନିଜ ନିଜ ଦକ୍ଷତାକୁ ଏକୀକୃତ କରି ସମ୍ମିଳିତ ରୂପେ ଅଗ୍ରସର ହୋଇ ଅପାର ସଫଳତା ହାସଲ କରନ୍ତୁ” ବୋଲି ରାଉରକେଲା ଇସ୍ପାତ କାରଖାନା ଗସ୍ତର ଦ୍ୱିତୀୟ ଦିବସରେ ରାଉରକେଲା ଷ୍ଟିଲ ଟେଲିଭିଜନ ସହ ଏକ ସାକ୍ଷାତକାରରେ ସେଲ ଅଧ୍ୟକ୍ଷ ଅନୀଲ କୁମାର ଚୌଧରୀ ଉଲ୍ଲେଖ କରିଛନ୍ତି ।

ଆରଏସପି ଲୋକ ସମ୍ପର୍କ ବିଭାଗର ଡିଜିଏମ ତଥା ସଞ୍ଚାର ମୁଖ୍ୟ ରମେନ୍ଦ୍ର କୁମାରଙ୍କ ସହିତ ଏକ ବିସ୍ତୃତ ସାକ୍ଷାତକାରରେ ଶ୍ରୀ ଚୌଧରୀ ଆରଏସପି ସାମୁଦାୟିକଙ୍କ ନିଷ୍ଠାପର ପ୍ରୟାସ ଓ ପ୍ରତିବଦ୍ଧତାର ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ଚୌଧରୀ ସମସ୍ତଙ୍କୁ ସୁରକ୍ଷାର ତିନିଟି ପ୍ରାଥମିକ ପ୍ରସଙ୍ଗ ଯଥା ମନୋଭାବ, ବ୍ୟବହାର ଓ ସଂସ୍କୃତିର ପରିବର୍ତ୍ତନ ଆଣିବା ଉପରେ ଜୋରଦେଇଥିଲେ ।

ସାକ୍ଷାତକାର ଅବସରରେ ଶ୍ରୀ ଚୌଧରୀ ଆରଏସପି ସାମୁଦାୟିକଙ୍କୁ ସୁବିଧାଗୁଡିକର ପୂର୍ଣ୍ଣ ଉପଯୋଗ କରିବା ପାଇଁ ଆହ୍ୱାନ ଜଣାଇଥିଲେ ଏବଂ କାରଖାନାର ଉତ୍ପାଦନ ଓ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଉପାଦେୟ ପ୍ରସ୍ତାବ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ସେଲ ଅଧ୍ୟକ୍ଷଙ୍କ ଦ୍ୱାରା ମତବିନିମୟ ପ୍ରୟାସ ଅଂଶ ସ୍ୱରୂପ କାରଖାନାର ବିଭିନ୍ନ ଶ୍ରମିକ ୟୁନିୟନ, ଅଧିକାରୀ ସଂଘ, ରାଉରକେଲା ବଣିକ ସଂଘ, ଦୀପିକା ମହିଳା ସଂଘତି ଏବଂ ଡିପ୍ଲୋମା ଇଞ୍ଜିନିୟର୍ସ ଆସୋସିଏସନ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା ।

ପରେ ପରେ ସେଲ ଅଧ୍ୟକ୍ଷ ଇସ୍ପାତ ଜେନେରାଲ ହସ୍ପିଟାଲ ପରିଦର୍ଶନ କରିଥିଲେ । ସେଠାରେ ସେ ବର୍ଣ୍ଣ ସେଣ୍ଟର ନିର୍ମାଣ ଅଞ୍ଚଳ ଓ ପ୍ରସ୍ତାବିତ ସୁପର ସ୍ପେଶିଆଲିଟି ହସ୍ପିଟାଲ ଅଞ୍ଚଳ ପରିଦର୍ଶନ କରିଥିଲେ । ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ ଡକ୍ଟର ଏସ ଏସ ପତି, ସେଲ ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏହାର ଯୋଜନା ରୂପରେଖ ଓ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଥିଲେ ।

ଶ୍ରୀ ଚୌଧରୀଙ୍କ ଗହଣରେ ସେଲର କାର୍ମିକ ବିଭାଗର ନିର୍ଦ୍ଦେଶକ ଅତୁଲ ଶ୍ରୀବାସ୍ତବ, ବୈଷୟିକ ବିଭାଗର ନିର୍ଦ୍ଦେଶକ ହରିନନ୍ଦ ରାୟ, ଆରଏସପିର ସିଇଓ ଅଶ୍ୱିନୀ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପରିଦର୍ଶନରେ ଆସିଥିବା ଅତିଥିମାନଙ୍କୁ ରାଉରକେଲା ବିମାନ ବନ୍ଦରରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ ସହିତ ଏହି ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

By amfnews

Related Post