Mon. Nov 25th, 2024

ନିଜସ୍ବ ଜ୍ଞାନ କୌଶଳରେ ନିର୍ମାଣ କଲେ ଚାଷୀ : ଡ୍ରୋନ୍‌ ବୁଣିବ ସାର, ବିହନ

By amfnews Jan 5, 2019 #Featured
226 Views

ରାୟଗଡା , ଜାନୁଆରୀ ୦୫ : ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସେ। ଏହି ଉକ୍ତିକୁ ପ୍ରମାଣିତ କରିଛନ୍ତି ରାୟଗଡା ଜିଲ୍ଲାର ଚାଷୀ ପି. ବାବୁ ରାଓ। ଚାଷ କାମକୁ ସହଜ କରିବା ପାଇଁ ନିଜସ୍ବ ଜ୍ଞାନ କୌଶଳରେ ତିଆରି କରିଛନ୍ତି ‘ଡ୍ରୋନ୍’। ଯାହା ଦ୍ବାରା ୭ ମିନିଟ୍ ମଧ୍ୟରେ ଗୋଟିଏ ଏକର ଜମିରେ ସାର ଓ ବିହନ ବୁଣି ହେବେ। ଡ୍ରୋନ୍ ତିଆରି ପରେ ବାବୁ ରାଓ ୪୦ ଏକର ଜମିରେ ଧାନ, ବିହନ ବୁଣି ଏହାର ପରୀକ୍ଷଣ ମଧ୍ୟ କରିସାରିଛନ୍ତି। କୃଷି କ୍ଷେତ୍ରରେ ରୁଚି ରଖିଥିବା ବାବୁ ରାଓଙ୍କ ଏହି ଉଦ୍ଭାବନକୁ ଜିଲ୍ଲା ପ୍ରଶାସନ ତାରିଫ୍ କରିବା ସହ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପାଇଁ ସୁପାରିଶ୍ କରିଛି। ସେହିପରି ଭାରତ ସରକାରଙ୍କ ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ (ଏନ୍ଆଇଏଫ୍) କର୍ତୃପକ୍ଷ ଆଜି ରାୟଗଡାରେ ଡ୍ରୋନର ନିରୀକ୍ଷଣ କରିଛନ୍ତି।

ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ୍ ସନ୍ନ୍ୟାସୀଗୁଡାର ଚାଷୀ ପି. ବାବୁ ରାଓ। ୨୦୧୧ ମସିହାରେ ଗୁଡାରୀ ବିଜ୍ଞାନ କଲେଜରୁ ବିଏ/ବିଇଡି ପାଠ ପଢ଼ା ଶେଷ କରିବା ପରେ ଚାକିରୀ ପାଇଁ ଆବେଦନ କରିଥିଲେ। କିନ୍ତୁ ଚାକିରି ଖୋଜି ଖୋଜି ନିରାଶ ହେବା ପରେ ଚାଷ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ। ବାବୁ ରାଓଙ୍କ ନିଜର ୪୦ ଏକର ଜମି ଥିବା ବେଳେ ଭାଗ ଚାଷ ବାବଦକୁ ଆଉ ୪୦ ଏକର ମୋଟ ୮୦ ଏକର ଜମିରେ ଧାନ, କପା, କାନ୍ଦୁଲ, ମରିଚ, ବାଇଗଣ ଚାଷ କରୁଛନ୍ତି। ଦିନକୁ ଦିନ ଚାଷ ଜମିରେ କାମ କରିବାକୁ ଶ୍ରମିକ ମିଳିବା କଷ୍ଟକର ହୋଇଥିଲା।

ତେରୁ ବାହାର ଦେଶ ଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ କରାଯାଉଥିବା ଚାଷ ସଂପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ୟୁ ଟ୍ୟୁବରେ ଅନୁସଂଧାନ କରିବା ପରେ ଡ୍ରୋନ୍ ନିର୍ମାଣ ଶୈଳୀକୁ ଅନୁସରଣ କରି ଡ୍ରୋନ୍ ତିଆରିରେ ଲାଗି ପଡିଥିଲେ ବାବୁ ରାଓ। ୨୦୧୭ ମେ ମାସରୁ ଆରମ୍ଭ ହୋଇଥିବା ଉଦ୍ୟମର ସଫଳତା ବାବୁଙ୍କ ମିଳିଥିଲା ୨୦୧୮ ଅକ୍ଟୋବର ମାସରେ। ଡ୍ରୋନ୍ ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଭାରତରେ ମିଳୁନଥିବା ବେଳେ ଚୀନ୍ ଉପରେ ନିର୍ଭର କରିବାକୁ ପଡିଥିଲା। ଚୀନରୁ ଏହି ସବୁ ସାମଗ୍ରୀ ଆସିବାରେ ଅହେତୁକ ବିଳମ୍ବ ସହ ନିର୍ମାଣ ଜ୍ଞାନ କୌଶଳ ସଂପର୍କରେ ଅଧିକ ଜାଣିବା ପାଇଁ ବାହାର ରାଜ୍ୟରେ ଅନୁଷ୍ଠିତ କୃଷି ବିଜ୍ଞାନ ସଂପର୍କିତ ମେଳା ପରିଦର୍ଶନରେ ମଧ୍ୟ ଯାଇଛନ୍ତି ବାବୁ ରାଓ। ଜାତୀୟ ଓ ଅନ୍ତର୍ଜାତୀୟ ବୈଜ୍ଞାନିକଙ୍କ ସହ ଆଲୋଚନା ପରେ ପାଖାପାଖି ଦୁଇ ବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ୫ଲକ୍ଷ ଟଂକା ବ୍ୟୟରେ ଶେଷରେ ଡ୍ରୋନ୍ ତିଆରି କରିବାର ସଫଳତା ବାବୁ ରାଓଙ୍କୁ ମିଳିଥିଲା।

୧୨ କେଜି ଓଜନର ଏହି ଡ୍ରୋନ୍ ସାଟେଲାଇଟ୍ ଦ୍ବାରା ପରିଚାଳିତ ହେଉଥିବା ବେଳେ ସର୍ବାଧିକ ୬୦ ଫୁଟ୍ ଉଚ୍ଚରେ ଉଡ଼ିବାର କ୍ଷମତା ରଖିଛି। ଆଜି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଉପସ୍ଥିତିରେ ବାବୁ ରାଓ ଡ୍ରୋନର ଉଡ଼ାଣ କରିଥିଲେ। ଜିଲ୍ଲାପାଳ ବାବୁ ରାଓଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏପରି ଉଦ୍ୟମ ଜାରି ରଖିବାକୁ ଉତ୍ସାହିତ କରିଥିଲେ।

By amfnews

Related Post