Tue. Nov 26th, 2024
235 Views

ପ୍ରଶାନ୍ତ ପଟ୍ଟନାୟକ

ଭାରତର ନ୍ୟାୟପାଳିକାର ଇତିହାସରେ ପ୍ରଥମ ଥର ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀ ଯୌନ ଶୋଷଣର ଅଭିଯୋଗ ଆଣି ନ୍ୟାୟିକ ବ୍ୟବସ୍ଥାରେ ଭୂକମ୍ପ ସୃଷ୍ଟି କରିଥିବା ପରିଲକ୍ଷିତ ହେଉଛି । ଏହି ମହିଳା କର୍ମଚାରୀ ମୁଖ୍ୟ ବିଚାରପତି ରଞ୍ଜନ ଗାଗୋଇଙ୍କ ଗୃହ ଦପ୍ତରରୁ କାର୍ଯ୍ୟ କରୁଥିବା ସମୟରେ ଶ୍ରୀ ଗାଗୋଇ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଶ୍ରୀ ଗାଗୋଇଙ୍କ ବିରୋଧରେ କରାଯାଇଥିବା ଅଭିଯୋଗଭିତ୍ତିକ ସମ୍ବାଦ ପ୍ରକାଶିତ ହେବା ପରେ ମୁଖ୍ୟ ବିଚାରପତି ପଦବୀରୁ ଇସ୍ତଫା ଦେବା ପାଇଁ ପ୍ରବଳ ଚାପ ସୃଷ୍ଟି ହେବା ଫଳରେ ପରିସ୍ଥିତିର ସମାଧାନ ପାଇଁ ବିଚାରପତି ଶ୍ରୀ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଏହାର ତଦନ୍ତ କରିବେ ବୋଲି ନିଷ୍ପତ୍ତି ହୋଇଛି ।

ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏକ ଭୟଙ୍କର ଷଡଯନ୍ତ୍ରର ଅଂଶବିଶେଷ ବୋଲି ଅନୁଭୂତ ହେଉଥିବାରୁ ଏହି ଅଭିଯୋଗ ସଂପର୍କରେ ଟିକିନିଖି ଖୋଳାତାଡ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି କରିଛନ୍ତି । ତେଣୁ ଦିଲ୍ଲୀ ପୋଲିସର ମୁଖ୍ୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ମୁଖ୍ୟ ଏବଂ କେନ୍ଦ୍ର ଗୁଇନ୍ଦା ବିଭାଗ ମୁଖ୍ୟଙ୍କୁ ମଧ୍ୟ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗକାରିଣୀ ମହିଳା କର୍ମଚାରୀ ଜଣକ ଯୌନ ଶୋଷଣ ସଂପର୍କରେ ସତ୍ୟପାଠ କରି ତାହାକୁ ସୁପ୍ରମିକୋର୍ଟର ୨୦ ଜଣ ବିଚାରପତିଙ୍କ ନିକଟକୁ ପଠାଇ ଦେଇଥିବାରୁ ଏଭଳି ବିବାଦମାନ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି ଯେ, ଶ୍ରୀ ରଞ୍ଜନ ଗାଗୋଇ ତାଙ୍କ ସଂପର୍କରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ସଂପର୍କରେ ବିଶେଷ ଆଗ୍ରହ ପ୍ରକାଶ କରି ତାଙ୍କୁ ନିଜର ଗୃହ କାର୍ଯ୍ୟାଳୟକୁ ବଦଳି କରାଇଥିଲେ ଏବଂ ସେଠାରେ ଶାରୀରିକ ଓ ଯୌନ ଶୋଷଣ ପାଇଁ ଉଦ୍ୟମ କରିଥିଲେ । ତା’ ପରେ ତାଙ୍କୁ ସୁପ୍ରମିକୋର୍ଟର ବିଭିନ୍ନ ବିଭାଗକୁ ବାରମ୍ବାର ବଦଳି କରାଯିବା ପରେ ଚାକିରୀରୁ ବହିଷ୍କାର କରାଯାଇଥିଲା । ସଂପୃକ୍ତ ମହିଳାଙ୍କର ଅଭିଯୋଗ ସଂକ୍ରାନ୍ତରେ ଦ କୁଇଣ୍ଟ, ଦ କାରର୍ଭାନ, ସ୍କରଲ, ଦ ୱେର ୱେବସାଇଟ୍ ଗୁଡିକରେ ପ୍ରକାଶିତ ହେବା ପରେ ସୁପ୍ରମିକୋର୍ଟ ଏ ସଂକ୍ରାନ୍ତରେ ସଚେତନ ହୋଇ ଉଠିଥିଲେ ।

ମୁଖ୍ୟ ବିଚାରପତି ଶ୍ରୀ ରଞ୍ଜନ ଗାଗୋଇ ଏହା ଦେଶର ସବୁଠାରୁ ଏକ ପ୍ରଭାବଶାଳୀ ବ୍ୟବସାୟ ପ୍ରତିଷ୍ଠାନର ପ୍ରରୋଚନାରେ କରାଯାଉଛି ବୋଲି ମଧ୍ୟ ପ୍ରକାଶ କରିଥିଲେ । ଏଥିପୂର୍ବରୁ ମାମଲାର ଶୁଣାଣି ବେଳେ ତିନି ବିଚାରପତତିଙ୍କୁ ନେଇ ଗଠିତ ବେଞ୍ଚ ପ୍ରଚଣ୍ଡ କ୍ଷୁବ୍ଧ ହୋଇଥିଲେ । ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆର୍ ଏଫ୍ ନରିମନ ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ବେଞ୍ଚ କହିଥିଲେ ଯେ ବେଞ୍ଚରେ ଫିକ୍ସିଂହେଉଛି ବୋଲି ସର୍ବଦା ଶୁଣିବାକୁ ମିଳୁଛି । । ଯେକୌଣସି ପରିସ୍ଥିତିରେ ଏହା ବନ୍ଦ ହେବା ଉଚିତ ।

ବେଞ୍ଚ କହିଥିଲେ ଯେ, ଆମେ ବିଚାରପତି ଭାବେ ଏଥିନେଇ ଖୁବ୍ ଚିନ୍ତିତ । ଜଷ୍ଟିସ୍ ମିଶ୍ର ଏହା ମଧ୍ୟ କହିଥିଲେ ଯେ, ଦେଶରେ ଧନୀ ଓ ପ୍ରଭାବଶାଳୀ ଲୋକ କ’ଣ ଦେଶ ଓ ଅଦାଲତକୁ ଅର୍ଥ ବଳରେ ଚଳାଇବାକୁ ଚାହୁଁଚନ୍ତି ? ବେଞ୍ଚ ପୁଣି ଚେତାବନୀ ଦେଇ କହିଛନ୍ତି ଯେ, ନିଆଁରେ ଖେଳ ନାହିଁ, ନଚେତ୍ ଆଙ୍ଗୁଠି ପୋଡିଯିବ । ଓକିଲ ଶ୍ରୀ ବୋଷ ସୁପ୍ରମିକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଜଷ୍ଟିସ ଗାଗୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଷଡଯନ୍ତ୍ର ବୋଲି କହିଛନ୍ତି । ଏଥିନେଇ ତାଙ୍କ ନିକଟରେ ପ୍ରମାଣ ରହିଛି ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ଏହି ମାମଲାର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟିରୁ ବରିଷ୍ଠ ବିଚାରପତି ଏନ୍.ଭି ରମନା ନିଜକୁ ଦୂରେଇ ରଖିଛନ୍ତି । ଅଭିଯୋଗକାରିଣୀ ମହିଳା ଜଣକ ଜଷ୍ଟିସ ଶ୍ରୀ ରମନାଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଗାଗୋଇଙ୍କ ଘନିଷ୍ଟ ତଥା ପାରିବାରିକ ବନ୍ଧୁ ବୋଲି ଦର୍ଶାଇ ତଦନ୍ତକାରୀ କମିଟି ନିକଟରେ ବୁଧବାର ହାଜର ନ ହେବାରୁ ଜଷ୍ଟିସ ଶ୍ରୀ ରମନା ଏଭଳି ନିଷ୍ପତ୍ତିନେଇଥିବା ସୂଚନା ମିଳିଛି ।

ଆମ ଦେଶରେ ଗଣତନ୍ତ୍ରର ଚାରିଗୋଟି ଯାକ ସ୍ତମ୍ଭ ମଧ୍ୟରୁ ନ୍ୟାୟପାଳିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହାର ନିଷ୍ପତ୍ତି ସର୍ବଦା ଅନ୍ୟ ତିନିଗୋଟି ସ୍ତମ୍ଭ ଦ୍ୱାରା ସମ୍ମାନିତ ହୋଇଥାଏ । ସଂପ୍ରତି ଏହି ସର୍ବୋଚ୍ଚ ଅନୁଷ୍ଠାନ ସମ୍ପର୍କରେ ବିବାଦ ସୃଷ୍ଟି କରି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଯେଉଁମାନେ ଏଥିପାଇଁ ଦାୟୀ ସେ ସଂପର୍କରେ ଟିକିନିଖି ସମ୍ବାଦ ଦେଶବାସୀଙ୍କ ନିକଟକୁ ଆସିବାର ରହିଛି । ଯେଉଁମାନେ ନିଆଁ ସହିତ ଖେଳ ଆରମ୍ଭ କରିଛନ୍ତି ସେମାନେ ଯେ ଏଥିରେ ନିଜେ ପୋଡି ହୋଇ ଭସ୍ମୀଭୂତ ହୋଇଯିବେ ଏଥିରେ ସନ୍ଦେହ ନାହିଁ ।

By amfnews

Related Post