ରାଉରକେଲା, ୧୭ା୧୦ : ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଝାଡ଼ତରଙ୍ଗ ଗ୍ରାମର ତନ୍ତିଟୋଲା ବସ୍ତିରେ ଜଣେ ନାବାଳିକାଙ୍କୁ ଗଣଦୁର୍ଷ୍କମ ଅଭିଯୋଗ ହୋଇଛି । ଗଣଦୁର୍ଷ୍କମ ପରେ ପୀଡ଼ିତାଙ୍କୁ ଏକ ଝାଡ଼ି ଭିତରେ ପକାଇ ଦୁର୍ଷ୍କମକାରୀମାନେ ଫେରାର ହୋଇଯାଇଛନ୍ତି । ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏ ନେଇ ପୀଡ଼ିତାଙ୍କ ବାପା ବ୍ରାହ୍ମଣୀତରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ସେହି ଗ୍ରାମର ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ପଚରାଉଚରା ବେଳେ ତନ୍ତିଟୋଲା ଗ୍ରାମର ଅଭିରାମ ଟପ୍ନୋ (୨୭) ବିଜୁ ତନ୍ତୀ (୧୮) ଏହି ଘଟଣାରେ ସଂମ୍ପୃକ୍ତ ଥିବା ସ୍ୱୀକାର କରିଥିବା ବେଳେ ରାମ ବାଙ୍କରା ତାଙ୍କୁ ସହଯୋଗ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ଘର ପାଖରେ (୧୨) ବର୍ଷର ଝିଅ କିଛି ସାଙ୍ଗଙ୍କ ସହ ଖେଳୁଥିଲା । ଏତିକିବେଳେ ତାଙ୍କୁ ସେହି ଗ୍ରାମର ୩ ଜଣ ଯୁବକ ଟେକି ନେଇଥିଲେ । ରାତି ହେବାରୁ ପରିବାର ଲୋକେ ଝିଅକୁ ଖୋଜାଖୋଜି କରିଥିଲେ । ଅନ୍ୟପଟେ ୩ ଜଣ ଯୁବକ ନାବାଳିକାଙ୍କୁ ଟେକିନେଇ ଏକ ନିଛାଟିଆ ସ୍ଥାନରେ ଜଣକ ପରେ ଜଣେ ଦୁର୍ଷ୍କମ କରିଥିଲେ ।
ନାବାଳିକାଙ୍କୁ ଦୁର୍ଷ୍କମ କରିବା ପରେ ଉକ୍ତ ଅଞ୍ଚଳରେ ଥିବା ଏକ ସ୍କୁଲ ପାଚେରି ପାଖ ବୁଦାଳିଆ ଝାଡ଼ିରେ ପୀଡିତାଙ୍କୁ ପକାଇ ଦୁର୍ଷ୍କମକାରୀମାନେ ଫେରାର ହୋଇଯାଇଥିଲେ । ସକାଳେ ପରିବାର ଲୋକେ ପୀଡିତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ବ୍ରାହ୍ମଣୀତରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ନାବାଳିକାଙ୍କୁ ନେଇ ଆରଜିଏଚ୍ରେ ଚିକିତ୍ସିାଲାଗି ଭର୍ତ୍ତି କରିଥିଲା । ସେଠାରେ ନାବାଳିକାଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।