ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ବୁଧବାର ବରମୁଣ୍ଡାଠାରେ ଆୟୋଜିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାଜଧାନୀରେ ଟ୍ରାଫିକ ସମସ୍ୟା ଉପୁଜିବା ନେଇ ଆଶଙ୍କା ଦେଖାଦେଇଛି । ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍ ଟ୍ରାଫିକ୍ କଟକଣା ଜାରି କରିଛି। ଲୋକଙ୍କୁ ବୋହି ଆଣୁଥିବା ଗାଡ଼ି ପାଇଁ ରୁଟ୍ ଚାର୍ଟ ଓ ପାର୍କିଂ ପ୍ଲେସ ନିର୍ଦ୍ଧାରଣ କରାଯାଇଛି ।
ଖୋର୍ଦ୍ଧା ପଟୁ କର୍ମୀଙ୍କୁ ନେଇ ଆସୁଥିବା ଯାନବାହାନ ଜୟଦେବ ବାଟିକାର ଉଭୟ ପାର୍ଶ୍ୱ ଓ ଖଣ୍ଡଗିରି ଟୁରିଷ୍ଟ ବସ୍ ପାର୍କିଂ ପାଖରେ ରହିବେ । କଟକ ପଟୁ କର୍ମୀଙ୍କୁ ନେଇ ଆସୁଥିବା ଗାଡ଼ିଗୁଡ଼ିକ ସଭାସ୍ଥଳରେ ଲୋକଙ୍କୁ ଛାଡ଼ିବା ପରେ ଫାୟାର ଷ୍ଟେସନ ଛକରୁ ଡାହାଣକୁ ଯାଇ ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ, ଜୟଦେବ ବାଟିକା ଯାଏ ରାସ୍ତା କଡ଼ରେ ପାର୍କିଂ କରିବେ । ପୁରୀ ପଟୁ କର୍ମୀଙ୍କୁ ନେଇ ଆସୁଥିବା ଗାଡ଼ି ପୁରୀ ବାଇପାସ୍ ଦେଇ ପଳାଶୁଣି ଓ ରସୁଲଗଡ଼ ହୋଇ ଆସିବେ ।
ସେହିଭଳି ନନ୍ଦନକାନନ ପଟୁ ଆସୁଥିବା ଗାଡ଼ି କଳିଙ୍ଗ ହସ୍ପିଟାଲ ଛକରୁ ବାମପଟକୁ ଯାଇ ସୈନିକ ସ୍କୁଲ ଓ ଆଚାର୍ଯ୍ୟ ବିହାର ହୋଇ ବରମୁଣ୍ଡା ଆସିବ। ପୁଲିସ୍ ଗାଡ଼ି ଓ ୨ ଚକିଆ ଯାନଗୁଡ଼ିକ ରାଜଧାନୀ କଲେଜ ପଡ଼ିଆରେ ରହିବ । ତେବେ ସାଧାରଣ ବସ୍ ସିଧା ହାଇେଓ୍ୱରେ ଯାତ୍ରା କରିବେ ବୋଲି କମିଶନରେଟ୍ ପୁଲିସ୍ ଜଣାଇଛି ।