Sun. Jan 12th, 2025

ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଲକ୍ଷ୍ୟ ଛୁଇଁଲାନି

By amfnews Jan 4, 2019 #Featured
128 Views

ଭୁବନେଶ୍ବର : ରାଜ୍ୟରେ ଚଳିତ ଖରିଫ ଧାନ ସଂଗ୍ରହ ଋତୁରେ ଚାଷୀ ପଞ୍ଜୀକରଣ ଲକ୍ଷ୍ୟ ୧୫ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପଞ୍ଜୀକରଣ ସମୟସୀମା ଅତିକ୍ରାନ୍ତ ହୋଇସାରିଛି। ଏହା ସତ୍ତ୍ବେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ଦୂରରେ ରହିଛି ଚାଷୀ ପଞ୍ଜୀକରଣ ସଂଖ୍ୟା। ଏଣୁ, ଆଗାମୀ ଦିନରେ ଚାଷୀ ପଞ୍ଜୀକରଣ ସମୟସୀମା ଘୁଞ୍ଚାଇବାକୁ ବିଭାଗ ବିଚାର ବିର୍ମଶ କରୁଛି।

ଖାଦ୍ୟ ଯୋଗାଣ ସୂତ୍ର ଅନୁଯାୟୀ ଖରିଫ ଧାନ ସଂଗ୍ରହ ଋତୁରେ ଚାଷୀ ପଞ୍ଜୀକରଣ ସମୟସୀମା ଡିସେମ୍ବର ମାସ ୩୧ ତାରିଖ ଧାର୍ଯ୍ୟ ହୋଇଥିଲା। ଏହି ସମୟସୀମା ମଧ୍ୟରେ ମୋଟ ୧୫ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରିବାକୁ ଲକ୍ଷ୍ୟ ସ୍ଥିର କରିଥିଲେ ରାଜ୍ୟ ସରକାର। ଏଥିରେ ଅଧିକରୁ ଅଧିକ ସଂଖ୍ୟକ ନୂଆ ଚାଷୀ, ଭାଗ ଚାଷୀଙ୍କୁ ସାମିଲ କରିବାକୁ ମଧ୍ୟ ଲକ୍ଷ୍ୟ ରହିଥିଲା। କିନ୍ତୁ ଏହି ସମୟସୀମା ଶେଷ ହୋଇଛି। ଏହି ସମୟ ସୁଦ୍ଧା ୧୨ ଲକ୍ଷ ୬୦ ହଜାର ଚାଷୀଙ୍କୁ ପଞ୍ଜୀକରଣ କରାଯାଇଛି। ଏଥିମଧ୍ୟରେ ୨ ଲକ୍ଷ ୬୨ ହଜାର ୧୫୭ଜଣ ନୂଆ ଚାଷୀ ଓ ୧ ଲକ୍ଷ ୧୮ ହଜାର ଭାଗଚାଷୀ ଅନ୍ତର୍ଭୁକ୍ତ। ଗତବର୍ଷ ତୁଳନାରେ ଏଥର ପଞ୍ଜୀକୃତ ଚାଷୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଗତବର୍ଷର ଖରିଫ ଧାନ ସଂଗ୍ରହ ଋତୁରେ ୧୧.୨୦ ଲକ୍ଷ ଚାଷୀଙ୍କୁ ପଞ୍ଜୀକରଣ କରାଯାଇଥିଲା। କିନ୍ତୁ ଏଥର ଧାର୍ଯ୍ୟ ଲକ୍ଷ୍ୟ ୧୫ ଲକ୍ଷ ରଖାଯାଇଥିଲେ ବି ୧୨.୬୦ ଲକ୍ଷରେ ସୀମିତ ରହିଛି ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା। ଧାନ ସଂଗ୍ରହ ଋତୁ ଆଗେଇ ଚାଲିଥିବା ବେଳେ ଚାଷୀ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଗଲେ ତାହା ଫଳପ୍ରଦ ହେବ କି ନାହିଁ ସେ ନେଇ ଚିନ୍ତା କରୁଛି ଯୋଗାଣ ବିଭାଗ। ଅବଶ୍ୟ, ଗତବର୍ଷ ଜାନୁଆରି ମାସ ଶେଷ ପର୍ଯ୍ୟନ୍ତ ପଞ୍ଜୀକରଣ କାର୍ଯ୍ୟକ୍ରମ ଜାରି ରହିଥିଲା। ଏଥର ଅଧିକ ସଂଖ୍ୟକ ଚାଷୀଙ୍କୁ ପଞ୍ଜୀକରଣ କରାନଗଲେ ଧାନ ସଂଗ୍ରହ ହାର ଆଶାନୁରୂପକ ହୋଇନପାରେ।

ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୬.୫୪ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଏହି ସମୟ ସୁଦ୍ଧା ଧାନ ସଂଗ୍ରହ ହୋଇଥିଲା ୧୪.୬୬ ଲକ୍ଷ ମେଟ୍ରିକ ଟନ୍‌। ଅର୍ଥାତ୍‌ ବର୍ତମାନ ସୁଦ୍ଧା ଗତବର୍ଷ ତୁଳନାରେ ୧୩ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟାରେ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୮୩ ହଜାର ୫୪୨ଜଣ ଚାଷୀ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କଠାରୁ ୨୮୯୪ କୋଟି ମୂଲ୍ୟର ଧାନ କିଣା ଯାଇଛି। ତେବେ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପ୍ରାୟ ୨୬୨୨କୋଟି ଟଙ୍କା। ରାଜ୍ୟରେ ବର୍ତମାନ ସୁଦ୍ଧା ୨୩୦୭ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍‌ସ) ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଗତବର୍ଷ ଏହି ସମୟ ସୁଦ୍ଧା ୨୪୮୭ଟି ପାକ୍‌ସ ଧାନ ସଂଗ୍ରହରେ ଭାଗ ନେଇଥିଲେ। ସେହିପରି ଗତବର୍ଷ ଶେଷ ସୁଦ୍ଧା ପ୍ରାୟ ୨୯୨୯ଟି ମଣ୍ଡି ଖୋଲିଥିଲା। ବର୍ତମାନ ସୁଦ୍ଧା ୨୮୬୧ଟି ମଣ୍ଡି ଖୋଲିଥିବା ବିଭାଗୀୟ ସୂଚନାରୁ ଜଣାଯାଇଛି।

By amfnews

Related Post