Mon. Nov 25th, 2024

ଧାନ ବିହନ ଅଭାବ, ଚାଷୀ ହନ୍ତସନ୍ତ ; ହଜାର ହଜାର ଚାଷଜମି ପଡିଆ ପଡିବ

299 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଅନୁଗୁଳ ସମବାୟ ସମିତି ଅଧିନରେ କାର୍ଯ୍ୟ କରୁଥିବା ୪ଟି ବ୍ଲକରେ ସମସ୍ତ ସମବାୟ ସମିତି କାର୍ଯ୍ୟାଳୟରେ ଚଳିତବର୍ଷ ଧାନ ବିହନର ମରୁଡି ଦେଖାଦେଇଛି  । ପ୍ରାୟ ୧୫ ଦିନ ହେବ ଚାଷୀମାନେ ପ୍ରତ୍ୟେକ ଦିନ ସମବାୟ ସମିତି କାର୍ଯ୍ୟାଳୟ ଗୁଡିକୁ ଯାଇ ଫେରିବାକୁ ଦେଖିବାକୁ ମିଳୁଛି  । ଧାନ ଚାଷ ଉପରେ ଚାଷୀଟି ସଂପୂର୍ଣ୍ଣ ଭାବେ ନିର୍ଭରଶୀଳ ଥିବାବେଳେ ଉଚିତ୍ ସମୟରେ ବିହନ ନମିଳିବାରୁ, ଧାନ କେବେ ଆସିବ, ତାପରେ ସମବାୟ ସମିତିକୁ କେବେ ଯିବ ତାପରେ ଚାଷୀ କେବେ ପାଇବ  । ବର୍ତ୍ତମାନ ଧାନବୁଣା ସମୟ  ।

ଚାଷୀ କ୍ଷେତକାମ ସାରି ଧାନ ବିହନକୁ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଚାଷୀଟି ମୁଣ୍ଡରେ ହାତ ଦେଇ ବସିଛି  । ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ବିହନ ନ ପାଇବା ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି  । କେଉଁ ଚାଷଜମି ପାଇଁ କେଉଁ ଧାନ ଦରକାର ସେ ବିଷୟରେ କୃଷି ବିଭାଗ କୌଣସି ଖବର ନଥିବା ବେଳେ ମନୋମୁଖୀ ଭାବେ ଅଧିକାରୀମାନେ ସମିତିକୁ ପଠାଇଥାନ୍ତି  । ଫଳରେ ଚାଷୀଟି ବାଧ୍ୟ ବାଧକାତାରେ ବୁଣିଥାଏ  ଏବଂ ଉତ୍ପାଦନ ହ୍ରାସ ପାଇଥାଏ  । ସେହି ଅନୁପାତରେ ଚାଷୀଟିକୁ ତାର ଆଶାନୁରୂପ ଫଳ ମିଳେନାହିଁ  ।

ଗତ ୧୨ ତାରିଖରେ କଙ୍କଡାହାଡ ବ୍ଲକରେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସାର ଓ କୀଟନାଶକ ଔଷଧ ବାହାରକୁ ଚୋରାଚାଲାଣ କରୁଥିବା ବେଳେ ୪ ଜଣ ଜେଲ୍ କୁ ଯାଇଛନ୍ତି  । ଏ ଅଞ୍ଚଳରେ ଆତ୍ମା ଯୋଜନା ସଂପୂର୍ଣ୍ଣ  ଆତ୍ମସାତ ହୋଇଛି  । ପ୍ରତିବର୍ଷ ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ମାଗଣା କିଟ୍ ଆସୁଥିବା ବେଳେ ଚାଷୀମାନଙ୍କୁ ନଦେଇ ସଂପୂର୍ଣ୍ଣ ବିଭାଗ ଜାଲିଆତି କରି ଆତ୍ମସାତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି  । ଏ ନେଇ ମଧ୍ୟ ଚାଷୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀ ହେଉଥିଲେ ମଧ୍ୟ ତାହା ତଦନ୍ତଭୁକ୍ତ ହେଉନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି  ।

ଏ ନେି ଗତ ୨୫ ତାରିଖ ଦିନ କଙ୍କଡାହାଡ ବ୍ଲକ ସମ୍ମୁଖରେ ଚାଷୀମାନଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସାର ଓ କୀଟନାଶକ କୁ ନେଇ ଗଣଧାରଣା ହୋଇଥିଲା  । ଧାନ ବିହନ ଅଭାବ ନେଇ ମହାବିରୋଡ ସମବାୟ ସମିତିର ସମ୍ପାଦକ ସତ୍ୟାନନ୍ଦ ରାଉଳଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ କୁହନ୍ତି ମହିଷାପାଟ, ଢେଙ୍କାନାଳ ଠାରେ ଥିବା ଡିପୋରେ ଷ୍ଟକ୍ ନାହିଁ  । ଆମେ ଯାଇ କେବଳ ଫେରୁଛୁ  । ଆମେ ବା କଣ କରିପାରିବୁ   ? ଏଥିରୁ ଜଣାପଡେ ବିଭାଗର ଚାଷୀଙ୍କ ପାଇଁ କେତେ ଦରଦ  । ଏ ନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା  ।

Related Post