Fri. Dec 27th, 2024

ଧର୍ମଶାଳା ବିକାଶର ଚିତ୍ର : ଭଙ୍ଗା କୁଡିଆରେ ବିତୁଛି ଦୟନୀୟ ଜୀବନ

By amfnews Dec 4, 2018 #Featured
257 Views

ଯାଜପୁର, ଡିସେମ୍ବର ୦୪ :ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କେବଳ ଗାଁର ବିକାଶ ହୋଇନାହିଁ ବରଂ ଗରୀବ ଲୋକ ମାନଙ୍କ ମଧ୍ୟ ଜୀବନଶ÷ଳୀର ବ୍ୟାପକ ପରିବର୍ତ୍ତନ ହୋଇଛି । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଗରୀବ କଲ୍ୟାଣ ଯୋଜନା ଦିଗହରା ହୋଇଛି । ଏଠାରେ ଗରୀବ ମାନଙ୍କୁ ଗୃହ ପ୍ରଦାନ ପାଇଁ ଆସିଥିବା ଯୋଜନାକୁ ଥିଲାବାଲା ଲୁଟିଥିବା ବେଳେ ଶୀତ କାକରରେ ଦୟନୀୟ ଜୀବନ ବିତାଉଛନ୍ତି ବହୁ ନିଶ୍ୱ ଅସହାୟ ମଣିଷ ।
ଏ କ୍ଷେତ୍ରରେ ଧର୍ମଶାଳା ବ୍ଲକର ଅଂଜିରା ପଂଚାୟତର ଗମାରିଆ ଗାଁର ଜୀମା ଚାତର ହେଉଛନ୍ତି ଏକ ନମୁନା । ଜୀମା ଚାତରଙ୍କ ସ୍ୱାମୀ ରୋଗଗ୍ରସ୍ତ । ବଖୁରେ ମାଟି କାନ୍ଥର ନୁଆଁଣିଆ ଝୁମ୍ପୁଡି ଘର । ଜୀମାଙ୍କର ୭ ଟି ପିଲା । ଅନ୍ନ ଚିନ୍ତା ଚମକ୍ରାର ପାଇଁ କେହି ବି ପାଠ ପଢନ୍ତି ନାହିଁ । ସରକାରଙ୍କ ତରଫରୁ ଜୀମାଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଇଛି । ଜୀମାଙ୍କର ଭୋଟର ଫଟୋ ପରିଚୟ ପତ୍ର ରହିଛି । ଦୀର୍ଘ ୩୦ ବର୍ଷ ହେଲା ଜୀମା ଭୋଟ ଦେଇ ଆସୁଛନ୍ତି । ଏଥିରୁ ଜୀମାଙ୍କର ପରିଚୟ ଅଛି ଏବଂ ସ୍ଥାୟୀ ବାସିନ୍ଦାର ପ୍ରମାଣ ଥିବାର ସ୍ପଷ୍ଟ ହେଉଛି । ଜିମା ଜଣେ ଗରୀବ ବୋଲି ସରକାର ରାସନକାର୍ଡରୁ ସ୍ୱୀକାର କରୁଛନ୍ତି । ଏହାପରେ ବି ଜୀମାଙ୍କ ଘରଢିହ ପଟ୍ଟା ନଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁ ନଥବାର କୁହାଯାଉଛି ।

ଏବେ ଯେଉଁ ଭଙ୍ଗା କୁଡିଆରେ ଜୀମାଙ୍କ ଜୀବନ ବିତୁଛି ସେଥିରେ କୌଣସି ପଶୁଜନ୍ତୁ ବି ରହିବେ ନାହିଁ । କୁଡିଆ ଘରଟି ଦିନକୁ ଦିନ ଭାଙ୍ଗି ଭାଙ୍ଗି ପଡୁଥିବା ବେଳେ ଏଥିରେ ରହୁଥିବା ୧୦ ପରାଣୀ କୁଟୁମ୍ବଙ୍କ ଜୀବନ ମଧ୍ୟ ଭଙ୍ଗାଘରେ ବିପଦପୂର୍ଣ୍ଣ ହୋଇପଡିଛି । ଜିମାଙ୍କ ଘରଢିହ ପ୍ରସଙ୍ଗ ସରକାରୀ କଳର ଅପରାଗତା ଏବଂ କ୍ଷମତାସୀନ ଜନପ୍ରତିନିଧିଙ୍କ ଗରୀବ କଲ୍ୟାଣ ନେଇ ଇଛାଶକ୍ତିର ଅଭାବର ସଂକେତ ହୋଇଛି । ସରକାରଙ୍କ ତରଫରୁ ଭୂମିହୀନଙ୍କୁ ଘରଢିଅ ପଟ୍ଟା ପ୍ରଦାନର ବ୍ୟବସ୍ଥା ଥିବା ବେଳେ ଅନୁସୂଚତି ଜନଜାତି ଲୋକ ମାନଙ୍କୁ ମଧ୍ୟ ଜଙ୍ଗଲ ଜମି ଅଧିକାର ଆଇନରେ ଜମି ଅଧିକାର ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଏହି ତହସିଲରେ ଶହ ଶହ ଏକର ଜଙ୍ଗଲ ଜମିରେ ପଥର ବ୍ଲାଷ୍ଟିଂ କରାଯାଇ କୋଟି କୋଟି ଟଙ୍କାର କଳାପଥର ଲୁଟ ହେଉଛି । ହେଲେ କ୍ଷମତାସୀନ ନେତା ଓ ପ୍ରଶାସନର ଖିଆଲି ମନୋଭାବ ପାଇଁ ଏଠାରେ ଗମାରିଆ ପରି ଅନେକ ଗାଁକୁ ବେଆଇନ ଭାବେ ଜଙ୍ଗଲ କିସମ କରାଯାଇଛି ।

ଏହି ଗମାରିଆ ଗାଁରେ ଜୀମା ଏକ ଦୃଷ୍ଟାନ୍ତ ହୋଇଥିବା ବେଳେ ଧର୍ମଶାଳାରେ ଏହିଭଳି ଶହ ଶହ ସଂଖ୍ୟାରେ ଗରୀବ ଆବାସ ଯୋଜନାରେ ଗୃହ ନପାଇ ଅତି ଦୟନୀୟ ଜୀବନ ବିତାଉଛନ୍ତି । ସରକାରଙ୍କ ତରଫରୁ କରାଯାଇ ଥିବା ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନା ରିପୋର୍ଟକୁ ବ୍ୟାପକ ଚଂଚକତା କରାଯାଇ ଏହି ବ୍ଲକରେ ଥିଲାବାଲା ଲୋକେ ଗରୀବଙ୍କ ଆବାସ ଯୋଜନା ଗୃହକୁ ହଡପ କରିଛନ୍ତି ।

ଏପରିକି ଏହି ଅଂଜିରା ପଂଚାୟତରେ ମଧ୍ୟ ବହୁ ଲୋକ ଜଙ୍ଗଲ କିସମ ଜମିରେ ଥାଇ ଆବାସ ଯୋଜନାରେ ଗୃହ ପାଇଥିବା ବେଳେ ଜୀମା ପରି ନିଶ୍ୱ ଓ ଗରୀବମାନଙ୍କ ସେମାନଙ୍କର ହକରୁ ବଂଚିତ କରାଯାଉଛି । ଏଥିନେଇ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଯାଇଥିବା ଏକ ପ୍ରତିନିଧି ଦଳ ଜୀମାଙ୍କ ସହ ଆଲୋଚନା କରିବା ସହ ତାଙ୍କର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ଗରୀବଙ୍କ ସମସ୍ୟା ନିଶ୍ଚୟ ସମାଧାନ ହେବ ଏବଂ ଏଥିନେଇ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଗ୍ରାମବାସୀଙ୍କ ପ୍ରତିଶୃତି ଦେଇଛନ୍ତି ।

By amfnews

Related Post