Sat. Mar 7th, 2026

ଦ୍ରୁତ ବେଗରେ ଚାଲୁଥିଲା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର୍‌, ଟ୍ରକ୍‌ ପଛରେ ଧକ୍କା ଖାଇଲା: ସିବିଆଇ

228 Views

ଲକ୍ଷ୍ନୌ  : ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ସିବିଆଇର ୧୨ ଜଣିଆ ଟିମ୍‌ ପ୍ରତ୍ୟକ୍ଷଦର୍ଶୀ ଏବଂ ଫରେନ୍‌ସିକ୍‌ ଏକ୍ସପର୍ଟମାନଙ୍କୁ ପଚରାଉଚୁରା କରିଛି। କାର୍‌ ଟ୍ରକ୍‌ରେ ଧକ୍କା ଖାଇଥିବା ସ୍ଥାନକୁ ମଧ୍ୟ ସିବିଆଇ ଟିମ୍‌ ଯାଇଥିଲା।

ବିଶେଷସୂତ୍ରରୁ ପ୍ରକାଶ ଯେ ରାସ୍ତା ଭୁଲ୍‌ ପଟରେ ଯାଉଥିବା ଟ୍ରକ୍‌ଟି ଦ୍ରୁତ ବେଗରେ ଯାଉଥିଲା। କାର୍‌ ମଧ୍ୟ ଦ୍ରୁତ ବେଗରେ ଯାଉଥିଲା ଏବଂ ନିୟନ୍ତ୍ରଣ ହରାଇ ଟ୍ରକ୍‌ ପଛରେ ପିଟି ହୋଇ ଯାଇଥିଲା।

ସିବିଆଇ ଟିମ୍‌ କହିବା ଅନୁସାରେ, ଟ୍ରକ୍‌ଟି ରାସ୍ତାର ଭୁଲ୍‌ ପଟରେ ଆସୁଥିବାର ଦେଖି କାର୍‌ ଚାଳକ ଛାନିଆ ହୋଇ ଗାଡ଼ି ଉପରୁ ନିୟନ୍ତ୍ରଣ ହାଇଥିଲେ। ଫଳରେ ମରଣାନ୍ତକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଲା।

ଏହି ଦୁର୍ଘଟଣା ପରେ ଉତ୍ତର ପ୍ରଦେଶ ଜଣେ ମନ୍ତ୍ରୀଙ୍କ ଜ୍ୱାଇଁଙ୍କ ସମେତ ଅନ୍ୟ ୯ ଜଣଙ୍କୁ ନରହତ୍ୟା ଅଭିଯୋଗରେ ବୁକ୍‌ କରାଯାଇଛି। ସେ ମନ୍ତ୍ରୀ ହେଉଛନ୍ତି ରଣବେନ୍ଦ୍ର ସିଂହ। ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଳଦୀପ ସିଂହ ସେନ୍‌ଗାର୍‌ଙ୍କ ନାମ ସହ ତାଙ୍କ ନାମ ମଧ୍ୟ ଜୁଲାଇ ୨୯ ତାରିଖ ଦିନ ରେଜିଷ୍ଟ୍ରି ହୋଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ ଥିଲା।

By amfnews

Related Post