Sun. Mar 8th, 2026

ଦେଶ ପାଇଁ ସହିଦ୍‌ ହୋଇଥିଲେ ଔରଙ୍ଗଜେବ, ଏବେ ୨ ଭାଇ ସେନାରେ ସାମିଲ

168 Views

ନୂଆଦିଲ୍ଲୀ  : ଭାଇର ସାହସ ଓ ବୀରତ୍ୱରେ ଅନୁପ୍ରାଣିତ ହୋଇ ଭାରତୀୟ ସେନାର ପଞ୍ଜାବ ରେଜିମେଣ୍ଟରେ ଯୋଗ ଦେଇଛନ୍ତି ଜାମ୍ମୁ କଶ୍ମୀର ସୋପିଆନର ଦୁଇ ଭାଇ ମହମ୍ମଦ ଶବୀର ଓ ମହମ୍ମଦ ତାରିକ। ଭାଇ ଔରଙ୍ଗଜେବ ସହିଦ ହେବା ପରେ ଦେଶ ପାଇଁ ସେବା କରିବାକୁ ମନବଳାଇ ଉଭୟ ସେନାରେ ସାମିଲ ହୋଇଛନ୍ତି । ମାତୃଭୂମିର ରକ୍ଷା ସହ ଆତଙ୍କବାଦୀଙ୍କୁ ନିପାତ କରି ଭାଇର ପ୍ରତିଶୋଧ ନେବେ ବୋଲି ସେମାନେ କହିଛନ୍ତି।
ଭାରତୀୟ ସେନାର ଯୋଗ ଦେବା ଅବସରରେ ଦୁଇ ଭାଇ କହିଛନ୍ତି ଯେ, ଭାଇ ଔରଙ୍ଗଜେବ ଯାହା ଦେଶ ପାଇଁ କରିଛନ୍ତି, ଆମେ ତାଙ୍କ ପଥ ଅନୁସରଣ କରିବୁ। ମାତୃଭୂମିର ରକ୍ଷା ପାଇଁ ନିଜ ଜୀବନ ଦେବାକୁ ପଛଘୁଞ୍ଚା ଦେବୁନାହିଁ। ଆତଙ୍କବାଦୀଙ୍କୁ କଶ୍ମୀରରୁ ନିପାତ କରି ଭାଇ ମୃତ୍ୟୁର ପ୍ରତିଶୋଧ ନେବୁ ।

ଗତ ବର୍ଷ ଇଦ୍ ଅବସରରେ ଉତ୍ସବ ପାଳିବାକୁ ଘରକୁ ଫେରୁଥିବା ବେଳେ ଜୁନ ୧୪ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ ଔରଙ୍ଗଜେବ। ଆତଙ୍କବାଦୀ ଔରଙ୍ଗଜେବଙ୍କୁ ଅପହରଣ କରି ନେଇ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ। ପୁଲଓ୍ୱାମା ଜିଲ୍ଲାର ଗୁସୁ ଅଞ୍ଚଳରେ ଔରଙ୍ଗଜେବଙ୍କ ମୃତଦେହ ଉଦ୍ଧାର କରିଥିଲା ସ୍ଥାନୀୟ ପୁଲିସ ଓ ସେନାର ଟିମ। ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ ଯୋଗ ଦେଇଥିଲେ ସହିଦ ଔରଙ୍ଗଜେବ। ବୀରତ୍ୱ ପାଇଁ ସହିଦ ଔରଙ୍ଗଜେବଙ୍କୁ ମରଣୋତ୍ତର ସୌର୍ଯ୍ୟଚକ୍ରରେ ସମ୍ମାନିତ କରାଯାଇଛି। ଏହା ପୂର୍ବରୁ ଔରଙ୍ଗଜେବଙ୍କ ଦାଦା ମଧ୍ୟ ଦେଶ ପାଇଁ ସହିଦ ହୋଇଛନ୍ତି।

By amfnews

Related Post