Mon. Jun 9th, 2025

ଦୁଷ୍କର୍ମ ପୀଡ଼ିତାଙ୍କୁ ଘରେ ରଖିବାକୁ ମନା କଲେ ବାପାମା’

By amfnews Sep 27, 2019 #Featured
258 Views

ଫୁଲବାଣୀ : “ଝିଅକୁ ଛୋଟ ଜାତିର ପିଲା ଦୁଷ୍କର୍ମ କଲା। ଆମେ କେମିତି ତାକୁ ଗ୍ରହଣ କରିବୁ। ଆମ ଘରେ ଆଉ ଝିଅ,ପୁଅ ଅଛନ୍ତି। ଝିଅ ଆଶ୍ରମରେ ରହୁ। ଯଦି ସେ ଘରକୁ ଆସିବାକୁ ଇଚ୍ଛା କରିବ, ଅଲଗା ଆସି ରହିବ।” ଏପରି କହିଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ବାପା, ଯାହା ଆମ ସମାଜ ପାଇଁ ଏକ ଲଜ୍ଜାଜନକ କଥା। ଆଉ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ।

ପୂରା ଘଟଣାଟି ହେଉଛି ଏହିପରି। ଗତ ଜୁନ୍ ମାସରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ତେବେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ନ କହିବାକୁ ଅଭିଯୁକ୍ତ ଜଣକ ତାଙ୍କୁ ଧମକ ଦେଇଥିଲା। ଫଳରେ ଭୟଭୀତ ହୋଇ ସେ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ କିଛି ଜଣାଇ ନଥିଲେ। ମାତ୍ର ଅଗଷ୍ଟ ମାସରେ ସେ ଗର୍ଭବତୀ ଥିବା ପରିବାର ଲୋକେ ଜାଣିପାରିଥିଲେ। ତା’ପରେ ସେମାନେ ଖୋଳତାଡ଼ କରିଥିଲେ ଓ ଅନ୍ୟ ଜାତିର ଜଣେ ପିଲା ତାଙ୍କୁ ଦୁଷ୍କର୍ମ କରିଥିବା ଜାଣିଥିଲେ।

ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଅଗଷ୍ଟ ୨୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ଓ ପୀଡିତାକୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଥିଲା। ଏହାପରେ ସିଡବ୍ଲ୍ୟୁସି ପରିବାର ଲୋକଙ୍କ ହେପାଜତରେ ଝିଅକୁ ଛାଡ଼ିଥିଲା। ମାତ୍ର କିଛି ଦିନ ପରେ ପରିବାର ଲୋକେ ଝିଅଟିକୁ ବାସନ୍ଦ କରି ଦେଇଥିଲେ। ଗତ ବୁଧବାର ତାଙ୍କୁ ତାଙ୍କ ବାପାମା’ ଫୁଲବାଣୀସ୍ଥିତ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ। ସେମାନେ ତାଙ୍କୁ ଘରେ ରଖିବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରି ଦେଇଥିଲେ।

ଏଭଳି ସ୍ଥିତିରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଝିଅଟିକୁ ବାଲିଗୁଡ଼ାସ୍ଥିତ ବନବାସୀ ସେବା ସମିତିକୁ ପଠାଇ ଦେଇଥିଲା। ମାତ୍ର ସେଠାରେ ଗର୍ଭବତୀଙ୍କ ରହିବା ଲାଗି ସୁବିଧା ନଥିବାରୁ ଗତକାଲି ରାତିରେ ତାଙ୍କୁ ଜି. ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ସେବା ସମିତିକୁ ପଠାଇ ଦିଆଯାଇଛି। ଝିଅଟି ୪ରୁ ୫ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଏ ନେଇ ପୁଲିସ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

By amfnews

Related Post