ସୂଚନାନୁଯାୟୀ, ଏହି ମାମଲାରେ ଜଷ୍ଟିସ୍ ରଞ୍ଜନ ଗୋଗେଇ, ଜଷ୍ଟିସ୍ ନବୀନ ସିହ୍ନା, ଜଷ୍ଟିସ୍ କେଏମ୍ ଜୋଶେଫଙ୍କର ଏକ ଖଣ୍ଡପୀଠରେ ଏହି ରାୟ ଶୁଣାଇଛନ୍ତି । ସଂପୃକ୍ତ ମାମଲାରେ ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ଦିଆଯାଇଛି । ୨୦୦୪ରେ ୯ବର୍ଷର ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିଲା । ଫଳରେ ପୀଡିତାର ମା ଏଫଆଇଆର ରୁଜୁ କରିଥିଲେ । ମେଡିକାଲ ରିପୋର୍ଟ ଆଧାରରେ ଦୋଷୀକୁ ଗିରଫ କରାଯାଇ ଥିଲା । କିନ୍ତୁ କେବଳ ୬ ମାସ ମଧ୍ୟରେ ପୀଡିତା ଏବଂ ମୁଖ୍ୟ ସାକ୍ଷୀ ନିଜ ବୟାନ ବଦଳାଇ ଥିଲେ । ଏହାପରେ ଟ୍ରାୟାଲ କୋର୍ଟ ଦୋଷୀକୁ ମୁକ୍ତ କରି ଦେଇଥିଲେ ।
କିନ୍ତୁ ପରେ ଗୁଜୁରାଟ ହାଇକୋର୍ଟ ଏହି ମାମଲାକୁ ବଦଳାଇବା ପରେ ଦୋଷୀକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡିଥିଲା । କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । ପୀଡିତଙ୍କ ପରିବାର ଗରୀବ ହୋଇଥିବା କାରଣରୁ ତାଙ୍କୁ ବୟାନ ବଦଳାଇବା ପାଇଁ ବାଧ୍ୟ କରାଯାଇ ଥିଲା ବୋଲି କୁହାଯାଉଛି ।
ଶୀର୍ଷ ଅଦାଲତଙ୍କ କହିବା ଅନୁଯାୟୀ, ସତ୍ୟକୁ ସାମ୍ନାକୁ ଆଣିବା ହେଉଛି କ୍ରିମିନାଲ ଟ୍ରାୟାଲର ଉଦ୍ଦେଶ୍ୟ । ନିଜ ବୟାନରୁ ସମ୍ପୂର୍ଣ୍ଣ ଓଲଟି ଯିବାକୁ କାହାକୁ ଅନୁମତି ଦିଆ ଯାଇ ନାହିଁ । ଯଦି ପୀଡିତା ନିଜ ବୟାନ ପରିବର୍ତନ କରେ ତେବେ ନ୍ୟାୟ ବ୍ୟବସ୍ଥା ପ୍ରତି ପରିହାସ ସଦୃଶ ହେବ । ତେଣୁ ମେଡିକାଲ ରିପୋର୍ଟ ବ୍ୟତୀତ ଅନ୍ୟ କୌଣସି ଆଧାରରେ କ୍ଲୀନ ଚିଟ୍ ଦିଆଗଲେ ପୀଡିତାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିବ । ଏହି ଘଟଣା ୧୪ ବର୍ଷ ପୁରୁଣା ହୋଇଥିବା କାରଣରୁ ପୀଡିତାଙ୍କୁ ଛାଡି ଦିଆ ଯାଇଥିଲା ।