Sat. Mar 7th, 2026

ଦୁଷ୍କର୍ମ ଅଭିଯୋଗରେ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗିରଫ କଲା ଏସ୍‌ଆଇଟି

280 Views

ନୂଆଦିଲ୍ଲୀ  : ଶୁକ୍ରବାର ସକାଳେ ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ଗିରଫ କରିଛି। ଜଣେ ଆଇନଛାତ୍ରୀ ତାଙ୍କ ବିରୋଧରେ କରିଥିବା ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତରେ ଏସ୍‌ଆଇଟି ତଦନ୍ତ କରୁଥିଲା।

ଶାହାଜାହାନପୁରରୁ ଉତ୍ତର ପ୍ରଦେଶ ଏସ୍‌ଆଇଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଗିରଫ କରିଛି। ତାଙ୍କୁ ଏବେ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଉଛି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶକ୍ରମେ ଉତ୍ତର ପ୍ରଦେଶ ପୁଲିସ ଦ୍ୱାରା ଗଠିତ ଏସ୍‌ଆଇଟି ମାମଲାର ତଦନ୍ତ କରୁଥିଲା। ଏହା ଅର୍ଥ ଆଦାୟ ପାଇଁ ଉଦ୍ୟମ ବୋଲି ଚିନ୍ମୟାନନ୍ଦଙ୍କ ଓକିଲ କହିବା ପରେ ନିଜର ଅଭିଯୋଗକୁ ସାବ୍ୟସ୍ତ କରିବାକୁ ଗତ ସପ୍ତାହରେ ଆଇନ ଛାତ୍ରୀଜଣକ ଏସ୍‌ଆଇଟିକୁ ୪୩ଟି ଭିଡିଓ ଥିବା ଗୋଟାଏ ପେନ୍‌ ଡ୍ରାଇଭ୍‌ ଦେଇଥିଲେ।

ଅଭିଯୋଗକାରିଣୀ ଚିନ୍ମୟାନନ୍ଦ କଲେଜର ଜଣେ ସ୍ନାତକୋତ୍ତର ଛାତ୍ରୀ। ସେ ଅଭିଯୋଗ କରିଥିଲେ କି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବର୍ଷେକାଳ ତାଙ୍କ ସହ ଦୁଷ୍କର୍ମ କରିବା ସହ ଶାରୀରିକ ଶୋଷଣ କରିଥିଲେ। ଅଗଷ୍ଟ ୨୪ ତାରିଖ ଦିନ ପୀଡ଼ିତା ନିରୁଦ୍ଦେଶ ହେବା ପରେ ଘଟଣା ସାମାଜିକ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା।

By amfnews

Related Post