Sun. Mar 8th, 2026

ଦୁର୍ଦ୍ଦାନ୍ତ ନକ୍ସଲ ନେତା ରାକେଶ ନିହତ

229 Views

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଏକାଧିକ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ନେତା ରାକେଶ ସୋଢ଼ି ନିହତ ହୋଇଛନ୍ତି। ମାଲକାନଗିରି ବଣ୍ଡାଘାଟିରେ ଆଜି ସକାଳେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ରାକେଶଙ୍କ ମୃତ୍ୟୁ ଘଟିଥିବା ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ୍‌ ଜୋନାଲ୍‌ କମିଟର ମୁଖ୍ୟ ଥିଲେ ରାକେଶ। ଏହା ପୂର୍ବରୁ କାଲିମେଳା ଆକ୍ସନ କମିଟିର ମଧ୍ୟ ସେ ମୁଖ୍ୟ ଥିଲେ। ମାଲକାନଗିରି ଜିଲ୍ଲାରେ ଏକାଧିକ ନକ୍ସଲ ହିଂସାକାଣ୍ଡରେ ମଧ୍ୟ ସେ ସାମିଲ ଥିଲେ ବୋଲି ଜଣାଯାଇଛି।

ଅନ୍ୟପଟେ ପୁଲିସ୍‌ ସହ ଗୁଳି ବିନିମୟରେ ଜଣେ ଡିଭିଏଫ୍ ଯବାନ ଶହୀଦ ହୋଇଛନ୍ତି। ତାଙ୍କ ନାଁ ଜୟରାମ କବାସୀ। ଏଥିସହ ଆଉ ଜଣେ ଯବାନ ରାମ ଦୁରୁଆ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଖଇରପୁଟ ଥାନାର ପାଟନାଗୁଡ଼ା ଅଞ୍ଚଳରେ ମାଓବାଦୀମାନେ ଥିବା ସୂଚନା ପାଇ ଏସଓଜି ଓ ଡିଭିଏଫ୍ ପକ୍ଷରୁ ଗତ ରାତିରୁ ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା ।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଗୁଳିମାଡ଼ କରିବାରୁ ଏହାର ଜବାବି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କମ୍ବିଂ ଅପରେସନ୍‌ ପରେ ୫୦ରୁ ୬୦ଜଣ ନକ୍ସଲ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ଅପରେସନ୍‌କୁ ଅଧିକ ଜୋରଦାର କରିବା ପାଇଁ ବିଏସ୍‌ଏଫ୍‌ ଯବାନଙ୍କୁ ସାମିଲ କରାଯାଇଛି। ମାଲକାନଗିରି ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ କେ.।

By amfnews

Related Post