Sun. Nov 24th, 2024

ଦୁର୍ଗମ ଗାଁରେ ପହଁଞ୍ଚି ପାରୁନି ଆମ୍ବୁଲାନ୍ସ,  ୫ କିମି ଭାରରେ ପ୍ରସୂତିକୁ ବୋହିଲେ ଆଶା ଦିଦି ଓ ୧୦୮ ଡ୍ରାଇଭର। ନିର୍ବାଚନ ସମୟ ଆସିଲେ କେବଳ ଫଟୋ ଉଠାଇବାକୁ ଆସୁଛନ୍ତି ସ୍ଥାନୀୟ ବିଧାୟକ — ଗ୍ରାମବାସୀ

By amfnews Oct 6, 2018 #Featured
158 Views

ମାଲକାନଗିରି ଭଳି ଘଞ୍ଚ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ହୃଦୟ ବିଦାରକ ଚିତ୍ର।ବିଗତ ଦିନରେ ଲଗାଣ ବର୍ଷା କାରଣରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ଖରାପ ହୋଇ ପଡିଛି।କେଉଁଠି ଦୀର୍ଘ ଦିନର ପ୍ରବଳ ବର୍ଷା ପାଣିରେ ରାସ୍ତା ଧୋଇ ଯାଇ ଘାଇ ହୋଇଛି ଫଳରେ ପାଦ ରଖିବାକୁ କଷ୍ଟକର ହୋଇପଡୁଛି।
ଦୁର୍ଗମ ଅଞ୍ଚଳରେ ଥିବା ଗାଁକୁ ପହଁଞ୍ଚି ପାରୁନି ନାହିଁ ୧୦୮ ଆମ୍ବୁଲାନ୍ସ । ଆଉ ଆମ୍ବଲାନ୍ସ ବଦଳରେ ପୁଣି ଥରେ ଦେଖିବାକୁ ମିଳିଥିଲା ସେହି ଭାରରେ ବୁହା ହୋଇଥିବା ଗୁରୁତର ମହିଳା ପ୍ରସୂତି। ପୂର୍ବରୁ ଏହି ସ୍ଥାନୀୟ ଅଞ୍ଚଳରେ ଡାକ୍ତର ଓମ ପ୍ରକାଶ ନିଜ କାନ୍ଧରେ ଖଟିଆକୁ ବୋହି ଗର୍ଭବତୀ ମହିଳାଙ୍କୁ ନେଉଥିବା ଦୃଶ୍ୟ ଚର୍ଚ୍ଚାରେ ଆସିଥିଲା । ଏବେ ପୁଣି ଥରେ ଏହି ଦୃଶ୍ୟ ଦୋହରା ଯାଇଛି।ଜଣେ ଆଶା ଦିଦି ନିଜ କାନ୍ଧରେ ପ୍ରସୂତି ମହିଳାଙ୍କୁ ବୋହିକି ନେବା ଘଟଣା ଏହି ଅଞ୍ଚଳରେ ବିରଳ।
ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଏକ ଅପହଞ୍ଚ ଗାଁରେ।ଦୀର୍ଘ ୪ ମାସ ଧରି ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଜିଲ୍ଲାରେ ୪ ଥର ବନ୍ୟା ପରିସ୍ଥିତିରେ ପହଁଞ୍ଚିବା ସହ ବିଭିନ୍ନ ଗାଁ ଦାଣ୍ଡ ଠାରୁ ଆରମ୍ଭ କରି ରାସ୍ତା ଘାଟ ସବୁ ଧୋଇ ହୋଇଯାଇଛି।
ସୂଚନା ଅନୁସାରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାବେଡା ପଞ୍ଚାୟତ ଲଛମିପୁର ଗ୍ରାମର ଦୁଲା ଖରା (୩୫) ନାମକ ଜଣେ ଆଦିବାସୀ ମହିଳା ପ୍ରସବ ଯନ୍ତ୍ରଣା ଭୋଗୁଥିବା ବେଳେ ଉକ୍ତ ଗାଁକୁ ଭଲ ରାସ୍ତା ନଥିବାକୁ ସେପଟେ ପାହାଡିଆ ଘାଟି ରାସ୍ତା ହୋଇ ଥିବାରୁ ୧୦୮ ଆମ୍ବୁଲାନ୍ସ ପହଁଞ୍ଚି ପାରି ନଥିଲା।
ହେଲେ ରାସ୍ତା ଖରାପ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଲଛମିପୁର ଗାଁକୁ ଯାଇପାରିବ ନାହିଁ ବୋଲି କହିଥିଲା।ମହିଳାଙ୍କର ପ୍ରସବ ଯନ୍ତ୍ରଣା ବଢିବା ଫଳରେ ମହିଳା କୁ ଛଟପଟ ହେଉଥିବା ଦେଖି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।
ପ୍ରସୂତିକୁ ଭାରରେ ବୋହିବାକୁ ଆଦିବାସୀ ପୁରୁଷ ମାନେ ମନା କରି ଦେଇଥିଲେ। ପରେ ଆଶା ଦିଦି ବିରାଜି ଖିଲ(୩୪) ଏବଂ ରତ୍ନାକର ପ୍ରଧାନ ଓ ବିଜୁ ଖିଲ ଭଳି  କିଛି ସମାଜସେବୀ ଓ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ପ୍ରଦିପ ମଣ୍ଡଲ  ଏକତ୍ରିତ ହୋଇ ଦୁଲା ଖରାଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।ମହିଳାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଇବା ପରେ ମାଆ ଓ ଶିଶୁ ସୁସ୍ଥ ଥିବା ଡାକ୍ତର କେ ସି ମହନ୍ତ ସୂଚନା ଦେଇଛନ୍ତି।
ସମଗ୍ର ଦେଶ ୭୨ ତମ ସ୍ବାଧୀନତା ଦିବସ ପାଳନ କରିଥିବା ବେଳେ ହେଲେ ଆଜି ଏ କି ଦୃଶ୍ୟ ଦେଖିବାକୁ ମିଳୁଛି।ଏହି ଦୃଶ୍ୟକୁ ଦେଖିଲେ ମନେ ହେଉଛି ଯେ ସ୍ବାଧୀନ ଭାରତର ମଣିଷ ବିଭିନ୍ନ ମୌଳିକ ସୁବିଧାରୁ କିପରି ବଞ୍ଚିତ ହୋଇରହିଛି।ଅପରପକ୍ଷରେ ସ୍ଥାନୀୟ ବିଧାୟକ ଏହି ଅଞ୍ଚଳକୁ ଦିନେ ହେଲେ ଆସିନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ସ୍ବାସ୍ଥ୍ୟସେବା ଲାଗି ଆଦିବାସୀ ଲୋକେ ମାଇଲ ମାଇଲ ରାସ୍ତା ଏମିତି ଅଣ୍ଟାଏ ପାଣି କାଦୁଅରେ ଚାଲି ଯାଉଛନ୍ତି । ଏହି ଘଟଣା ପରେ ଲୋକେ ରାଗରେ ନିଜର ସେହି ଗାଁ ରାସ୍ତାରେ ଧାନ ରୋଇଛନ୍ତି । ଆମେ ଏଠି କାହାକୁ ଦୋଷ ଦେବା । ଯିଏ ରାସ୍ତା କାମ କରୁନାହିଁ ସେ ପ୍ରଶାସନକୁ, ନା ଏହି ଅଞ୍ଚଳର ଜନ ପ୍ରତିନିଧି ମାନଙ୍କ ଚିନ୍ତାଧାରାକୁ।

By amfnews

Related Post