Sat. Mar 7th, 2026

ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ଗଛରେ ପିଟିହେଲା ବସ୍‌

267 Views

ବ୍ରହ୍ମଗିରି : ପୁରୀ-ସାତପଡ଼ା ଜାତୀୟ ରାଜପଥର ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଆଜି ସକାଳେ ଦେବୀ’ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁଇଟି ବାଇକ୍‌କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଥିଲା। ଏଥିରେ ତିନି ଜଣ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ଆହତମାନେ ହେଲେ ସିମନ୍ତ ପାଣିଗ୍ରାହୀ ଓ ସମିର ଜେନା। ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ସିମନ୍ତଙ୍କ ଗୋଡ଼ କଟି ଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ବସ୍‌ଟି ଅରକୁଦାରୁ ପୁରୀ ଯାଉଥିଲା। ଏହି ସମୟରେ ପୁରୀ ପଟୁ ଆସୁଥିବା ଦୁଇଟି ବାଇକ୍‌କୁ ବସ୍‌ଟି ଧକ୍କା ଦେଇଥିଲା। ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା।

ବସ୍‌ରେ ଥିବା ୪୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣା ପରେ କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍‌ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପୁଲିସ୍‌ ବସ୍‌କୁ ଜବତ କରିଛି।

By amfnews

Related Post