Sat. Nov 2nd, 2024

ଦୀପିକା ମହିଳା ସଂଘତିର ୬୧ତମ ବାର୍ଷିକ ଉତ୍ସବ ପାଳିତ

By amfnews Dec 11, 2018 #Featured
241 Views

ରାଉରକେଲା, ୧୧ ।୧୨  : ଇସ୍ପାତ ସହରର ଅଗ୍ରଣୀ ଜନହିତୈଷୀ ଅନୁଷ୍ଠାନ ଦୀପିକା ମହିଳା ସଂଘତିର ୬୧ତମ ବାର୍ଷିକ ଉତ୍ସବ ସିଭିକ ସେଣ୍ଟରଠାରେ
ମହାସମାରୋହରେ ଡିସେମ୍ବର ୮ ତାରିଖରେ ପାଳିତ ହୋଇଯାଇଛି । ରାଉରକେଲା ଇସ୍ପାତ କାରଖାନାର ସିଇଓ ଅଶ୍ୱିନୀ କୁମାର ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଉତ୍ସବରେ ଦୀପିକା ମହିଳା ସଂଘତି ଅଧ୍ୟକ୍ଷା ସବିତା କୁମାରୀ, ପ୍ରକଳ୍ପ ବିଭାଗର ଇଡି ରାଜୀବ ଅଗ୍ରୱାଲ, କାର୍ମିକ ଓ ପ୍ରଶାସନ ବିଭାଗ ଇଡି ରାଜୀବର ସିଂହ, କାର୍ଯ୍ୟ ବିଭାଗ ଇଡି ଗୌତମ ବାନାର୍ଜୀ, ସାମଗ୍ରୀ ପ୍ରବନ୍ଧକ ବିଭାଗର ଇଡି ଡି. କେ. ମହାପାତ୍ର, ଦୀପିକା ମହିଳା ସଂଘତି ଉପାଧ୍ୟକ୍ଷା ରେଖା ଅଗ୍ରୱାଲ ଓ ଅନୁରାଧା ବାନାର୍ଜୀ, ଦୁର୍ଗାପୁର ଇସ୍ପାତ କାରଖାନା କାର୍ମିକ ଓ ପ୍ରଶାସନ ବିଭାଗର ଇଡି ପି. କେ. ପ୍ରଧାନ, ମିନାକ୍ଷୀ ପ୍ରଧାନ ଏବଂ କାରଖାନାର ବହୁ ବରିଷ୍ଠ ଅଧିକାରୀ, ଦୀପିକା ମହିଳା ସଂଘତିର ବହୁ ସଦସ୍ୟା ସପରିବାର ଉପସ୍ଥିତ ଥିଲେ ।

ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ସବିତା କୁମାରୀ ନିଜର ସ୍ୱାଗତ ଅଭିଭାଷଣରେ ବିଗତ କିଛି ବର୍ଷ ମଧ୍ୟରେ ଦୀପିକା ମହିଳା ସଂଘତି ଦ୍ୱାରା ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ଅଗ୍ରଗତି ସମ୍ପର୍କରେ ବିବରଣୀ ପାଠ କରିଥିଲେ । ନିଜର ଅଭିଭାଷଣରେ ଅଶ୍ୱିନୀ କୁମାର ସଂଘତି ସଦସ୍ୟମାନଙ୍କ ଦ୍ୱାରା ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ଉତ୍ଥାନ ନିମନ୍ତେ ଗ୍ରହଣ କରାଯାଉଥିବା ବିବିଧ ସେବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

ସମାଜକୁ ପ୍ରତିଦାନ ଦେବା ପ୍ରତ୍ରେକ ବ୍ୟକ୍ତିଙ୍କର ଦାୟିତ୍ୱ ଅଟେ । ଆରଏସପି ପରିବାରର ଶିକ୍ଷିତା ମହିଳାମାନଙ୍କୁ ମୁଁ ଅନୁରୋଧ କରିବି ଯେ ସେମାନେ ଗରିବ ଓ ଅବହେଳିତ ବର୍ଗର ପିଲାଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଯୋଗଦାନ ଦିଅନ୍ତୁ ବୋଲି ସେ ଉଲ୍ଲେଖ କରିଥିଲେ । ସଂଘତି ସମ୍ପାଦିକା ଲୀନା ଦାସ, ଦୀପିକା ମହିଳା ସଂଘତିର ବିଗତ ବର୍ଷର କାର୍ଯ୍ୟଧାରା ଉପରେ ପ୍ରସ୍ତୁତ ଏକ ଅଡିଓ ଭିଜୁଆଲ ରିପୋର୍ଟ ଉପସ୍ଥାପନ କରିଥିଲେ । ଅଶ୍ୱିନୀ କୁମାର ଓ ସବିତା କୁମାରୀ ଉତ୍ସବରେ ଲୀନା ଦାସ ଏବଂ ଯୁଗ୍ମ ସମ୍ପାଦିକା ସଂଗୀତା ବର୍ମାଙ୍କୁ ସଂଘତିର ବିଭିନ୍ନ କାର୍ଯ୍ୟଧାରାରେ ନିଃସ୍ୱାର୍ଥପର ଯୋଗଦାନ ନିମନ୍ତେ ସମ୍ବର୍ଦ୍ଧିତ କରିଥିଲେ ।

ସବିତା କୁମାରୀ ସେକ୍ଟର ୧, ୨, ୩, ୪, ୫ ତଥା ଛେଣ୍ଡ, ଉଦିତନଗର ଓ ସିଭିଲ ଟାଉନସିପର ସଦସ୍ୟାମାନଙ୍କୁ ନେଇ ଗଠିତ ଗ୍ରୁପ୍ ‘ଏ’କୁ ସାଂସ୍କୃତିକ ଚମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ । ସଂଘତି ସଦସ୍ୟାମାନେ ଏହି ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ ଓ ଓଡ଼ିଆ ନାଟକ ପେଟେଣ୍ଟ ମେଡିସିନ ପରିବେଷଣ କରିଥିଲେ । ଦୀପିକା ମହିଳା ସଂଘତି ପରିଚାଳିତ ଦୀପିକା ଇସ୍ପାତ ଶିକ୍ଷା ସଦନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଉତ୍ସବର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା । ଡକ୍ଟର ଅଞ୍ଜନା ମୈତ୍ରୀ ଉଦ୍ଘାଯନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମେଘନା ଚାଟାର୍ଜୀ ଓ ବିଭା ସିହ୍ନା ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post