ନୂଆଦିଲ୍ଲୀ, ଜାନୁଆରୀ ୧୭ : କରୋନା ଟିକା ନେଇଥିବା କିଛି ଲୋକଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଛି । କିନ୍ତୁ ଦେଶରେ ଟିକା ନେଇ ସେଭଳି କିଛି ବଡ଼ଧରଣର କ୍ଷତି ହୋଇ ନଥିବା ଜଣାପଡ଼ିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଟିକା ନେବା ପରେ ୫୨ ଜଣଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଛି । ଏମାନଙ୍କ ମଧ୍ୟରୁ କେବଳ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି ।
ଜାନୁଆରୀ ୧୬ ତାରିଖ ଠାରୁ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସଫେଇ କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଥିଲା । କିନ୍ତୁ କିଛି ସ୍ଥାନରେ ଟିକା ନେବା ପରେ ସାମାନ୍ୟ ଅଭିଯୋଗ ମଧ୍ୟ ଆସିଛି । ଏଥିରେ ୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଟିକା ନେବାର ଅଳ୍ପ ସମୟ ପରେ ଏଲାର୍ଜୀ ହୋଇଥିବା ନେଇ ଅଭିଯୋଗ ଆସିଛି । କିଛି ଲୋକ ବ୍ୟସ୍ତ ହୋଇଯାଇଛନ୍ତି ।
ଜାତୀୟ ରାଜଧାନୀ ଦିଲ୍ଲୀର ୧୧ଟି ଜିଲ୍ଲାରେ ୮୧୧୭ ଜଣଙ୍କୁ ଟିକା ଦିଆଯିବାର ଥିଲା । କିନ୍ତୁ ୪୩୧୯ ଜଣ କର୍ମଚାରୀ ନେଇଥିଲେ । ଏଥିରୁ ୫୨ ଜଣଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେବଳ ୨ଟି ଜିଲ୍ଲାରେ ପାର୍ଶ୍ଵ ପ୍ରତିକ୍ରିୟା ଖବର ଆସିନାହିଁ । ଉତ୍ତର ଦିଲ୍ଲୀ ଜିଲ୍ଲାରେ ଜଣେ, ଦକ୍ଷିଣ ପୂର୍ବ ଜିଲ୍ଲାରେ ୫ ଜଣ, ଉତ୍ତର ପଶ୍ଚିମରେ ୪ ଜଣ, ପୂର୍ବ ଦିଲ୍ଲୀରେ ୬ ଜଣ, ସେଣ୍ଟ୍ରାଲରେ ୨ ଜଣ, ଦକ୍ଷିଣରେ ୧୧ ଜଣ, ନୂଆଦିଲ୍ଲୀରେ ୫ ଜଣ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ୧୧ ଜଣ ଓ ପଶ୍ଚିମ ଜିଲ୍ଲାରେ ୬ ଲୋକଙ୍କ ଠାରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଥିଲା ।