Mon. Mar 31st, 2025

ଦିଲ୍ଲୀକୁ ଫେରିବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା, କେବେ ଠାରୁ ଲାଗୁ ହେବ

By amfnews Sep 13, 2019 #Featured
147 Views

ନୂଆଦିଲ୍ଲୀ : ପ୍ରଦୂଷଣ ମୁକ୍ତ ପରିବେଶ ଗଠନ ପାଇଁ ଦିଲ୍ଲୀ ସରକାରଙ୍କ ବହୁପ୍ରତିକ୍ଷୀତ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ପୁଣିଥରେ ଲାଗୁ ହେବ। ଚଳିତ ବର୍ଷ ନଭେମ୍ବର ୪ରୁ ୧୫ ତାରିଖ ଯାଏ ସମଗ୍ର ଦିଲ୍ଲୀରେ ଏହି ନିୟମ ଲାଗୁ ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

ଏଥରକୁ ମିଶାଇ ଦିଲ୍ଲୀ ସରକାର ରାଜ୍ୟରେ ତୃତୀୟ ଥର ପାଇଁ ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି। ନିୟମ ଅନୁଯାୟୀ, ନଭେମ୍ବର ୪ରେ କେବଳ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ହିଁ ଦିଲ୍ଲୀରେ ଚାଲିବ। ଏହାର ପରଦିନ ଅର୍ଥାତ ନଭେମ୍ୱର ୫ରେ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଗୁଡ଼ିକ ଦିଲ୍ଲୀ ରାସ୍ତାରେ ଗଡ଼ିବ। ଏହାପରେ ଦିନେ ଛଡ଼ା ଦିନେ ଯୁଗ୍ମ ଓ ଅଯୁଗ୍ମ ନମ୍ବର ଗାଡ଼ି ଗଡ଼ିବ।

ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, “ଦେଶର ଏକମାତ୍ର ରାଜ୍ୟ ଦିଲ୍ଲୀ, ଯେଉଁଠାରେ କିଛି ବର୍ଷ ହେଲାଣି ପ୍ରଦୂଷଣଙ୍କୁ ନିୟନ୍ତ୍ରଣ କରାଯାଇ ପାରୁଛି। ପଞ୍ଜାବ ଓ ଦିଲ୍ଲୀ ସରକାର ମିଳିତ ଭାବେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କାର୍ଯ୍ୟ କରିବେ। ନଭେମ୍ବର ମାସରେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ଜଳା ହେବାରୁ ଦିଲ୍ଲୀ ଗ୍ୟାସ ଚ୍ୟାମ୍ବରରେ ପରିଣତ ହେଉଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ଆମକୁ ଉଦ୍ୟମ କରିବାକୁ ପଡ଼ିବ। ଲୋକମାନେ ମଧ୍ୟ ଚାହିଁଲେ ସେମାନଙ୍କ ପ୍ରସ୍ତାବ ଦେଇପାରିବେ। ବର୍ତ୍ତମାନ ସୁଦ୍ଧା ୧୨ଶହଟି ପ୍ରସ୍ତାବ ଆସିଛି। ଆମେ ଏ ସମ୍ପର୍କରେ ବିଶେଷଜ୍ଞମାନଙ୍କ ଠାରୁ ପରାମର୍ଶ ନେବୁ।” କେଜ୍ରିୱାଲ ଦିପାବଳୀରେ ବାଣ ନ ଫୁଟାଇବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି।

By amfnews

Related Post