Mon. Nov 25th, 2024

ଦିବ୍ୟାଙ୍ଗ ହୋଇ ଆଖିରେ ପୁଳାଏ ସ୍ୱପ୍ନ। ଜାତୀୟ ଭଲିବଲ ଦଳରେ ଖେଳିବି -କମଳା

By amfnews Nov 25, 2018 #Featured
113 Views

କାହିଁ କେଉଁ ଦ୍ୱାପର ଯୁଗରୁ ସ୍ୱଂୟ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ରଚିତ ଭାଗବତ ଭଳି ପୁରାଣରେ ” ମୂକଂ କରୋତି ବାଚାଳାଂ ପଙ୍ଗୁ ଲଘଂୟତେ ଗିରି ” ଉକ୍ତିଟି ପ୍ରାୟ ସମସ୍ତେ ପଢିଥିବେ।ତେବେ ହଜାର ହଜାର ବର୍ଷ ପୂର୍ବର ଏହି ସକାରାତ୍ମକ ଉକ୍ତିଟି ଆଜି ମଧ୍ୟ ଲୋକ ମାନଙ୍କୁ ପ୍ରେରଣା ଦେଇ ଆସୁଛି।
ଜଣେ କୋୟା ଝିଅ କମଳା କାରାମ,ବୟସ ପାଖାପାଖି 12 ବର୍ଷ ହେବ। ବାମ ହାତଟି ନଥିବା ସତ୍ତ୍ଵେ ମାଲକାନଗିରି ଜିଲ୍ଲା କ୍ରିଡା ଛାତ୍ରାବାସରେ ରହି ଭଲିବଲ ଖେଳିବା ପାଇଁ ଶିକ୍ଷା ନେଉଛନ୍ତି।ସେହି ଆଦିବାସୀ ଝିଅଟିର ଆଖିରେ ଅସରନ୍ତି ସ୍ୱପ୍ନ,ରାଜ୍ୟ ଓ ଜିଲ୍ଲା ପାଇଁ କିଛି କରିବା ପାଇଁ ଇଛା ରଖିଛି ଝିଅଟି। ତାର ସ୍ୱପ୍ନକୁ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ହାତ ବଢାଇଛି।
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଓବାଦୀ ପ୍ରବଣ କାଲିମେଳା ବ୍ଲକ ଅନ୍ତର୍ଗତ ଟିନରାଜପାଲି ଗ୍ରାମର ବାପା ସିଙ୍ଗା କାରାମ ଓ ମାଆ ଯୋଗୀ କାରାମଙ୍କ ଝିଅ କମଳା କାରାମ ଛୁଆଟି ଦିନରୁ ଖେଳକୁଦ ପ୍ରତି ରୁଚି ରଖିଛନ୍ତି।ସ୍କୁଲ ଯିବା ସମୟ ଛାଡି ବାକି ସମୟରେ ସାଙ୍ଗ ମାନଙ୍କ ସହ ଖେଳକୁଦ ମାତିଥାଏ।
୨୦୧୫ ମସିହାରେ କମଳା ୫ମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ଏକ ଗଛ ଉପରୁ ତଳକୁ ଖସି ପଡ଼ିବାରୁ ତାର ବାମ ହାତଟା ଭାଙ୍ଗି ଯାଇଥିଲା। ତାରବାପା ମାଆ ଭଙ୍ଗା ହାତକୁ ଡାକ୍ତରଖାନାରେ ଚିକିତ୍ସା ନ କରି ଗାଁ ଦିଶାରି(ଗୁଣିଆ) ପାଖକୁ ନେଇ ଝଡାଫୁଙ୍କା କରିଥିଲେ।ଫଳରେ କମଳର ହାତଟା ପାଚି ସଢିଯାଇଥିଲା।ଶେଷରେ ଡାକ୍ତରଖାନାକୁ ଆଣିଲା ବେଳକୁ ହାତର ସବୁ ଶିରା ପ୍ରଶିର ନଷ୍ଟ ହୋଇଯାଇ ଥିବାରୁ ଡାକ୍ତର ହାତଟାକୁ କାଟି ଦେଇଥିଲେ।
ବାପା ଚାଷ କାମ କରୁଥିବା ବେଳେ ମାଆ ଗୃହିଣୀ। ଗରିବ କୋୟା ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିବା କମଳର ଉଚ୍ଚ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିବିରୁ ବାପା ମାଆ ତାକୁ ଏକ ଆଶ୍ରମ ସ୍କୁଲରେ ଭର୍ତ୍ତି କରି ଦେଇଥିଲେ।କମଳା ମଧ୍ୟ ଘରର ପରିସ୍ଥିତି ବୁଝି ଆଶ୍ରମ ସ୍କୁଲରେ ରହିଥିଲା।
ଏବେ କମଳା କାଲିମେଳା ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲା।ସ୍କୁଲ ଯିବା ସହ ପ୍ରତି ଦିନ  ଭଲିବଲ ଖେଳିଥାଏ। ଦିନେ କମଳା ସ୍କୁଲ ପରିସର ମଧ୍ୟରେ ଖେଳୁଥିବା ବେଳେ ସ୍କୁଲକୁ ଜିଲ୍ଲା କ୍ରିଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ ଆସିଥାନ୍ତି।ତାର ଭଲିବଲ ଖେଳିବା ରୁଚିକୁ ଦେଖି କ୍ରିଡା ଅଧିକାରୀ କମଳାକୁ ପଚାରିଥିଲେ କି କ୍ରିଡା ଛାତ୍ରାବାସରେ ରହି ଭଲିବଲ ଖେଳିବା ପାଇଁ ଟ୍ରେନିଂ ନବୁକି, କମଳା ହଁ କରିବାରୁ ଶ୍ରୀ ବଢାଇ ତାକୁ ସାଙ୍ଗରେ ନେଇ ଆସିଥିଲେ।ସେବେଠାରୁ କମଳା ଛାତ୍ରାବାସରେ ରହି ଟ୍ରେନିଂ ନେଉଛି।
ଭଲିବଲ ଖେଳିବିକୁ ମୋତେ ଭଲ ଲାଗେ।ମୁଁ ନିଜକୁ ଏକ ଭଲ ଖେଳାଳି ଭାବେ ଗଢିବାକୁ ଚାହେଁ।ଭଲିବଲ ଖେଳି ଆମ ଦେଶ,ରାଜ୍ୟ ଓ ଜିଲ୍ଲା ସହ ଆମ ଜାତିର ମାନ ରଖିବି ବୋଲି କମଳା କାରାମ କହିଛନ୍ତି।
ସେହିପରି ଜିଲ୍ଲା କ୍ରିଡା ଅଧିକାରୀ କମଳା କାରାମକୁ ଭଲିବଲ ଖେଳିବା ଟ୍ରେନିଂ ଦଉଛନ୍ତି।ଆଗାମୀ ଦିନରେ ଜିଲ୍ଲା ମୁଖ୍ୟ ତଥା ରାଜ୍ୟ ସରକାର ତରଫରୁ ସାହାଯ୍ୟ ମିଳିଲେ ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଅନେକ ପ୍ରତିଭାବାନ ଖେଳାଳି ବାହାରି ପାରିବେ। ଶିରିଶା କାରାମି ଯେମିତି ଜାତୀୟ ସ୍ତରରେ ଖେଳି ମାଲକାନଗିରି ଜିଲ୍ଲାକୁ ଗୌରବ ଆଣି ଦେଇଛନ୍ତି।ସେହିଭଳି ଏହି ଜିଲ୍ଲାରେ ଅନେକ ସମ୍ଭାବନା ରହିଛି ବୋଲି କ୍ରିଡା ଅଧିକାରୀ ଜ୍ଞାନେନ୍ଦ୍ର ବଢାଇ କହିଛନ୍ତି।

By amfnews

Related Post