ଭୁବନେଶ୍ବର: ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିଧାନସଭାରେ ବିଜେପି ସଦସ୍ୟଙ୍କ ହୋହଲ୍ଲା ପାଇଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତେବେ ଆଜି ଗୃହରେ ବାଚସ୍ପତି କହିବାକୁ ସୁଯୋଗ ଦେଉ ନଥିବା ବିରୋଧୀ ବିଜେପି ଅଭିଯୋଗ କରିଛି । ବିଜେପି ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବାରୁ ସେମାନେ ଗୃହରେ ହୋହଲ୍ଲା, ନାରାବାଜି କରିଥିଲେ । ଏହି ହଟ୍ଟଗୋଳ ଓ ହଙ୍ଗାମା ପରେ ଆସନ୍ତାକାଲି ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ଆଜି ଗୃହରେ ପୁଣି ଉଠିଥିଲା ନାଉଗାଁ ପ୍ରସଙ୍ଗ । ଦଳିତ ଯୁବତୀଙ୍କ ଦୁଷ୍କର୍ମ ଓ ଆତ୍ମହତ୍ୟା ପ୍ରସଙ୍ଗରେ କାଲି ବିରୋଧୀ ସରକାରଙ୍କୁ ଘେରିଥିଲେ । ବାଚସ୍ପତି ଉକ୍ତ ପ୍ରସଙ୍ଗରେ ଉତ୍ତର ରଖିବାକୁ ରୁଲିଂ ଦେଇଥିଲେ ଆଉ ଆଜି ନାଉଗାଁ ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରିବା ସହ ଅଶ୍ଳୀଳ ଫଟୋ ମଧ୍ୟ ଜବତ କରାଯାଇଛି । ତେବେ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ଏବେ ବି ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ ବିବୃତି ରଖିଛନ୍ତି । ତା’ସହ ପୀଡିତାଙ୍କ ପରିବାରକୁ ଲକ୍ଷେ ଟଙ୍କାର କ୍ଷତିପୂରଣ ଦିଆଯାଇଥିବା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।