Wed. Nov 20th, 2024

ତେଲ ଦରରେ ତାତିଲା ଗୃହ, ଶିକ୍ଷକ ସମସ୍ୟା ଉଠାଇଲା କଂଗ୍ରେସ, ଗୃହ ଅଚଳ

By amfnews Sep 7, 2018 #Featured
109 Views

ଭୁବନେଶ୍ୱର, ସେପ୍ଟେମ୍ବର ୦୭ :

ରାଜ୍ୟରେ ତୈଳ ଦର ବୃଦ୍ଧି ଓ ଶିକ୍ଷକ ସମସ୍ୟା ବଡ଼ ପ୍ରସଙ୍ଗ ହୋଇ ଠିଆ ହୋଇଛି । ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଆଜିଠାରୁ ତିନି ଦିନ ବ୍ୟାପି ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସେପଟେ ଗୃହରେ ମଧ୍ୟ ତେଲ ତାତି ଦେଖିବାକୁ ମିଳିଛି । ଶାସକ ଦଳର ସଦସ୍ୟ ମାନେ ଗୃହରେ କେନ୍ଦ୍ର ବିରୋଧରେ ନାରାବାଜି କରୁଥିବା ବେଳେ କଂଗ୍ରେସ ମଧ୍ୟ ଶିକ୍ଷକଙ୍କ ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରିଛି । ଫଳରେ ଗୃହ ଚଳାଇବା କଷ୍ଟକର ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଦୀର୍ଘ ଚାରି ଦିନ ଧରି ଆରମ୍ଭରୁ ହିଁ ବିଭିନ୍ନ ପ୍ରସଙ୍ଗ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆଜି ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ତେଲ ଦର ତାତିରେ ଗରମ ହୋଇଛି ମୌସୁମୀ ଅଧିବେଶନର ପ୍ରଶ୍ନୋତ୍ତରକାଳ । ଆରମ୍ଭରୁ ଶାସକ ଦଳ ଅହେତୁକ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କେନ୍ଦ୍ର ବିରୁଦ୍ଧରେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ପୋଡିୟମ୍‌ ନିକଟକୁ ଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଅଧିବେଶନର ଚତୁର୍ଥ ଦିନରେ ସମାନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିଛି । ଏହା ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଆଗତ କରିଛି । ବାଚସ୍ପତି ଶିକ୍ଷକଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ । କିନ୍ତୁ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହୋ ହାଲ୍ଲା କରିଥିଲେ । ଶାସକ ଓ ବିରୋଧୀ ସଦସ୍ୟଙ୍କ ଗର୍ଜନରେ ଗୃହ ଏକ ପ୍ରକାର ଅଚଳ ହୋଇପଡ଼ିଥିଲା  । ଫଳରେ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ସେପଟେ ବିଜେଡ଼ି ବିଧାୟକମାନେ ମୁଲତବୀ ପରେ ଏକ ଶୋଭାଯାତ୍ରାରେ ବାହାରିଛନ୍ତି । ବିଧାନସଭାରୁ ରାମ ମନ୍ଦିର ନିକଟରେ ଥିବା ପେଟ୍ରୋଲ ପମ୍ପ ଅଭିମୁଖେ ଯାଇଛନ୍ତି ।

ବିଜେଡ଼ି ସରକାରର ଏଭଳି ଆଚରଣକୁ ମାନସିକ ଦେବାଳିୟା ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪-୧୮ ମଧ୍ୟରେ ପେଟ୍ରୋଲ ପ୍ରଡ଼କ୍ଟ ବିକି ଓଡ଼ିଶା ସରକାର ଦେଶରେ ସର୍ବାଧିକ ଟଙ୍କା ଏକାଠି କରିଛନ୍ତି । କିନ୍ତୁ ନବୀନ ସରକାର ‘ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି’ ଭଳି ଆଚାରଣ କରୁଛନ୍ତି ବୋଲି ସେ କହିଛନ୍ତି ।

By amfnews

Related Post