କାଇରୋ, ନଭେମ୍ବର ୦୩: ମିସରର ରାଜଧାନୀ କାଇରୋ ନିକଟରେ ଏକ ତୀର୍ଥଯାତ୍ରୀ ବସ ଉପରକୁ ଶୁକ୍ରବାର ଜଣେ ବନ୍ଧୁକଧାରୀ ଆକ୍ରମଣ କରିଛି । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖ୍ରୀଷ୍ଟିଆନ ତୀର୍ଥଯାତ୍ରୀ ଏକ ବସରେ ଯାତ୍ରା କରୁଥିବା ବେଳେ ଆକ୍ରମଣ ହୋଇଥିଲା ବୋଲି ଇଣ୍ଟରିୟର ମନ୍ତ୍ରାଳୟ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛି ।
କପଟିକ ଅର୍ଥୋଡକ୍ସ ଚର୍ଚ୍ଚ ମୁଖପାତ୍ର ବୋଲୁସ ହାଲିମ କହିଛନ୍ତି, ମୃତକ ସଂଖ୍ୟା ବଢ଼ିପାରେ । ସେ କହିଛନ୍ତି, ମିନ୍ୟା ରାଜ୍ୟରେ ଏହି ଆକ୍ରମଣ ହୋଇଛି । ବେସରକାରୀ ସୂତ୍ର ଅନୁସାରେ ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି କିନ୍ତୁ ଏହା ସ୍ପଷ୍ଟ ନୁହେଁ । ଘଟଣା ପାଇଁ କୌଣସି ଆତଙ୍କବାଦୀ ସମୂହ ନିଜକୁ ଦାୟୀ କରି ନାହାନ୍ତି । ତୀର୍ଥଯାତ୍ରୀଙ୍କୁ ଟାର୍ଗେଟ କରି ଶୁକ୍ରବାର ଆକ୍ରମଣ ହୋଇଛି । ପୂର୍ବରୁ ୨୦୧୭ ମେ’ ମାସରେ ଆକ୍ରମଣ ହୋଇଥିଲେ, ଯେଉଁଥିରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା ।