Wed. Dec 25th, 2024

ତିନି ଦିନ ପରେ ସାରା ରାଜ୍ୟରେ ଶୀତ ବଢ଼ିବ

By amfnews Dec 1, 2019 #Featured
107 Views

ଭୁବନେଶ୍ବର : ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୧୮ ଡିଗ୍ରି ତଳେ ଥିଲେ ହେଁ ଶୀତ ଅନୁଭୂତ ହେଉନି। କିନ୍ତୁ ତିନିଦିନ ପରେ ରାଜ୍ୟରେ ଶୀତ ବଢ଼ିବ। ପାରଦ ଦୁଇରୁ ତିନି ଡିଗ୍ରି ପର୍ଯ୍ୟନ୍ତ ଖସିବ। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ପାରଦ ୧୦ରୁ ୧୨ଡିଗ୍ରି ମଧ୍ୟରେ ରହିବ। ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ପାରଦ ୭ରୁ ୮ଡିଗ୍ରିକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ। ପାଗ ଶୁଖିଲା ରହୁଛି। ଉତ୍ତର ଭାରତରୁ ଥଣ୍ଡା ପବନ ବହିବା କମିଛି। କିନ୍ତୁ କିଛି ସ୍ଥାନରେ ତୁଷାରପାତ ଆରମ୍ଭ ହୋଇଯାଇଥିବାରୁ ଓଡ଼ିଶାରେ ଦୁଇ ତିନି ଦିନ ପରେ ଥଣ୍ଡା ଅନୁଭୂତ ହେବ। ରାତିରେ ସର୍ବନିମ୍ନ ତାପମାତ୍ରା କମିବ। ବିଶେଷ କରି ବିଳମ୍ବିତ ରାତିରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ପାରଦ ୧୫ଡିଗ୍ରି ତଳକୁ ଖସିବାର ସମ୍ଭାବନା ଅଛି। ତେଣୁ ଡିସେମ୍ବର ପ୍ରଥମ ସପ୍ତାହରୁ ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଉପକୂଳ ଓଡ଼ିଶା‌ର ପୁରୀ, ଗୋପାଳପୁର ଓ ପାରାଦୀପରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରି ଉପରେ ଥିଲେ ହେଁ ଅନୁଗୁଳରେ ୧୪ଡିଗ୍ରି, କେନ୍ଦୁଝରରେ ୧୫ଡିଗ୍ରି, କୋରାପୁଟରେ ୧୫.୪ଡିଗ୍ରି, ସୁନ୍ଦରଗଡ଼ରେ ୧୨ଡିଗ୍ରି, ଫୁଲବାଣୀରେ ୧୦.୮ଡିଗ୍ରି, ଫୁଲବାଣୀରେ ୧୦.୫ଡିଗ୍ରି, ଟିଟିଲାଗଡ଼ରେ ୧୪.୧ଡିଗ୍ରି, ଦାରିଙ୍ଗବାଡ଼ିରେ ୧୧ଡିଗ୍ରି ରେକର୍ଡ ହୋଇଛି। ସେହିପରି ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୯.୫ଡିଗ୍ରି ଓ କଟକରେ ୧୮ ଡିଗ୍ରି ରେକର୍ଡ ହୋଇଛି। ଅପରପକ୍ଷେ ସାରା ରାଜ୍ୟରେ ପାଗ ଶୁଖିଲା ଥିଲେ ହେଁ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟରେ କୁହୁଡ଼ି ପଡ଼ିବ।

By amfnews

Related Post