Sat. Mar 7th, 2026

ତାଲା ମାରି ଲକ୍ଷେ ଟଙ୍କା,୧୦ ଭରି ସୁନା ଲୁଟ୍‌

214 Views

ଯୋଡ଼ା, ଡିସେମ୍ବର ୩୧ : ଯୋଡ଼ା ଥାନାରୁ ମାତ୍ର ଶହେ ମିଟର ଦୂରରେ ଥିବା ବନେଇକଳାର ଏକ ଘରେ ପଶି ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଘରେ ଶୋଇଥିବା ଜଣେ ଯୁବକଙ୍କୁ ବାହାରପଟୁ ତାଲା ମାରି ୧ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଯୋଡ଼ା ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ କଟି ମହାନ୍ତି ଓ ତାଙ୍କ ପରିବାର ମେଡିକାଲ କାମରେ ଭୁବନେଶ୍ବର ଯାଇଥିଲେ। ଘରେ କେବଳ ସାନପୁଅ ଅକ୍ଷୟ ଥିଲେ। ଗତକାଲି ବିଳମ୍ବିତ ରାତିରେ ଅକ୍ଷୟ ଶୋଇଥିବା ଘରର ଆଗ ଓ ପଛପଟ କବାଟରେ ତାଲା ମାରି ଦୁର୍ବୃତ୍ତମାନେ ଅନ୍ୟ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ। ଘରେ ଥିବା ଆଲମିରା ଭାଙ୍ଗି ସେଥିରୁ ୧ ଲକ୍ଷ ଟଙ୍କା, ସୁନା ହାର ୩ଟି, ଚେନ୍‌ ୨ଟି, ମୁଦି ୧୨ଟି, କାନଫୁଲ ୧୧ଟି, ଚୁଡ଼ି ୬ ପଟ, ଗୋଟିଏ ବଳା, ପଲା ୪ ପଟ, ନାକଫୁଲ ୪ଟି ଓ ୪ ହଳ ରୁପା ପାଉଁଜି ଲୁଟି ନେଇଛନ୍ତି। ଅକ୍ଷୟ ସକାଳୁ ଉଠି କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ମଧ୍ୟ କବାଟ ଖୋଲି ନଥିଲା। ଏ ସମ୍ପର୍କରେ ପଡ଼ୋଶୀଙ୍କୁ ଫୋନ୍‌ରେ ଜଣାଇବା ପରେ ସେମାନେ ଆସି କବାଟ ଖୋଲିଥିଲେ। ଅନ୍ୟ ଘର ଗୁଡ଼ିକର ତାଲା ଭଙ୍ଗା ଯାଇଥିବା ବେଳେ ଘରୁ ଚୋରି ହୋଇଥିବା ଜାଣି ସେ ଥାନାରେ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ କରୁଛି।

By amfnews

Related Post