Sun. Mar 8th, 2026

ତହସିଲଦାରଙ୍କୁ ତାଲା ପକାଇଲେ ବିଧାୟକଙ୍କ ସମର୍ଥକ

242 Views

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି କୋର୍ଟ ପରିସରରେ ଥିବା ମୋହରିରଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଛି। ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ ଅନଶନରୁ ଉଠିବେ ନାହିଁ ବୋଲି ବିଧାୟକ ସୁକାନ୍ତ ନାୟକ ଜିଦ୍ ଧରିଥିବା ବେଳେ ଅନ୍ୟପକ୍ଷରେ ତାଙ୍କର କିଛି ସମର୍ଥକ ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ନୀଳଗିରି ଉପଜିଲ୍ଲାପାଳ ଘଟଣାର ସମାଧାନ ଲାଗି ବିଧାୟକଙ୍କ ସହ ଆଲୋଚନା ଜାରି ରଖିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ଏହି ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ନୀଳଗିରି କୋର୍ଟ ପରିସରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏହାବ୍ୟତୀତ ମେଡିକାଲ ଟିମ୍‌ ପହଞ୍ଚି ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ନିର୍ଦ୍ଦେଶକ୍ରମେ ନୀଳଗିରି କଚେରୀ ପରିସରରେ ଥିବା ମୋହରିରଙ୍କ ଚାଳିଆକୁ ଜେସିବି ସାହାଯ୍ୟରେ ଭଙ୍ଗା ଯାଉଥିଲା। ଖବର ପାଇ ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ପହଞ୍ଚି ଘଟଣା ସମ୍ପର୍କରେ ପଚାରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରଠୁ ବିଧାୟକ ଅନଶନରେ ବସିଛନ୍ତି। ତହସିଲଦାରଙ୍କ ଦୁର୍ବ୍ୟବହାର କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ମୋହରିର ତୃପ୍ତି ସ୍ୱାଇଁ କହିଛନ୍ତି, “ତହସିଲଦାର ଓ ଅତିରିକ୍ତ ତହସିଲଦାର ଆକ୍ରୋଶମୂଳକ ଭାବେ ଆମକୁ ସେଠାରୁ ଉଠାଇ ଦେବାକୁ ଚାହୁଁଛନ୍ତି। ବାରମ୍ବାର ଦଲାଲ କହି ଆମକୁ ବେଇଜ୍ଜତ କରୁଛନ୍ତି। ଏହା ଆମ ରୋଜଗାରର ପନ୍ଥା ହୋଇଥିବାରୁ ଆମେ ଏଠାରେ ବସିଛୁ। କିନ୍ତୁ ସେମାନଙ୍କ ସ୍ୱାର୍ଥରେ ଆଞ୍ଚ ଆସୁଥିବାରୁ ସେମାନେ ଆମକୁ ଉଠାଇ ଦେବାକୁ ଚାହୁଁଛନ୍ତି। ଆମେ ତୁରନ୍ତ ଉକ୍ତ ଦୁଇ ଅଧିକାରୀଙ୍କ ବଦଳି ଦାବି କରୁଛୁ।”

By amfnews

Related Post