Sun. Mar 8th, 2026

ଢେଙ୍କାନାଳ ସହର ଉପକଣ୍ଠରେ ହାତୀ ଆକ୍ରମଣ ଯୋଗୁଁ ତିନି ଜଣ ଆହତ

326 Views

ଢେଙ୍କାନାଳ: ଗୁରୁବାର ସକାଳେ ଢେଙ୍କାନାଳ ସହର ଉପକଣ୍ଠରେ ଗୋଟାଏ ବଣୁଆ ଦନ୍ତାହାତୀ ଆକ୍ରମଣ କରିବାରୁ ଅନ୍ୟୂନ ତିନି ଜଣ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସକାଳ ସାଢ଼େ ଛଅଟା ପରେ ସହର ବାହାରେ ପାଣିଓହଳା ପାହାଡ଼ର ତଳେ ଥିବା କୋରିଅାଁ ହରିଜନ ସାହିର ୨୫ ବର୍ଷିୟ ଅଭୟ ମଲ୍ଲିକ ତାଙ୍କ ଝିଅ ସୁପ୍ରିୟା ଭାଲ୍ଲିଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ନେଉଥିବା ବେଳେ ଉକ୍ତ ଦନ୍ତାହାତୀ ଥୋଡ଼ପାହାଡ଼ ଯୋଗେ ଦୁହିଁଙ୍କୁ ଉଠାଇ ନେଇ ତଳେ କଚାଡ଼ି ଦେଇ ଚାଲି ଯାଇଥିଲା। ସାଙ୍ଘାତିକ ଅବସ୍ଥାରେ ବାପଝିଅଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ପରେ ପରେ ଦନ୍ତା ନିକଟରେ ଥିବା କେନାଲକୁ ଗାଧୋଇବା ପାଇଁ ଯାଇଥିବା ଶ୍ରୀଧର ନାୟକ ନାମକ ଜଣେ ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ଗୋଡ଼ରେ ଦଳି ଦେବାରୁ ତାଙ୍କର ଅନ୍ତଃବୁଜୁଳା ବାହାରି ପଡ଼ିଥିଲା।ନୟାଗଡ଼ ଅଞ୍ଚଳର ଶ୍ରୀଧର ଆଖୁ ଟ୍ରକ୍‌ ନେଇ ନିକଟସ୍ଥ ଶକ୍ତିସୁଗାରକୁ ଆସିଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ଶ୍ରୀଧରଙ୍କୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦନ୍ତାହାତୀର ଗତିବିଧି ଲକ୍ଷ କରିବାକୁ ଏବଂ ତାକୁ ସହର ମଧ୍ୟକୁ ନ ଛାଡ଼ିବାକୁ ଦକ୍ଷିଣକାଳୀ, ହାଟ ରୋଡ୍‌ ଏବଂ କୋରିଅାଁ ଠାରେ ଥିବା ସହରର ପ୍ରବେଶ ପଥରେ ବନ ବିଭାଗ କର୍ମଚାରୀମାନେ ଜଗି ରହିଛନ୍ତି। ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟ ସେମାନଙ୍କୁ ସହଯୋଗ କରୁଛନ୍ତି।

By amfnews

Related Post