Wed. Mar 11th, 2026

ଡଙ୍ଗାରେ ଛାତ୍ରଛାତ୍ରୀଙ୍କ ବିପଜ୍ଜନକ ଯାତ୍ରା ଘଟଣା, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶ

172 Views

ଦେବଗଡ଼ : ରେଙ୍ଗାଲି ଜଳଭଣ୍ଡାର ଦେଇ ଦଦରା ମାଛଧରା ଡଙ୍ଗାରେ ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଯିବା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ। ରିଆମାଳ ବ୍ଲକ୍‌ ବିଡିଓ ଓ ଜିଲ୍ଲାଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରିବେ। ଜିଲ୍ଲାପାଳ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ସରକାରଙ୍କ ପକ୍ଷରୁ ଯେତିକି ସୁବିଧା କରାଯାଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।

ଉଲ୍ଲେଖଯୋଗ୍ୟ, ରିଆମାଳ ବ୍ଲକ୍‌ ଖିଲେଇ ପଞ୍ଚାୟତ ଖଇରପାଲି ଗ୍ରାମରେ ୨୦ ଧୀବର ପରିବାର ବାସ କରନ୍ତି। ରେଙ୍ଗାଲି ଜଳଭଣ୍ଡାର ନିକଟରେ ବାସ କରୁଥିବା ଏହି ଗାଁର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ୧୫ ଛାତ୍ରଛାତ୍ରୀ ସିଆରମାଳିଆ ଗ୍ରାମ ସ୍କୁଲ୍‌ରେ ପାଠ ପଢ଼ନ୍ତି। ତେବେ ଏହି ସ୍କୁଲ୍‌କୁ ଯାତାୟାତ କରିବାକୁ ସଡ଼କ ପଥ ଥିଲେ ମଧ୍ୟ ଏହାର ଦୂରତା ଗାଁଠାରୁ ୬ କିଲୋମିଟର ଦୂର। ଏହି ଦୂରତାକୁ ଅତିକ୍ରମ କରି ସ୍କୁଲରେ ପାଠ ପଢ଼ିବା ପିଲାମାନଙ୍କ ପକ୍ଷେ ସହଜ ହେଉ ନଥିବାରୁ ସେମାନେ ଜଳପଥକୁ ବାଛି ନେଇଛନ୍ତି। ବିପଜ୍ଜନକ ହୋଇଥିଲେ ମଧ୍ୟ ସବୁଦିନ ମାଛଧରା ଡଙ୍ଗାରେ ସ୍କୁଲ୍‌ ଯାଉଛନ୍ତି, ତାହା ପୁଣି ଜଳଭଣ୍ଡାର ଦେଇ। ତେବେ ପିଲାମାନଙ୍କ ସୁବିଧା ଦୃଷ୍ଟିରୁ ଗାଁରେ ଏକ ସ୍କୁଲ୍‌ କରିବାକୁ ଦାବି କରାଯାଇଥିଲା। ମାତ୍ର ତାହା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ। ଏ ସଂପର୍କରେ ‘ସମ୍ବାଦ’ର ୧୪ ତାରିଖ ସଂସ୍କରଣରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତନାଘନା କରି ଏଭଳି ତଦନ୍ତ ନିର୍ଦେଶ ଦେଇଛନ୍ତି।

By amfnews

Related Post