Wed. Nov 6th, 2024

ଟ୍ରମ୍ପଙ୍କ କଶ୍ମୀର ବୟାନ ପାଇଁ ସଂସଦ ହୁଲସ୍ତୁଲ, ମତ ରଖିଲେ ବୈଦେଶିକ ମନ୍ତ୍ରୀ

By amfnews Jul 23, 2019 #Featured
81 Views

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିବେଦନ କରିଥିବା ବୟାନ ପରେ ଭାରତରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଟ୍ରମ୍ପଙ୍କ ଏଭଳି ମଧ୍ୟସ୍ଥତା ବୟାନ ଉପରେ ସ୍ପଷ୍ଟୀକରଣ ଦେବାକୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି।

ରାଜ୍ୟଭସାରେ ସିପିଆଇ ପକ୍ଷରୁ ଏ ପ୍ରସଙ୍ଗରେ ସରକାର ମତ ରଖନ୍ତୁ ବୋଲି ଦାବି କରି ଏକ ନୋଟିସ୍‌ ଦିଆଯାଇଥିଲା। ସେହିପରି ଲୋକସଭାରେ କଂଗ୍ରେସ ମଧ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରି ନୋଟିସ୍‌ ଦେଇଛି।

ବିବାଦ ତୀବ୍ର ହେବାରୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ରାଜ୍ୟସଭାରେ ସରକାରଙ୍କ ପକ୍ଷ ରଖିଥିଲେ। ସେ କହିଥିଲେ, “ଟ୍ରମ୍ପଙ୍କ ବୟାନରେ ଆଦୌ ସତ୍ୟତା ନାହିଁ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତର ପ୍ରଧାନମନ୍ତ୍ରୀ କେବେ ହେଲେ ଏଭଳି ନିବେଦନ କରିନାହାନ୍ତି।

କଶ୍ମୀର ହେଉଛି ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଭାରତ ସର୍ବଦା ଏହି ପ୍ରସଙ୍ଗରେ ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଚାହୁଁଛି। ତେବେ ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ କଲେ ଯାଇ ହିଁ ଆଲୋଚନା ହେବ। ଶିମଲା ଚୁକ୍ତି ଓ ଲାହୋର ଘୋଷଣାପତ୍ର ଅନୁଯାୟୀ, ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମସ୍ୟା କେବଳ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ହିଁ ସମ୍ଭବ। ତେଣୁ ଟ୍ରମ୍ପଙ୍କ କଥାରେ କୌଣସି ସତ୍ୟତା ନାହିଁ। କଶ୍ମୀର ପ୍ରସଙ୍ଗରେ ଭାରତ ପୂର୍ବରୁ ହିଁ ତୃତୀୟ ପକ୍ଷର ହସ୍ତକ୍ଷେପକୁ ବିରୋଧ କରି ଆସିଛି।”

ତେବେ ଜୟଶଙ୍କରଙ୍କ ଏଭଳି ବୟାନ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରି ନାରାବାଜି କରିଥିଲେ। ବିରୋଧୀଙ୍କ ଏଭଳି ଆଚରଣ ଦେଖି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, “ଏହା ଏକ ଜାତୀୟ ପ୍ରସଙ୍ଗ। ଦେଶର ଏକତା, ଅଖଣ୍ଡତା ଓ ଜାତୀୟ ସ୍ୱାର୍ଥ ଏଥିରେ ଜଡ଼ିତବ।

ତେଣୁ ଆମକୁ ଏକାଠି ହେବାକୁ ପଡ଼ିବ। ବିରୋଧୀ ଦଳଗୁଡ଼ିକ ଭାରତର ବୈଦେଶିକ ମନ୍ତ୍ରୀଙ୍କ ଅପେକ୍ଷା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନକୁ ବେଶୀ ବିଶ୍ୱାସ କରୁଛନ୍ତି କି? ଏହା ବାହାରକୁ ଏକ ଭୁଲ ସଙ୍କେତ ଦେଉଛି।” ଏହାସତ୍ତ୍ୱେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ହୋ-ହଲ୍ଲା କରିଥିଲେ।

By amfnews

Related Post