ତେଲ କଂପାନିର ଟ୍ୟାଙ୍କର୍ ଓ ପାଇପ୍ଲାଇନ୍ରେ ତେଲ ରହୁଥିବା ବେଳେ ଆମଦାନି ହେଉଥିବା ଜାହଜରେ ମଧ୍ୟ ତେଲ ରହୁଛି। ଏସବୁ ତେଲକୁ କଂପାନିଗୁଡ଼ିକ ଏଭଳି ଭାବେ ପରିଚାଳନା କରିବେ ଯଦ୍ୱାରା ମାସିକ ତେଲ ଆମଦାନି ପରିମାଣ କମ୍ ହୋଇପାରିବ। ଇଣ୍ଡିଆନ୍ ଅଏଲ୍ର ମୁଖ୍ୟ ସଞ୍ଜୀବ ସିଂହ ଏହି ସୂଚନା ଦେଇଛନ୍ତି। ଭାରତ ପାଇଁ ଦୁଇ ପ୍ରକାର ବଡ଼ ସମସ୍ୟା ଦେଖାଦେଇଛି। ବିଗତ ପାଞ୍ଚ ସପ୍ତାହ ଭିତରେ ଅଶୋଧିତ ତେଲର ବ୍ୟାରେଲ୍ ପିଛା ଦର ୭୧ ଡଲାରରୁ ବୃଦ୍ଧି ପାଇ ୮୦ ଡଲାର ହୋଇଗଲାଣି। ସେହି ସମୟରେ ଡଲାର ମୂଲ୍ୟ ସୁଦୃଢ଼ ହୋଇଛି। ୧ ଡଲାର ମୂଲ୍ୟ ଏବେ ୭୨ ଟଙ୍କା ପାଖାପାଖି ସ୍ତରରେ ରହିଛି। ସେଥିପାଇଁ ତେଲ ଆମଦାନି ମହଙ୍ଗା ହୋଇଛି।
ଭାରତ ଏହାର ଆବଶ୍ୟକତାର ପ୍ରାୟ ୮୧% ତେଲ ଆମଦାନି କରୁଛି। ମହଙ୍ଗା ତେଲ ସଙ୍କଟ ସ୍ଥିତିର କିଭଳି ମୁକାବିଲା କରାଯିବ ସେ ଉପରେ ତେଲ କଂପାନିଗୁଡ଼ିକର ଅଧିକାରୀମାନେ ଗତ ଶୁକ୍ରବାର ମାନସମନ୍ଥନ କରିଥିଲେ। ଆମଦାନି କମ୍ କରିବା ପାଇଁ ଉଦ୍ୟମ କରିବାକୁ ସେହି ବୈଠକରେ ନିଷ୍ପତ୍ତି ହୋଇଥିଲା।
ଭାରତ ପକ୍ଷରୁ ଏସିଆନ୍ ପ୍ରିମିୟମ୍ ଦରରେ ତେଲ ଆମଦାନି କରାଯାଉଛି। ସାଧାରଣ ବଜାର ଦରଠାରୁ ଏହା ୪-୫ ଡଲାର ଅଧିକ ରହୁଛି। ଏସୀୟ ରାଷ୍ଟ୍ରଗୁଡ଼ିକୁ ତେଲ ବିକିବା ବେଳେ ତେଲ ଉତ୍ପାଦନକାରୀ ଦେଶଗୁଡ଼ିକ ଏହି ପ୍ରିମିୟମ୍ ଦର ଲାଗୁ କରିଥାନ୍ତି। ଗତବର୍ଷ ତୁଳନାରେ ତେଲ ଆମଦାନି ଖର୍ଚ ଦୁଇ ଗୁଣା ପାଖାପାଖି ବୃଦ୍ଧି ପାଇଛି। ୨୦୧୭ ଅଗଷ୍ଟରେ ୧୮ ନିୟୁତ ଟନ୍୍ ତେଲ ଆମଦାନି କରିବାକୁ ଭାରତ ୬୪୦ କୋଟି ଡଲାର ଖର୍ଚ କରିଥିଲା। ୨୦୧୮ ଅଗଷ୍ଟରେ ୧୮.୬ ନିୟୁତ ଟନ୍ ତେଲ କିଣିବାକୁ ୯୮୦ କୋଟି ଡଲାର ଖର୍ଚ କରିବାକୁ ପଡ଼ିଛି।
ଚୋରାଚାଲାଣ ଭୟ, ସୁନା ଶୁଳ୍କ ବଢ଼ିବନି
ନୂଆଦିଲ୍ଲୀ, ୨୪/୯: ଆମଦାନି ଓ ରପ୍ତାନି ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରିବା ନିମନ୍ତେ ଅଣ ଆବଶ୍ୟକ ସାମଗ୍ରୀଗୁଡ଼ିକର ଆମଦାନି ଉପରେ ଶୁଳ୍କ ବଢ଼ାଇବାକୁ ସରକାର ବିଚାର କରୁଛନ୍ତି। ମୂଲ୍ୟବାନ ପଥର, ଇସ୍ପାତ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଟିକସ ବଢ଼ିବ। ସୁନାର ଆମଦାନି ଶୁଳ୍କ ବଢ଼ିବ ନାହିଁ। ଶୁଳ୍କ ବଢ଼ିଲେ ସୁନାର ଚୋରାଚାଲାଣ ବଢ଼ିଯିବ ବୋଲି ସରକାର ଭାବୁଛନ୍ତି। ସେଥିପାଇଁ ଏହି ପଦକ୍ଷେପରୁ ସୁନାକୁ ବାଦ ଦେବା ଉପରେ ସରକାର ବିଚାର କରୁଛନ୍ତି। ଶେଷ ଥର ପାଇଁ ୨୦୧୩ରେ ସୁନାର ଆମଦାନି ଶୁଳ୍କ ବୃଦ୍ଧି କରାଯାଇଥିଲା। ଏହା ପରେ ସୁନାର ଚୋରାଚାଲାଣ ବହୁମାତ୍ରାରେ ବଢ଼ିଯାଇଥିଲା।
ଦେଶରେ ତେଲ ଓ ସୁନା ଆମଦାନିରେ ସର୍ବାଧିକ ବିଦେଶୀ ମୁଦ୍ରା ଖର୍ଚ କରାଯାଉଛି। ଦେଶରେ ସୁନାର ଉପଲବ୍ଧତା ବଢ଼ାଇବା ପାଇଁ ସରକାର ଭିନ୍ନ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଖୁବ୍ଶୀଘ୍ର ଏକ ସୁନା ଜମା ସ୍କିମ୍ ଘୋଷଣା କରାଯିବ। ଲୋକମାନଙ୍କ ପାଖରେ ଓ ମନ୍ଦିରରେ ଥିବା ସୁନାଗୁଡ଼ିକୁ ଲକ୍ଷ୍ୟରେ ରଖି ଏହି ସ୍କିମ୍ ପ୍ରସ୍ତୁତ କରାଯିବ। ଦେଶ ଭିତରେ ଅଧିକ ସୁନା ସଂଗ୍ରହ ହୋଇପାରିଲେ ଆପେ ସୁନାର ଆମଦାନି କମିଯିବ ବୋଲି ସରକାର ଭାବୁଛନ୍ତି।