Tue. Nov 5th, 2024

ଜେଲ୍ ଫେରନ୍ତାର ଜଘନ୍ୟ କାଣ୍ତ : ପୂର୍ବ ଶତ୍ରୁତାରୁ ବୋଲେରୋ ଚଢ଼ାଇ ମାରିଦେଲା

By amfnews Aug 4, 2019 #Featured
76 Views

ନୂଆଗାଁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜଣେ ଗ୍ୟାରେଜ୍ ମାଲିକ ଆଉ ଜଣେ ଗ୍ୟାରେଜ୍ ମାଲିକକୁ ରାଜରାସ୍ତା ଉପରେ ବୋଲେରୋ ଚଢ଼ାଇ ଅତି ନୃଶଂସ ଭାବେ ହତ୍ୟା କରିଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଗ୍ୟାରେଜ୍‌ ଭାଙ୍ଗି, ଘରେ ନିଆଁ ଲଗାଇ ଦେବା ସହିତ ଜାତୀୟ ରାଜପଥକୁ ୫ ଘଣ୍ଟା ଧରି ଅବରୋଧ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ନୟାଗଡ଼ ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନାକେଦମ୍ ହୋଇଛନ୍ତି। ଏଭଳି ଏକ ଘଟଣା ନୂଆଗାଁ ଥାନା ମହୀପୁର ଫାଣ୍ତି ଡିମିରିଝରୀ ଗ୍ରାମରେ ଘଟିଛି।

ଘଟଣାରୁ ପ୍ରକାଶ, ଡିମିରିଝରୀ ଗ୍ରାମରେ ଦୁଇଟି ଗ୍ୟାରେଜ୍ ଲାଗି ଲାଗି ରହିଛି। ଗୋଟିଏ ଜଗନ୍ନାଥ ପ୍ରଧାନଙ୍କର ହୋଇଥିବା ବେଳେ ଆଉ ଗୋଟିଏ ଗ୍ୟାରେଜ୍ ବ୍ରଜ ସାହୁଙ୍କର ବୋଲି ଜଣାପଡ଼ିଛି। କିଛିଦିନ ତଳେ ଅଟୋ ମରାମତି କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିଲା। ରାଗରେ ଥିବା ବ୍ରଜ ସାହୁ ଜଗନ୍ନାଥ ପ୍ରଧାନଙ୍କ ଗ୍ୟାରେଜକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହି ଘଟଣାରେ ବ୍ରଜ ସାହୁ ଜେଲ୍ ଯାଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ପୁଣି ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। କିଛିଦିନ ପୂର୍ବେ ଜଗନ୍ନାଥ ପ୍ରଧାନଙ୍କ ଚାରି ବର୍ଷର ଝିଅ ଉପରେ ଗାଡ଼ି ଚପାଇ ଦେବାରୁ ତା’ର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା। ଏମିତି ବ୍ରଜ ଜଗନ୍ନାଥକୁ ହତ୍ୟା କରିବାକୁ ସୁଯୋଗ ଖୋଜି ଆସୁଥିଲା। ଆଜି ଜଗନ୍ନାଥ ନିଜ ଘରୁ ବାହାରି ଗ୍ୟାରେଜ୍‌କୁ ଚାଲିଚାଲି ରାସ୍ତାରେ ଆସୁଥିବା ବ୍ରଜ ଦେଖିଥିଲା। ବ୍ରଜ ଗ୍ୟାରେଜ୍‌ରୁ ବୋଲେରୋ (ଓଆର୍ ୦୨ ଏଆର୍‌୪୬୪୬) ଧରି ଦ୍ରୁତ ଗତିରେ ଆସି ଜଗନ୍ନାଥ ଉପରେ ଚଢ଼ାଇ ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଘଟଣାସ୍ଥଳରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଜଗନ୍ନାଥଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀ ସାହୁ ଏବଂ ମାଆ ଠିଆ ହୋଇ ଦେଖିବାକୁ ପାଇଥିଲେ। କିନ୍ତୁ ଗାଡ଼ି ତାଙ୍କ ପିଛା କରି ଯାଉଥିଲେ ମଧ୍ୟ ଜଗନ୍ନାଥଙ୍କୁ ସୂଚନା ଦେବା ପୂର୍ବରୁ ଗାଡ଼ି ତାଙ୍କୁ ଚପାଇ ଦେଇଥିଲା। ଗାଡ଼ି ଚଢ଼ାଇ ଦେବା ପରେ ବ୍ରଜ ନୟାଗଡ଼ ଆଡ଼କୁ ଦ୍ରୁତ ଗତିରେ ଚାଲିଯାଇଥିଲା ଏବଂ ନୟାଗଡ଼ ସଦରଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ପୁଲିସ୍‌ କହିଛି। ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକେ ବ୍ରଜଙ୍କ ଗ୍ୟାରେଜ୍‌ ଭାଙ୍ଗି ଦେଇଥିବା ବେଳେ ନିଆଁ ଲଗାଇ ଘର ପୋଡ଼ି ଦେଇଛନ୍ତି।

ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ଟାୟାର ଜାଳି ଅଭିଯୁକ୍ତର ଗିରଫ ଓ କ୍ଷତିପୂରଣ ଦାବି କରିଥିଲେ। ଖବରପାଇ ନୂଆଗାଁ ତହସିଲଦାର ପ୍ରଭାକର ସେଠୀ, ନୟାଗଡ଼ ଆଡିସନାଲ ଏସ୍‌ପି ଦିଲୀପ ସାହାଣୀ, ଏସ୍‌ଡିପିଓ ନିରଂଜନ ପାଢୀ, ଟାଉନ୍‌ଥାନା ଅଧିକାରୀ ଜୟଦୀପ ମହାନ୍ତି, ସଦରଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା ଏବଂ ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଅଭିଯୁକ୍ତର ଗିରଫ ଦାବି କରିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ। ଦୀର୍ଘ ୫ ଘଣ୍ତା ଧରି ରାସ୍ତାରୋକ ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୦ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଉଭୟ ପଟେ ଶହଶହ ଯାନାବାହାନ ଅଟକି ରହିଥିଲା। ଏ ନେଇ ଜଗନ୍ନାଥଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀ ସାହୁ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

By amfnews

Related Post