Sat. Mar 7th, 2026

ଜେକେ ପେପର ମିଲ ଠିକା ଶ୍ରମିକଙ୍କ ଆନ୍ଦୋଳନକୁ ସିଆଇଟିୟୁର ସମର୍ଥନ

249 Views

ରାଉରକେଲା, ୨୭ା୮ : ରାୟଗଡା ସ୍ଥିତ ଜେକେ ପେପର ମିଲ୍ରେ କାର୍ଯ୍ୟରତ ଠିକା ଶ୍ରମିକମାନେ ସିଆଇଟିୟୁ ନେତୃତ୍ୱରେ ଗତ ୩ ଦିନ ଧରି ଚଳାଇଥିବା ଆନ୍ଦୋଳନକୁ ସିଆଇଟିୟୁ ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ଦୃଢ ସମର୍ଥନ କରାଯାଇଛି । ଏକ ପ୍ରେସ୍ ବିବୃତିରେ ସଙ୍ଗଠନ ସାଧାରଣ ସମ୍ପାଦକ ବିମାନ ମାଇତି କହିଛନ୍ତି ଯେ, ପ୍ରାୟ ୪ ହଜାର ଠିକା ଶ୍ରମିକଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା, ସମାନ କାମକୁ ସମାନ ଦରମା, ଠିକା କର୍ମୀମାନଙ୍କୁ ଶ୍ରମିକମାନଙ୍କୁ ଉପଯୁକ୍ତ ଦରମା, ବାର୍ଷିକ ଦରମା ବୃଦ୍ଧି, ଦକ୍ଷତା ଓ କାର୍ଯ୍ୟକାଳକୁ ନେଇ ମଜୁରୀ ଓ ସ୍ଥାୟୀ କର୍ମଚାରୀଙ୍କ ସ୍ଥାନରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନଙ୍କୁ ଉଚିତ୍ ଦରମା ପ୍ରଦାନ ଦାବି ସମେତ ଅନ୍ୟାନ୍ୟ ଦାବିରେ କର୍ତ୍ତୃପକ୍ଷଙ୍କ ସହ ତ୍ରିପାକ୍ଷିକ ଆଲୋଚନା ବିଫଳ ହୋଇଛି ।

ପରେ ୪ ହଜାର ଠିକା ଶ୍ରମିକ ବାଧ୍ୟହୋଇ ଧର୍ମଘଟ ଚଳାଇଛନ୍ତି । ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତିଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନରେ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ଶ୍ରମ ବିଭାଗ ଓ ରାଜ୍ୟ ସରକାର ଘଟଣାରେ ହସ୍ତକ୍ଷେପ କରିବା ସହ ୪ ହଜାର ଠିକା ଶ୍ରମିକମାନଙ୍କ ଜୀବନଜୀବିକାର ସମାଧାନ ପାଇଁ ଆଗେଇ ଆସିବାକୁ ଶ୍ରମିକମାନଙ୍କ ସପକ୍ଷରେ ସମଗ୍ର ରାଜ୍ୟର ଶ୍ରମିକ ଶ୍ରେଣୀ ଏକହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ଏବଂ ଏଥିପାଇଁ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କୁହାଯାଇଛି ।

By amfnews

Related Post