Wed. Mar 19th, 2025

ଜୀବନ-ମୃତ୍ୟୁର ଦୋ’ଛକିରେ ଦୁଃଖୀ, ଜିଇଁଥିବା ଭାବି ଜୁଇରୁ ମେଡିକାଲ ନିଆଗଲା

By amfnews Nov 18, 2019 #Featured
119 Views

ପୋଲସରା : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ରେ କିଛି ଦିନ ତଳେ କୋକେଇରୁ ଜଣେ ବ୍ୟକ୍ତି ଉଠି ବସିବା ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢ଼ୁଙ୍କାପଡ଼ା ପଞ୍ଚାୟତର କଣିଆପଲ୍ଲୀ ଗାଁରେ ଘଟିଛି ଅନୁରୂପ ଘଟଣା। ତେବେ ମହିଳାଙ୍କୁ ଜୁଇରୁ ମେଡିକାଲ ନିଆଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଛି। ୪୪ ବର୍ଷୀୟା ଅବିବାହିତା ଦୁଃଖୀ ବେହେରାଙ୍କୁ ମୃତ ଭାବି ଶ୍ମଶାନକୁ ନିଆଗଲା। ଶବଦାହ ଲାଗି ଜୁଇ ସଜଡ଼ାଗଲା। ଜୁଇ ଉପରେ ଶବ ରଖିବା ବେଳକୁ ସେ ଜୀବିତ ଥିବା କିଛି ଲୋକ ଅନୁଭବ କଲେ। ସେଠା‌ରୁ ପୁଣି ଦୁଃଖୀଙ୍କୁ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନା ନିଆଗଲା। ମେଡିକାଲରେ ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ଦୁଃଖୀଙ୍କୁ ମୃତ ଘୋ‌ଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, କଣିଆପଲି ଗାଁର ସ୍ବର୍ଗତ ଶତ୍ରୁଘ୍ନ ବେହେରାଙ୍କ ଚାରି ଝିଅ। କିଛି ବର୍ଷ ତଳେ ଶତ୍ରୁଘ୍ନ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଝିଅ ଯାକ ଅବିବାହିତା ଅଛନ୍ତି। ଗାଁରେ ମଜୁରୀ ଲାଗି ଚଳନ୍ତି। ବଡ଼ ଭଉଣୀ ଜମ୍ବୁ ବେହେରା (୫୦) ଆଜି ସକାଳେ ପ୍ରଥମେ ଉଠି ସମସ୍ତଙ୍କୁ ଉଠାଇଥିଲେ। ସଂକ୍ରାନ୍ତି ପୂଜା ପାଇଁ ମନ୍ଦିର ଯିବା ଲାଗି ଶୀଘ୍ର ନିତ୍ୟକର୍ମ ସାରିବାକୁ କହିଥିଲେ। ଅନ୍ୟ ୨ଭଉଣୀ ଉଠିଥିବା ବେଳେ ତୃତୀୟ ଭଉଣୀ ଦୁଃଖୀ ଉଠି ନ ଥିଲେ। ସେମାନେ ଡରିଯାଇ ସଙ୍ଗେ ସଙ୍ଗେ ପଡ଼ୋଶୀ ଓ ଗାଁ ଲୋକଙ୍କୁ ଡାକିଥିଲେ। ନିଃଶ୍ବାସପ୍ରଶ୍ବାସ ବନ୍ଦ ଥିବା ସାଙ୍ଗକୁ ନାଡ଼ି ଚାଲୁ ନ ଥିଲା। ଗାଁ ଲୋକେ ଏହା ଦେଖି ଓ ପରୀକ୍ଷା କରି ସେ ମରି ଯାଇଥିବା କହିଥିଲେ। ସମ୍ପର୍କୀୟ ଦାଦା ଓ ଗାଁ ଲୋକଙ୍କ ସହାୟତାରେ ଦୁଃଖୀଙ୍କୁ ଶ୍ମଶାନକୁ ନେଇଥିଲେ। ଶବ ସତ୍କାର ପାଇଁ ଜୁଇ ସଜଡ଼ା ଯାଇଥିଲା।

ଜୁଇ ଉପରେ ଶବ ଲଦିବା ସମୟରେ ଆଙ୍ଗୁଠି ଓ ହାତ ହଲିବା ଭଳି ଶବଦାହ ପାଇଁ ଯାଇଥିବା ଲୋକମାନେ ଅନୁଭବ କଲେ। ସେଠାରେ ଥିବା ବୟୋଜ୍ୟେଷ୍ଠ ଲୋକମାନେ ପୁଣି ନାଡ଼ି ଦେଖିଥିଲେ। ଦୁଃଖୀ ବଞ୍ଚିଥିବା ଭାବି ଜୁଇରୁ ଉଠାଇ ମେଡିକାଲ ନେବା ଲାଗି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ଶ୍ମଶାନ ଘାଟରୁ ଜୁଇରୁ ଦୁଃଖୀଙ୍କୁ ଆମ୍ବୁଲାନ୍ସ ଯୋଗେ ୧୦ କମି ଦୂର ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ଏ ଖବର ପ୍ରଚାରିତ ହେବା କ୍ଷଣି ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ଲୋକାରଣ୍ୟ ହୋଇ ଯାଇଥିଲା। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଡାକ୍ତର ପ୍ରିୟଦର୍ଶିନୀ ଆଚାରୀ ଦୁଃଖୀଙ୍କୁ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ସମ୍ପର୍କୀୟ ଓ ଗ୍ରାମବାସୀ ପୁଣି ଶବ ଫେରାଇ ନେଇ ଶ୍ମଶାନରେ ସତ୍କାର କରିଥିଲେ।

By amfnews

Related Post