Sun. Mar 8th, 2026

ଜିଲ୍ଲାପାଳଙ୍କ ଆକାଉଣ୍ଟ୍‌ରୁ ୬୦ଲକ୍ଷ ହଡ଼ପ ମାମଲା: ‘ହଡ଼ପ ପଛରେ ଷଡ଼୍‌ଯନ୍ତ୍ର’

Arrested man in handcuffs with hands behind back
247 Views

ଅନୁଗୁଳ  : ଇଏ ଥିଲା ଡରମାଟ୍‌ (ଅଚଳ) ଅ‌ାକାଉଣ୍ଟ୍‌। ଦେଣନେଣ ହେଉନଥିବାରୁ ୬୦ ଲକ୍ଷ ଟଙ୍କାର ଏହି ଆକାଉଣ୍ଟ ଅଚଳ ହୋଇ ପଡ଼ିଥିଲା। ଜିଲ୍ଲାପାଳଙ୍କ ନାଁରେ ଅନୁରୋଧପତ୍ର ଆସିଲା ପରେ ଡରମାଟ୍‌ ଆକାଉଣ୍ଟ୍ ହୋଇଥିଲା ଚାଲୁ। ବ୍ୟାଙ୍କିଂ ବ୍ୟବସ୍ଥା ମୁତାବକ, ଡରମାଟ୍‌ ଆକାଉଣ୍ଟ୍‌ ଚାଲୁ କରାଇବା କେବଳ ଜଣକ କାମ ନୁହେଁ। ଦରଖାସ୍ତ ଗ୍ରହଣ କରିବା ଜଣକ ଦାୟିତ୍ବ। ବ୍ୟାଙ୍କ୍‌ ମ୍ୟାନେଜରଙ୍କ ପାଖକୁ ଦରଖାସ୍ତ ଆସିଲା ପରେ ଯାଞ୍ଚ ଆଉ ଜଣେ କରିବେ। ଯାଞ୍ଚ ପରେ ବ୍ୟାଙ୍କ୍‌ ମ୍ୟାନେଜର ଆକାଉଣ୍ଟ୍‌ ଚାଲୁ କରାଇବେ। ବ୍ୟାଙ୍କିଂ ବ୍ୟବସ୍ଥାରେ ତିନି ଜଣଙ୍କ ସମ୍ପୃକ୍ତି ଥିବାବେଳେ କେବଳ ମୋ ପୁଅକୁ ପୁଲିସ ବାନ୍ଧିଛି କାହିଁକି? ଅନ୍ୟ ଦୁଇ ଜଣ ଗଲେ କୁଆଡ଼େ? ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୬୦ ଲକ୍ଷ ଟଙ୍କା ହଡ଼ପ ମାମଲା‌େର ବନ୍ଧା ହୋଇ ଜେଲ୍‌ରେ ଥିବା ତତ୍କାଳୀନ ଏଚଡିଏଫ୍‌ସି ବ୍ୟାଙ୍କ୍‌ ମ୍ୟାନେଜର ଶକ୍ତିବେଦାନ୍ତ ଦାସଙ୍କ ବାପା ତଥା ପିପିଲିର ପୂର୍ବତନ ବିଧାୟକ ବିପିନ ଦାସ ଏ ପ୍ରଶ୍ନ କରିଛନ୍ତି।

ଶ୍ରୀ ଦାସ କହିଛନ୍ତି ‌େଯ, କେବଳ ଡରମାଟ୍‌ ଆକାଉଣ୍ଟ୍‌କୁ ଚାଲୁ କରିବାରେ ନୁହେଁ, ବରଂ ବ୍ୟାଙ୍କିଂ ସିଷ୍ଟମ୍‌ ଯାହା ଚେକ୍‌ରେ ଟଙ୍କା ଉଠାଇଲେ ବି ତଳୁ ଉପରୁ ଯାଏ ବହୁ କର୍ମଚାରୀ ଯୋଡ଼ି ହେବା ଥୟ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଅନୁଗୁଳ ଶାଖାରେ ମୋ ପୁଅ ତଳେ ୫ ଜଣ ମ୍ୟାନେଜର, ୮ଜଣ କ୍ୟାସିୟର୍‌ କାମ କରୁଥିଲେ। ପୁଲିସକୁ ପୁଅ ଗୋଟି ଗୋଟିକରି ସବୁ ନାଁ ଦେଇଛି। ବ୍ୟାଙ୍କ୍‌କୁ ଚେକ୍‌ ଆସିବା ପରେ ତାକୁ ଜଣେ କର୍ମଚାରୀ ଗ୍ରହଣ କରି ଏଣ୍ଟ୍ରି କରାଇବେ। ଆଉ ଜଣେ ତନଖିବା ପରେ ଟଙ୍କା ଗ୍ରାହକଙ୍କ ପାଖକୁ ଯାଉଥିଲା। ସାଧାରଣତଃ ମ୍ୟାନେଜର ପାଖକୁ ଚେକ୍‌ ଭାଙ୍ଗିବା କଥା ଅତି ଜରୁରୀ ନ ହେଲେ ଆସେ ନାହିଁ। ଏଭଳି ସ୍ଥିତିରେ ସବୁ ଦୋଷ ମୋ ପୁଅ ମୁଣ୍ଡରେ ଲଦି ଦିଆଯାଇଛି କାହିଁକି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ଏଥିସହିତ, ଆହୁରି ମଧ୍ୟ ଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ, ‘ ମୋଟ୍‌ ୮ଟି ଚେକ୍ ମଧ୍ୟରୁ ଦୁଇଟି ନଷ୍ଟ ହୋଇଯାଇଛି। ଆଉ ଦୁଇଟାର କିଛି ପତ୍ତା ମିଳୁନି। ଅବଶିଷ୍ଟ ୪ଟାର ସୁରାକ୍‌ ଯଦିଓ ମିଳିଛି, ସେଥିରୁ ଅଜୟ ସାମଲଙ୍କ ଠିକଣା ବ୍ୟାଙ୍କ୍‌ ଦେଇ ପାରୁ ନ ଥିବା ବେଳେ ବିନୀତ ଅଗ୍ରୱାଲଙ୍କ ଦସ୍ତଖତ ମେଳ ଖାଉ ନାହିଁ। ଅନ୍ୟ ଦସ୍ତାବିଜ ସବୁ ନଷ୍ଟ କରି ମୋ ପୁଅକୁ ସେଥିରେ ଫସେଇ ଦିଆଯାଇଛି। ଏତେ ବଡ଼ ହଡ଼ପ ପଛରେ ବିରାଟ ଷଡ଼୍‌ଯନ୍ତ୍ର ରଚାଯାଇଛି। ବ୍ୟାଙ୍କ୍‌ର ଉପର ଅଧିକାରୀ ବି ଏଥିରେ ସାମିଲ ଅଛନ୍ତି । ବ୍ୟାଙ୍କରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କ ସହିତ ଜଣେ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଘନିଷ୍ଠ ସଂପର୍କ ରହିଛି। ଷଡ଼୍‌ଯନ୍ତ୍ରରେ ସେମାନେ ସାମିଲ ରହିଛନ୍ତି।’

ଅନ୍ୟପକ୍ଷରେ, ଗିରଫ ମ୍ୟାନେଜର ଶକ୍ତିବେଦାନ୍ତଙ୍କ ଜାମିନର ଆଜି ଅନୁଗୁଳ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ଶୁଣାଣି ହୋଇଥିଲା। ପୁଲିସ ଏହାର କେସ୍‌ ଡାଏରି ଦାଖଲ କରି ନଥିଲା। କୋର୍ଟ ଶକ୍ତିବେଦାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ବୋଲି ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପଟ୍ଟନାୟକ କହିଛନ୍ତି। ଏତେ ବଡ଼ ସରକାରୀ ପାଣ୍ଠି ଚୋରି ପଛରେ ଓଡ଼ିଶାର ଜଣେ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଏବଂ ତାଙ୍କ ଭାଇଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନର ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଦୁର୍ନୀତି ଉପରୁ ପରଦା ଉଠାଇ ଦେଲା ପରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କ ମନ‌ରେ କେବଳ ଛନକା ପଶି ନାହିଁ, ବରଂ ତଦନ୍ତରେ ପୁଲିସ ଉପରେ ବିରାଟ ଚାପ ସୃଷ୍ଟି ହୋଇଥିବା କୁହାଯାଉଛି। ପୁଲିସ ତଦନ୍ତ ବି ରହସ୍ୟ ଘେରରେ ରହିଛି।

By amfnews

Related Post