Sun. Nov 24th, 2024

ଜାନୁୟାରୀ ୮ ଓ ୯ ତାରିଖ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଆର୍ଏସ୍ଏସ୍ କାର୍ଯ୍ୟାଳୟରେ ମିଳିତ ଟ୍ରେଡ୍ ୟୁନିୟନ ବୈଠକ

By amfnews Jan 5, 2019 #Featured
131 Views

ରାଉରକେଲା, ଜାନୁଆରୀ ୦୫ : କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଡାକରାରେ ଚଳିତ ଜାନୁୟାରୀ ୮ ଓ ୯ ତାରିଖର ସର୍ବଭାରତୀୟ ଧର୍ମଘଟ ଓ ହରତାଳକୁ ସଫଳ କରିବା ପାଇଁ ରାଉରକେଲା ଶ୍ରମିକ ସଂଘ କାର୍ଯ୍ୟାଳୟରେ ମିଳିତ ଟ୍ରେଡ୍ ୟୁନିୟନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆର୍ଏସ୍ଏସ୍ ସାଧାରଣ ସମ୍ପାଦକ ତଥା ଓଡିଶା ରାଜ୍ୟ ଆଇଏନ୍ଟିୟୁସି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ବୈଠକରେ ସଭାପତିତ୍ୱ କରିବା ସହ ସମସ୍ତ ଟ୍ରେଡ୍ ୟୁନିୟନ କର୍ମକର୍ତ୍ତା ଓ ନେତୃ ମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ ଓ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଥିଲେ । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନେ ୧୨ଟି ନ୍ୟାର୍ଯ୍ୟ ଦାବି ପୂରଣ ଓ ପ୍ରାନ୍ତୀୟ ଶ୍ରମିକ ସଙ୍ଗଠନମାନେ ନିଜ ନିଜର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ଏହି ଧର୍ମଘଟରେ ସାମିଲ୍ ହେବା ପାଇଁ ଦୃଢ ନିଷ୍ପତ୍ତି ନେଇଛନ୍ତି ।

ସେଲ୍ ଶ୍ରମିକ କର୍ମଚାରୀମାନଙ୍କ ନୂତନ ମଜୁରୀ ଚୁକ୍ତିନାମାକୁ ଆରମ୍ଭ କରିବା, ସେଲ୍ ପେନ୍ସନ ସ୍କିମ୍ ଲାଗୁ କରିବା, ଆଇଜିଏଚ୍କୁ ସୁପର ସ୍ପେସାଲିଟି ମେଡିକାଲରେ ପରିଣତ କରିବା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରିବା ପ୍ରଭୃତି ନ୍ୟାର୍ଯ୍ୟ ଦାବିଗୁଡିକୁ ମଧ୍ୟରେ ଏଥିରେ ସାମିଲ୍ କରାଯାଇଛି । ଏଣୁ ସମସ୍ତ ନାଗରିକ, ଯୁବକ, ଯୁବତୀ, ଶ୍ରମିକ କର୍ମଚାରୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ବନ୍ଧୁ, ପରିବହନ କର୍ମଚାରୀ ଏଥିରେ ସାମିଲ୍ ହେବା ପାଇଁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ସିଆଇଟିୟୁ ଉପସଭାପତି ଜାହାଙ୍ଗୀର ଅଲ୍ଲୀ ଧର୍ମଘଟର କାରଣ ସମ୍ପର୍କରେ ସମସ୍ତ ନାଗରିକ ଓ ଶ୍ରମିକ କର୍ମଚାରୀମାନଙ୍କୁ ପଥପ୍ରାନ୍ତ ସଭା ଓ ପ୍ରଚାର ପତ୍ର ମାଧ୍ୟମରେ ଅବଗତ କରାଯିବାକୁ ପ୍ରସ୍ତାବ ରଖିଥିଲେ ।

ଚଳିତ ମାସ ୭ ତାରିଖ ଦିନ ଏକ ବିଶାଳ ମଶାଲ ଶୋଭାଯାତ୍ରା ବିଶ୍ରା ଛକଠାରୁ ବାହାରିବ ଓ ସମସ୍ତ ସେକ୍ଟର ଅଞ୍ଚଳ ସମେତ ସହର ପରିକ୍ରମା କରିବ ବୋଲି କହିଥିଲେ । ସିଆଇଟିୟୁ ସାଧାରଣ ସମ୍ପାଦକ ବସନ୍ତ ନାୟକ ଶ୍ରମିକ କର୍ମଚାରୀ, ସାଧାରଣ ନାଗରିକ, ଠିକା ଶ୍ରମିକ, ଛାତ୍ରଛାତ୍ରୀ, କୃଷକ, ବ୍ୟବସାୟୀମାନେ ଆଗାମୀ ଦିନରେ ସୁରକ୍ଷିତ ରହିବା ଓ ଭବିଷୟତକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ଏହି ଧର୍ମଘଟ ଜରୁରୀ ହୋଇପଡିଛି ବୋଲି କହିଥିଲେ । ଏଥିରେ ବିଏମ୍ଏସ୍ର କର୍ମକର୍ତ୍ତାମାନଙ୍କୁ ସାମିଲ୍ ହେବା ପାଇଁ ମଧ୍ୟ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ ।

ଆର୍ଏମ୍ଏସ୍ର ଅସୀତ ଦାସ ସମସ୍ତ ୟୁନିୟନ ଏକ ହୋଇ ଧର୍ମଘଟ କରୁଥିବା ବେଳେ ବିଏମ୍ଏସ୍ ୟୁନିୟନ ଯୋଗ ନ ଦେବା ଏକ ବିଡମ୍ବନା ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ଏଣୁ ବିଏମ୍ଏସ୍ ୟୁନିୟନ ତୁରନ୍ତ ଏଥିରେ ଯୋଗ ଦେଇ ଧର୍ମଘଟରେ ସାମିଲ୍ ହୋଇ ଶ୍ରମିକ ସମାଜର ଆସ୍ଥା ଭାଜନ ହେବାକୁ ପରାମର୍ଶ ଦେଇଥିଲେ । ଆର୍ଡବ୍ଲ୍ୟୁୟୁର ଅଜିତ ନାୟକ ଯେଉଁ ଦାବିଗୁଡିକ ଶ୍ରମିକ ସଙ୍ଗଠନମାନେ କରିଛନ୍ତି ତାହା ଅତ୍ୟନ୍ତ ଦରକାରୀ । ଏବେ ଯଦି କେନ୍ଦ୍ର ସରକାରଙ୍କ ଶ୍ରମ ଓ ଶ୍ରମିକ ବିରୋଧି କାର୍ଯ୍ୟଗୁଡିକ ଉପରେ ଅଙ୍କୁଶ ଲଗାନଯାଏ ତେବେ ଆଗାମୀ ଦିନରେ ଏହା ବଢି ଚାଲିବ ଓ ଆମ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି କହିଥିଲେ ।

ଏଆଇସିସିଟିୟୁର କେଦାରନାଥ ପ୍ରଧାନ ଦେଶରେ ବର୍ତ୍ତମାନ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ନିତାନ୍ତ ଜରୁରୀ । ସିୟରର ହେମନ୍ତ ବେଉରା ଶ୍ରମିକ କର୍ମଚାରୀମାନେ ଏଥିରେ ନିଃସ୍ୱାର୍ଥପର ଭାବେ ସହଯୋଗ କଲେ ଏହା ସଫଳ ହୋଇପାରିବ ବୋଲି କହିଥିଲେ । ଗାଙ୍ଗପୁର ମଜଦୁର ମଞ୍ଚର ସଞ୍ଜୟ ପଣ୍ଡା, ଆର୍ଏସ୍ଏସ୍ର ଆର୍.କେ. ପଣ୍ଡା ଓ ଅକ୍ଷୟ ଜେନା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ନିହାର ଦାସ ଧନ୍ୟବାଦ ଦେଇଥିଲେ । କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ଏହି ମିଳିତ ବୈଠକରେ ଶତାଧିକ କର୍ମକର୍ତ୍ତା ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

By amfnews

Related Post