Thu. Dec 26th, 2024

ଜାନୁଆରୀ ୩ ତାରିଖରୁ ସମ୍ବଲପୁରରେ ଖୋଲିବ ସମଲେଶ୍ଵରୀ ମନ୍ଦିର ସହ ସମସ୍ତ ଧର୍ମାନୁଷ୍ଠାନ

By amfnews Dec 19, 2020 #Featured
154 Views

ଭୁବନେଶ୍ୱର, ଡିସେମ୍ବର 19 : ଜାନୁଆରୀ ୩ ତାରିଖରୁ ଖୋଲିବ ସମଲେଶ୍ଵରୀ ମନ୍ଦିର । ଏହା ସହ ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ପ୍ରଥମ ୫ ଦିନ ମା’ ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ସମ୍ବଲପୁରବାସୀଙ୍କୁ ମିଳିବ ସୁଯୋଗ । କୋଭିଡ କଟକଣା ମଧ୍ୟରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । 

ସୂଚନାନୁଯାୟୀ, ସମ୍ବଲପୁର ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସଏମସି କମିଶନର ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ୩ ରେ ସମଲେଶ୍ଵରୀ ମନ୍ଦିର ସମେତ ସମ୍ବଲପୁରର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରଥମ ୫ ଦିନ ସମ୍ବଲପୁରୀବାସୀଙ୍କୁ ମା’ ସମଲେଇଙ୍କ ଦର୍ଶନର ସୁଯୋଗ ଦିଆଯିବ । କୋଭିଡ କଟକଣା ମଧ୍ୟରେ କିଭଳି ଧର୍ମାନୁଷ୍ଠାନ ଗୁଡ଼ିକରେ ଶ୍ରଦ୍ଧାଳୁ ଦର୍ଶନର ସୁଯୋଗ ପାଇବେ ସେନେଇ ଏସଓପି ପ୍ରସ୍ତୁତ କରି ଡିସେମ୍ବର ୨୪ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନକୁ ଦେବା ପାଇଁ କୁହାଯାଇଛି । ଅପର ପକ୍ଷରେ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ସମଲେଶ୍ଵରୀ ଓ ଘଣ୍ଟେଶ୍ଵରୀ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିବ ବୋଲି ଅନୁମାନ କରାଯାଉଛି। କରୋନା ପାଇଁ ଦୀର୍ଘ ନଅ ମାସ ହେବ ସମସ୍ତ ଧର୍ମାନୁଷ୍ଠାନରେ ସାଧାରଣ ଦର୍ଶନ ବନ୍ଦ ଥିଲା । ଏବେ ସ୍ଥିତି ସ୍ଵାଭାବିକ ହେବା ପରେ ଧୀରେ ଧୀରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଉଛି । 

By amfnews

Related Post