Fri. Jan 10th, 2025

ଜାନୁଆରି ୩୧ ସୁଦ୍ଧା କଂଗ୍ରେସ ଇସ୍ତାହାର ଚିଠା : ଜନମତ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର – ନିରଞ୍ଜନ

By amfnews Dec 28, 2018 #Featured
171 Views

ଭୁବନେଶ୍ବର , ଡିସେମ୍ବର ୨୮ : ଜାନୁଆରି ମାସ ୩୧ ତାରିଖ ସୁଦ୍ଧା ରାଜ୍ୟ କଂଗ୍ରେସ ତା’ର ଇସ୍ତାହାରର ଚିଠା ଚୂଡ଼ାନ୍ତ କରିବ। ଏହି ଇସ୍ତାହାର ଚିଠା ପ୍ରସ୍ତୁତ କରିବା ପାଇଁ ଦଳର ବିଭିନ୍ନ ସାମ୍ମୁଖ୍ୟ ଓ ବିଭାଗର ପରାମର୍ଶ ନିଆଯାଉଛି। ଏହାଛଡ଼ା କଂଗ୍ରେସ ଦଳ ଜନସାଧାରଣ ଓ ବିଭିନ୍ନ ସଂଗଠନଠାରୁ ମଧ୍ୟ ମତାମତ ଲୋଡ଼ିବ। ଏଥିପାଇଁ ସ୍ବତନ୍ତ୍ର ଭାବେ ୱେବ୍‌ସାଇଟ୍‌ ଖୋଲାଯାଉଛି। ସେଥିପାଇଁ ଆସନ୍ତା ୧୫ ତାରିଖ ସୁଦ୍ଧା ମତାମତ, ପରାମର୍ଶ ଆହ୍ବାନ କରାଯିବ। ଜନମତ ଆଧାରରେ ରାଜ୍ୟ କଂଗ୍ରେସର ଇସ୍ତାହାର ପ୍ରସ୍ତୁତ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଆଜି କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ କମିଟିର ୩ୟ ବୈଠକ ବସିଥିଲା। ଏଥିରେ ଯୁବ, ଛାତ୍ର, ମହିଳା, ସେବାଦଳ ଭଳି ଦଳୀୟ ସାମ୍ମୁଖ୍ୟ ଓ କିଷାନ କଂଗ୍ରେସ, ସୋସିଆଲ୍‌ ମିଡିଆ, ଦଳିତ, ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ, ଗଣମାଧ୍ୟମ ଆଦି ବିଭାଗ ମୁଖ୍ୟମାନେ ଯୋଗ ଦେଇଥିଲେ। ଏହାଛଡ଼ା, ବିଭିନ୍ନ ବିଷୟ ବିଶାରଦମାନଙ୍କୁ ମଧ୍ୟ ବୈଠକକୁ ଡକାଯାଇଥିଲା। ଦଳର ବିଭିନ୍ନ ଅଗ୍ରାଧିକାର ପ୍ରସଙ୍ଗରେ ସେମାନଙ୍କର ପରାମର୍ଶ ନିଆଯାଇଥିଲା। ଆସନ୍ତା ୩୦ ତାରିଖ ସୁଦ୍ଧା ଆନୁଷ୍ଠାନିକ ଭାବେ ସେହି କର୍ମକର୍ତାମାନେ ଇସ୍ତାହାର ନିମନ୍ତେ ପରାମର୍ଶ, ପ୍ରସ୍ତାବମାନ ପ୍ରଦାନ କରିବାକୁ କୁହାଯାଇଛି ବୋଲି ଇସ୍ତାହାର କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ଏହି ସୂଚନା ଅନୁଯାୟୀ ଇସ୍ତାହାର କମିଟି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ‌ ନେଇ ଗୋଷ୍ଠୀ ଗଠନ କରିବ। ସେହି ଗୋଷ୍ଠୀର ‌କର୍ମକର୍ତାମାନେ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକୁ ପରିକ୍ରମା କରିବେ। ଏହାର ଆଭିମୁଖ୍ୟ ହେଉଛି ସ୍ଥାନୀୟ ଜନସାଧାରଣ, ଦଳ ବାହାରେ ଥିବା ବିଭିନ୍ନ ସଂଗଠନର କର୍ମକର୍ତାମାନଙ୍କର ମତାମତ, ପରାମର୍ଶମାନ ସଂଗ୍ରହ କରାଯିବ। ଏହା ସହିତ ‘କଂଗ୍ରେସ ମାଇଁ ଚଏସ୍‌’ ନାମରେ ଏକ ୱେବ୍‌ସାଇଟ୍‌ ଖୁବଶୀଘ୍ର ଖୋଲାଯିବ। ସେହି ୱେବ୍‌ସାଇଟ୍‌ରେ ଇ-ମେଲ୍‌, ବିଭିନ୍ନ ସୋସିଆଲ୍‌ ମିଡିଆ ଯୋଗେ ମତାମତ ସଂଗ୍ରହ କରାଯିବ। ସେହିପରି ଇସ୍ତାହାର କମିଟି ଅଧ୍ୟକ୍ଷଙ୍କ ନାମରେ ଡାକ ଯୋଗେ ମଧ୍ୟ ମତାମତ ନିଆଯିବ। ଆସନ୍ତା ଜାନୁଆରି ୧୫ ସୁଦ୍ଧା ଏଭଳି ମତାମତ ସଂଗ୍ରହ ହେବ। ସେହି ମତାମତ ଆଧାରରେ ରାଜ୍ୟ କଂଗ୍ରେସ ଇସ୍ତାହାର ଚିଠା ଚୂଡ଼ାନ୍ତ କରିବ ବୋଲି ବରିଷ୍ଠ ନେତା ଶ୍ରୀ ବେହେରା କହିଛନ୍ତିି। ଇସ୍ତାହାର ଚିଠାକୁ ଏଆଇସିସି ଅନୁମୋଦନ ପାଇଁ ପଠାଯିବ।

By amfnews

Related Post