Sat. Mar 7th, 2026

ଜଳିଗଲା ଶିମ୍‌ଲାର ପ୍ରଥମ ବ୍ରିଟିସ୍‌ ଅମଳ ଗ୍ରାଣ୍ଡ୍‌ ହୋଟେଲ୍‌

242 Views

ଶିମଲା: ଗତ ରାତିରେ ଅଗ୍ନିକାଣ୍ଡ ଘଟି ହିମାଚଳ ପ୍ରଦେଶର ଶିମଲା ଠାରେ ଥିବା ଶହେ ବର୍ଷର ପୁରାତନ ଗ୍ରାଣ୍ଡ୍‌ ହୋଟେଲ୍‌ର ଅଧିକାଂଶ ଅଂଶ ନଷ୍ଟ ହୋଇ ଯାଇଛି।
ନିକଟ ଅତୀତରେ ନବୀକରଣ କରାଯାଇଥିବା ମାୟୋ ବ୍ଲକ୍‌ ତିନିଟିଯାକ ମହଲା ନିଅାଁରେ ପୋଡ଼ି ଯାଇଛି। ରାତି ପ୍ରାୟ ୧୨: ୩୦ ମିନିଟ୍‌ରେ ହେରିଟେଜ୍‌ ଗ୍ରାଣ୍ଡ୍‌ ହୋଟେଲ୍‌ର ରିସେପ୍‌ସନ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ଭୋର୍‌ ୩ଟା ବେଳେ ନିଆଁ ଲିଭିଥିଲା।

ଶିମଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଓମାପତି ଜାମ୍‌ଓ୍ଵାଲ୍‌ କହନ୍ତି: ରାତ୍ରୀ ଡିୟୁଟିରେ ଥିବା କନେଷ୍ଟବଳମାନେ ପ୍ରଥମେ ନିଆଁ ଲାଗିଥିବା ଦେଖିଥିଲେ ଓ ତୁରନ୍ତ ଦମକଳକୁ ଖବର ଦେଇଥିଲେ। ନଆଁ ଲାଗିଥିବା ବେଳେ କୋଠାରେ କୌଣସି ଲୋକ ନ ଥିଲେ।୧୫ ମିନିଟ୍‌ ପରେ ମଲ୍‌ ରୋଡ୍‌, ଛୋଟା ଶିମଲା ଏବଂ ବୋଲିଗଞ୍ଜ୍‌ରୁ ଦମକଳ ଯାଇଥିଲା। ଅଣଓସାରିଆ ରାସ୍ତା ଏବଂ ନିମ୍ନ ଜଳଚାପ ଯୋଗୁଁ ଘଟଣାସ୍ଥଳରେ ପହଞ୍ଚିବା ବିଳମ୍ବ ହୋଇଥିଲା।

ଅଗ୍ନିକାଣ୍ଡର କାରଣ ଜଣିବା ପାଇଁ ତଦନ୍ତ ଚାଲିଛି।୧୮୯୨ ମସିହାରେ ଦୁଇ ଲକ୍ଷ ଟଙ୍କା ବିନିମୟରେ କନ୍‌ଫେକ୍‌ସନର୍‌ ସେବାଲିୟର୍‌ ଫେଡେରିକୋ ପେଲିତି ଭାଇସ୍‌ରୟଙ୍କୁ ବିକ୍ରୟ କରିବା ପରେ ଗ୍ରାଣ୍ଡ୍‌ ହୋଟେଲ୍‌ ନିର୍ମାଣ ହୋଇଥିଲା।

୧୯୨୨ରେ ହୋଟେଲ୍‌ର ତିନିଟି କୋଠା ଧ୍ୱଂସ ହୋଇ ଯାଇଥିଲା ଏବଂ ୧୯୩୦ ବେଳକୁ ପର୍ଯ୍ୟାୟକ୍ରମେ ପୁଣି ନିର୍ମାଣ ଆରମ୍ଭ ହୋଇଥିଲା। ୧୯୪୨ ମସିହା ବେଳକୁ ଏହା ସରକାରୀ ଖାତାକୁ ଆସିଥିଲା ଏବଂ ସେବେଠାରୁ କେନ୍ଦ୍ର ନଗରାଞ୍ଚଳ ବିକାଶ ମନ୍ତ୍ରାଳୟ ଏହାର ପ୍ରଶାସନକୁ ନିୟନ୍ତ୍ରଣ କରି ଆସୁଛି।

By amfnews

Related Post