ଯାଜପୁର,୨୮/୯ କୃଷି ଓ କୃଷକଙ୍କ ଉନ୍ନତି କ୍ଷେତ୍ରରେ ଜଳସେଚନ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ହେଲେ ଏହି ବିଭାଗର ଦୁର୍ନିତିଖୋର କାର୍ଯ୍ୟ ପାଇଁ ଅନେକ କ୍ଷେତ୍ରରେ ସରକାରୀ ଯୋଜନାର ସୁଫଳ ମିଳୁନାହିଁ । ଏ କ୍ଷେତ୍ରରେ ଜଳସେଚନ ସଚିବ ଯଥେଷ୍ଟ ଦକ୍ଷତାର ସହ କାର୍ଯ୍ୟ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କାରସାଦି ନିକଟରେ ସଚିବ ଅନେକ କ୍ଷେତ୍ରରେ ଓଲୁ ବନିବାକୁ ପଡୁଛି ବୋଲି ସାଧାରଣରେ ଆଲୋଚନା ହୋଇ ଘୋର ଉଦବେଗ ପ୍ରକାଶ ପାଉଛି ।
ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଗୋଦରାପାଳ ଗାଁ ନିକଟରେ ଥିବା କାଳିଆପାଳ ନାଳ ଉପରେ କଡମା ସେତୁ ନିର୍ମାଣ ନସୁରୁଣୁ ଭାଙ୍ଗିଯିବା ଏବଂ କୌଣସି ଆବଶ୍ୟକତା ନଥାଇ ଏଠାରେ ପୋଲ ନିର୍ମାଣ କରାଯିବା ନେଇ ଗତ ତା୨୭.୦୩.୧୮ ରିଖରେ ମୁଖ୍ୟମନ୍ତ୍ରୀ , ମୁଖ୍ୟଶାସନ ସଚିବ, ଜଳସମ୍ପଦ ସଚିବଙ୍କ ନିକଟରେ ତଥ୍ୟ ଭିତ୍ତିକ ଅଭିଯୋଗ କରାଯାଇଥିଲା । ଏଥି ପୂର୍ବରୁ ମଧ୍ୟ ଗ୍ରାମବାସୀଙ୍କ ତରଫରୁ ଏଥିନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇ ଥିଲା । ତେବେ ତା୨୭.୩.୧୮ ରିଖରେ ହୋଇଥିବା ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ ଓ ଜଳସମ୍ପଦ ସଚିବଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ ଯାଇଥିଲେ ମଧ୍ୟ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ଅଭିଯୋଗକାରୀଙ୍କୁ ହୋଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ନିୟମ ଅନୁସାରେ ପ୍ରଦାନ କରାଯାଇ ନାହିଁ ।
ଉପରୋକ୍ତ ଅଭିଯୋଗ ନେଇ ବିଭାଗ ମଧ୍ୟରେ ଆଦାନ ପ୍ରଦାନ ହୋଇଥିବା ପତ୍ରର ନକଲ ଏବଂ ହୋଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ସୂଚନା ଅଧିକାରରେ ମଗାଯାଇ ଥିବା ବେଳେ ଯାଜପୁର ଡ୍ରେନଜ ଡିଭିଜନ ଏକଜ୍ୟୁଟିଭ ଇଞ୍ଜିନିୟର ଆଦାନ ପ୍ରଦାନ ହୋଇଥିବା ପତ୍ର ନଦେଇ କେବଳ ପତ୍ର ନଂବର ପଡି ନଥିବା ଏକ ପତ୍ର ପ୍ରଦାନ କରିଛନ୍ତି । ଏହି ପତ୍ର ମଧ୍ୟ କାହାକୁ ପ୍ରଦାନ କରାଯାଇଛି ତାହା ବି ଉଲ୍ଲେଖ ନାହିଁ । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟଯନ୍ତ୍ରୀ ଓ ତକ୍ରାଳୀନ ଅଧିକ୍ଷଣ ଯନ୍ତ୍ରୀ ଏହି କାର୍ଯ୍ୟର ଅନୁସନ୍ଧାନ କରିଛନ୍ତି । ମୂଳ ଷ୍ଟକଚରରୁ ଅଲଗା ହୋଇଥିବା ଉଇଙ୍ଗୱାଲକୁ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦେବାପରେ ଏହାକୁ ଭାଙ୍ଗି ଦିଆଯାଇଛି । ଏଥିନେଇ ଯାଜପୁର ଏକଜ୍ୟୁଟିଭ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରୁ ପତ୍ର ୮୪୧ ତା୧୩.୦୩.୨୦୧୮ ଆଧାର କରି ମୁଖ୍ୟଯନ୍ତ୍ରୀ, ସର୍ବୋଚ୍ଚଯନ୍ତ୍ରୀଙ୍କ ଚିଠି ନଂବର ୨୧୧୯ ତା୧୦.୪.୧୮ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ଟେକ୍ନିକାଲ କମିଟି ଦ୍ୱାରା ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ପୋଲର ଛାତ ତା୩୦.୬.୧୭ ରିଖରେ ପଡିଥିଲା, ଏହି ନିର୍ମାଣ ବାବଦରେ ଅର୍ଥ ବର୍ତ୍ତମାନ ସୁଦ୍ଧା ପେମେଣ୍ଟ ହୋଇନାହିଁ ।
ଏଠାରେ କୌଣସି ଆବଶ୍ୟକ ନଥାଇ ପୋଲ ନିର୍ମାଣ ପାଇଁ ପ୍ରାରମ୍ବିକ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରୀ ଅର୍ଥର ଦୁରୂପଯୋଗ କରିବାକୁ ଉଦ୍ୟମ କରାଯାଇ ଥିଲା । ଏହି ପୋଲ ନିର୍ମାଣ ପାଇଁ ପ୍ରଥମ ପ୍ରାକଆକଳନ କରି ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଥିବା ଅଧିକାରୀଙ୍କୁ ସୁରକ୍ଷା ଦିଆଯାଇଛି । ପୋଲ ଭାଙ୍ଗିଯିବା ପରେ ଅଭିଯୋଗ ହେବାରୁ ବାଧ୍ୟହୋଇ ପୋଲର ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଗଲା । ହେଲେ ପୋଲ ନିର୍ମାଣ କାର୍ଯ୍ୟକୁ ତନଖି କରୁଥିବା ଅଧିକାରୀ ତଥା ଏକଜ୍ୟୁଟିଭ ଇଞ୍ଜିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଉଚ୍ଚସ୍ତରୀୟ ଟେକ୍ନିକାଲ କମିଟି ନାମରେ ସମସ୍ତ ପ୍ରକାର ଦୁର୍ନିତିକୁ ଚପାଇବାକୁ ହେଉଥିବା ଉଦ୍ୟମ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି । ଏଥିନେଇ ପୁନଶ୍ଚ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତୁତି ଚାଲିଛି ।
193 Views