Sun. Jan 12th, 2025

ଜନ୍ମ ଦିନରେ ଦିଲ୍ଲିପଙ୍କ ଘରବାହୁଡ଼ା ?

By amfnews Jan 3, 2019 #Featured
501 Views

ପ୍ରଶାନ୍ତ ପଟ୍ଟନାୟକ

ଚଳିତ ଜାନୁୟାରୀ ମାସ ୯ତାରିଖ ଦିନ ଓଡ଼ିଶାର ଜଣାଶୁଣା ଶିଳ୍ପପତି ଓ ରାଜନେତା ଦିଲ୍ଲିପ ରାୟ ବିଜୁ ଜନତା ଦଳକୁ ଫେରିଆସିବାର ସମ୍ଭାବନାକୁ ଏଡ଼ାଇଦେଇ ହେବନାହିଁ । ବିଜେପି ଦଳରୁ ସେ ଓ ବିଜୟ ମହାପାତ୍ରଙ୍କ ସହ ୨୦୧୮ ମସିହା ନଭେମ୍ବର ୩୦ରେ ଇସ୍ତଫା ଦେବାପରେ ତାଙ୍କର ରାଜନୈତିକ ଭବିଷ୍ୟତ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ଚଳିତ ଜାନୁୟାରୀ ମାସ ୯ତାରିଖ ଦିନ ତାଙ୍କ ୬୫ତମ ଜନ୍ମ ଦିବସକୁ ସ୍ମରଣୀୟ ଓ ଆନନ୍ଦ ମୁଖର କରିବାଲାଗି ଦିଲ୍ଲିପଙ୍କ ଶୁଭେଚ୍ଛୁ ଓ ସମର୍ଥକ ମାନେ ଏକ ପ୍ରକାର ପ୍ରସ୍ତୁତହୋଇ ରହିଛନ୍ତି । ସେଦିନ ବିଜୁ ଜନତା ଦଳର ସର୍ବମୟ କର୍ତ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘରବାହୁଡ଼ା ଲାଗି ଦିଲ୍ଲିପଙ୍କୁ ସବୁଜ ସକେଂତ ଦେଲେ । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବ ଏବଂ ବିଜୁ ଜନତା ଦଳର ସାମୂଗ୍ରିକଶକ୍ତି ବହୁ ପରିମାଣରେ ବୃଦ୍ଧି ପାଇବ ।

ରାଉରକେଲାର ବିଶିଷ୍ଟ ନାଗରିକ ଓ ବ୍ୟବସାୟୀ ହୃଷିକେଶ ରାୟ ଏବଂ କଲ୍ୟାଣୀ ରାୟଙ୍କ ପୁତ୍ର ଦଲ୍ଲିପ ରାୟ ୧୯୬୯ମସିହାରେ ରାଜକୁମାର କଲେଜରୁ ଉଚ୍ଚମାଧ୍ୟମିକ ଶିକ୍ଷା ସମାପ୍ତି ପରେ ଦାର୍ଜିଲିଙ୍ଗ ସ୍ଥିତ ସେଣ୍ଟଷ୍ଟିଫେନ କଲେଜରୁ ୧୯୭୪ ମସିହାରେ ବି.ଏ ପାସ୍ କରିଥିଲେ ଓ ପରେ କଲିକତା ସ୍ଥିତ ଜେ.ସି.ସି କଲେଜ ଅଫ୍ ଲ ରୁ ଆଇନରେ ୧୯୭୬ ମସିହାରେ ସଫଳତାର ସହ ଶିକ୍ଷା ସମାପ୍ତ କରି ୧୯୭୭ ମସିହାରେ ଏକାଡେମି ଅଫ ମ୍ୟାନେଜମେଣ୍ଟ୍ ସାଇନ୍ସ ଆଣ୍ଡ ଷ୍ଟଡ଼ିଜ୍ ଏମ.ବି.ଏ ଶିକ୍ଷା ଲାଭ କରିଥିଲେ ।

ଦୀଲ୍ଲିପଙ୍କ ପିତା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟଙ୍କ ଘନିଷ୍ଟ ସମ୍ପର୍କିୟ ହୋଇଥିବାରୁ ଏବଂ ରାଉରକେଲା ସ୍ଥିତ ତାଙ୍କ ବାସ ଗୃହଟି ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବହୂ ପ୍ରଭାବଶାଳୀ ରାଜନେତାଙ୍କ ନିୟମିତ ଜାତାୟତର କେନ୍ଦ୍ରସ୍ଥଳି ହୋଇଥିବା ଯୋଗୁଁ ଦିଲ୍ଲିପ ବାଲ୍ୟାବସ୍ଥାରୁ ରାଜ୍ୟର ଅଥିକାଂଶ ରାଜନେତାଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ । ୧୯୮୨ ମସିହାରେ ଦିଲ୍ଲିପ ରାଜନୀତିରେ ପାଦ ରଖିଥିଲେ ଏବଂ ତଦନାନ୍ତିନ ରାଉରକେଲା ପୌରପରିଷଦର ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ । ସେ’ଦିନଠାରୁ ଦିଲ୍ଲିପ ଆଉ ପଛକୁ ଫେରିନାହାନ୍ତି । ୧୯୮୫-୯୦ ଓ ୧୯୯୦-୯୫ରେ ସେ ରାଉରକେଲା ବିଧାନସଭା ମଣ୍ଡଳିରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ରୁ ୧୯୯୫ ପଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଦିଲ୍ଲିପ ଶିଳ୍ପମନ୍ତ୍ରୀ ଭାବରେ ସଫଳତାର ସହିତ କାର୍ଯ୍ୟ ତୁଲାଇଥିଲେ । ୧୯୯୬ସମିହାରେ ଦିଲ୍ଲିପ ରାଜ୍ୟସଭାକୁ ନିର୍ବାଚିତ ହୋଇ ୧୯୯୬ରୁ ୨୦୦୨ ଏବଂ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ ରହିଥିଲେ ।ଶ୍ରୀ ରାୟ ହେଉଛନ୍ତି ଏକମାତ୍ର ଓଡ଼ିଆ ରାଜନେତା ଯେକି କ୍ରମାଗତ ଭାବରେ ଚାରିଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସୁଯୋଗଲାଭ କରିଥିଲେ ।

ଶ୍ରୀ ରାୟ ଓଡ଼ିଶାର ସର୍ବାଧିକ ଜନପ୍ରିୟ ନେତା ଶ୍ରୀ ବିଜୁ ପଟ୍ଟନାୟକଙ୍କା ଏକାନ୍ତ ବିଶ୍ୱସ୍ଥ ଥିଲେ, ଯେଉଁଥିପାଇଁ ଶ୍ରୀ ପଟ୍ଟନାୟକ ତାଙ୍କ ଶେଷ ଜୀବନରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ରହିବା ଅପେକ୍ଷା ଦିଲ୍ଲିପଙ୍କ ବାସଭବନରେ ରହିବା ପାଇଁ ସ୍ଥିର କରିଥିଲେ । ଓଡ଼ିଶାରେ ଏକ ଆଞ୍ଚଳିକଦଳ ଗଠନକରି ରାଜ୍ୟର ରାଜ୍ୟ ଏବଂ ରାଜ୍ୟବାସୀଙ୍କ ନାର୍ଯ୍ୟ ଅଧିକାର ଜାହିର କରିବା ନିମନ୍ତେ ଶ୍ରୀ ପଟ୍ଟନାୟକ ତାଙ୍କର ଅନ୍ତିମ ଇଚ୍ଛା ଶ୍ରୀ ଅଟଳବିହାରି ବାଜପେୟୀ , ଲାଲକୃର୍ଣ୍ଣ ଆଡ଼ଭାନି, ପ୍ରମୋଦ ମହାଜାନ, ପ୍ରଭୃତିଙ୍କ ନିକଟରେ ପ୍ରକାଶ କରିଥିଲେ ।

ବିଜୁ ପଟ୍ଟନାୟକଙ୍କ ଅସୁସ୍ଥତା ଯୋଗୁଁ ଏହି ଉଦ୍ୟମ ବିଶେଷ ଆଗେଇ ପାରିନଥିଲା । ବିଜୁ ବାବୁଙ୍କ ଦେହାବଶାନ ପରେ ରାଜ୍ୟରେ ଗଠିତ ହୋଇଥିବା ବିଜୁ ଜନତା ଦଳର ନେତୃତ୍ୟୁ ନେବାଲାଗି ବିଜୁଙ୍କ ଧର୍ମପତ୍ନୀ ଶ୍ରୀମତି ଜ୍ଞାନ ପଟ୍ଟନାୟକ ଦିଲ୍ଲିଦଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ବିଜୁ ପରିବାରର କୌଣସି ସଦସ୍ୟ ଦଳର ନେତୃତ୍ୱ ନେବା ଉଚିତ ହେବ ବୋଲି ଶ୍ରୀ ରାୟ ଯୁକ୍ତି ବାଢ଼ିଥିଲେ । ବିଜୁଙ୍କର ଏକାନ୍ତ ବିଶ୍ୱସ୍ତ ଓ ଅନୁଗତ୍ୟ ଭାବରେ ପରିଚିତ ଶ୍ରୀ ବିଜୟ ମହାପାତ୍ର ମଧ୍ୟ ଦୀଲ୍ଲିପଙ୍କ ଯୁକ୍ତି ସହ ସ୍ୱର ମିଳାଇ ନବୀନଙ୍କୁ ବିଜୁ ଜନତା ଦଳର ମୁଖ୍ୟ ଭାବରେ ଅଧିଷ୍ଠିତ କରାଇବାପାଇଁ ପ୍ରସ୍ତାବ ଦେଇଥିଲେ । ଫଳରେ ନବୀନ ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ ହୋଇଥିଲେ ।

ପରବର୍ତ୍ତି କାଳରେ ନବୀନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାପରେ ଏକଦା ବିଜୁଙ୍କ ନିକଟତ୍ତମଥିବା ବରିଷ୍ଠ ଅମଲାତନ୍ତ୍ରୀ ପ୍ୟାରିମୋହନ ମହାପାତ୍ରଙ୍କ ପ୍ରରୋଚନାରେ ଶ୍ରୀ ବିଜୟ ମହାପାତ୍ର, ଶ୍ରୀ ନଳୀନିକାନ୍ତ ମହାନ୍ତି,ଶ୍ରୀ ଅଶୋକ ଦାସ, ଶ୍ରୀ ରାମକୃଣ୍ଣ ପଟ୍ଟନାୟକ, ଡ.କମଳା ଦାସ ଓ ଶ୍ରୀ ଦିଲ୍ଲିପ ରାୟଙ୍କୁ ବିଜୁ ଜନତା ଦଳରୁ ଦୂରେଇ ଦେଇଥିଲେ । ଏହି ପ୍ରାନ୍ତିୟ ଦଳ ଗଠନରେ ଶ୍ରୀ ମହାପାତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଦଳର ରାଜନୈତିକ ପରାମର୍ଶ ଦାତା କମିଟିର ଅଧ୍ୟକ୍ଷ ବା ଆବାହକ ଭାବରେ ନିଯୁକ୍ତି ଦିଆଯାଇଥିଲା ।

ବିଜୁ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ଅଧିକ କ୍ଷମତାଶାଳୀ ଥିବା ଶ୍ରୀ ବିଜୟ ମହାପାତ୍ର ପ୍ୟାରିମୋହନ ମହାପାତ୍ରଙ୍କୁ ମୁଖ୍ୟଶାସନ ସଚ୍ଚିବ ଭାବରେ ପଦର୍ନୋତି ଦେବାରେ ବାଧା ସୃଷ୍ଟି କରିଥିବାରୁ ତାହାର ପ୍ରତିଶୋଧ ସ୍ୱରୂପ ବିଜୟଙ୍କୁ ବିଧାନସଭା ସଭ୍ୟପଦରୁ ବଞ୍ଚିତ କରିବାପାଇଁ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀ ତଥା ଦଳିୟ ସଭାପତି ନବୀନଙ୍କୁ ପ୍ରଭାବିତ କରି ସଫଳ ହୋଇଥିଲେ ।

ନବୀନଙ୍କର ଏହି ପଦକ୍ଷେପ ରାଜ୍ୟର ଜନସାଧାରଣଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଥିବାରୁ ବର୍ତ୍ତମାନ ପରିସ୍ଥିତିରେ ବିଜୟ ମହାପାତ୍ର ଓ ଦିଲ୍ଲିପ ରାୟଙ୍କ ଘରବାହୁଡ଼ା ପାଇଁ ଶ୍ରୀ ପଟ୍ଟନାୟକ ସବୁଜ ସକେଂତ ଦେବେବୋଲି ଆଶା କରାଯିବା ଆଦୌ ଅଯୁକ୍ତିକର ନୁହେଁ । ଯଦି ଏହି ଦୁଇ ବିଜ୍ଞ ବରିଷ୍ଠ ଓ ବିଜୁ ଅନୁରାଗି ନେତାଙ୍କୁ ଦଳଠାରୁ ସବୁଦିନ ପାଇଁ ଅଲଗା ରଖାଯାଏ ତେବେ ତାହା ନବୀନଙ୍କ ଭାବମୃର୍ତ୍ତିରେ ଆଞ୍ଚ ଆଣିବା ସହ ଦଳର ଭବିଷ୍ୟତ ପ୍ରତି ଶୁଭଙ୍କର ହୋଇନପାରେ ।

By amfnews

Related Post