Sat. Apr 19th, 2025

ଜନସ୍ୱାର୍ଥ ମାମଲାରେ ସମାଲୋଚନା ବନ୍ଦ ହେଉ

By amfnews Aug 9, 2018 #Featured
179 Views

ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଜି ସୁପ୍ରିମ୍‌କୋର୍ଟ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ଉଭୟ ପରସ୍ପର ଉପରେ ଦୋଷ ଲଦାଲଦି ହେବାକୁ ମଧ୍ୟ ପଛାଇ ନାହାନ୍ତି। ଜନସ୍ୱାର୍ଥ ମାମଲା ଶୁଣାଣି ସମୟରେ ସରକାରଙ୍କୁ ସମାଲୋଚନା ନ କରିବା ଲାଗି ସରକାରୀ ଓକିଲ କେ କେ ବେଣୁଗୋପାଳ ଆଜି ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି।

ଏହାଦ୍ୱାରା ଦେଶରେ ଅନେକ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ବେଣୁଗୋପାଳଙ୍କ ଏଭଳି ଯୁକ୍ତିକୁ ବିରୋଧ କରି ସୁପ୍ରିମ୍‌କୋର୍ଟ କହିଥିଲେ, ବିଚାରପତିମାନେ ମଧ୍ୟ ଦେଶର ଜଣେ ଜଣେ ନାଗରିକ। ସେମାନେ ମଧ୍ୟ ଦେଶର ସମସ୍ୟା କ’ଣ ଜାଣନ୍ତି। ତେବେ କୋର୍ଟ ସରକାରଙ୍କୁ ଆଦୌ ସମାଲୋଚନା କରୁନାହାନ୍ତି। ବରଂ ଦେଶରେ ପ୍ରଚଳିତ ଆଇନକୁ ଆଖିରେ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।

ସେହିଭଳି ସରକାର ମଧ୍ୟ ଅଦାଲତଙ୍କୁ ସମାଲୋଚନା କରୁନାହାନ୍ତି ବୋଲି ବେଣୁଗୋପାଳ ବିଚାରପତି ମଦନ ବି ଲୋକୁର, ଏସ୍‌ ଅବ୍‌ଦୁଲ ନାଜିର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠକୁ କହିଥିଲେ। ସୂଚନାଯୋଗ୍ୟ, ଦେଶରେ ୧,୩୮୨ କାରାଗାରର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏ ବାବଦରେ ସୁପ୍ରିମ୍‌କୋର୍ଟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ଆଜି ଶୁଣାଣି ଚାଲିଥିଲା।

ଏହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୁପ୍ରିମ୍‌କୋର୍ଟଙ୍କ କେତେକ ରାୟ ଯୋଗୁ ଦେଶରେ ଅନେକ ଲୋକ ଚାକିରି ହରାଇଥିବା କଥା ମଧ୍ୟ ବେଣୁଗୋପାଳ କହିଥିଲେ। ୨ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ମାମଲା ଏବଂ ରାଜପଥଠାରୁ ୫୦୦ ମିଟର ଦୂରରେ ମଦ ବିକ୍ରି ନିଷେଧ ବାବଦରେ ହୋଇଥିବା ପିଆଇଏଲ୍‌ ଉପରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ଆଧାର କରି ବେଣୁଗୋପାଳ ଏଭଳି ଟିପ୍ପଣୀ ରଖିଥିଲେ।

By amfnews

Related Post