Tue. Dec 24th, 2024

ଜଣେ ଅନୁକରଣୀୟ ବାପା

By amfnews Aug 29, 2018 #Featured
213 Views

ସତୀଶ ବିଶ୍ୱାଳ
ବାପା ବୋଲି ପରିଚୟର ବିକଳ୍ପ ନାହିଁ । ପରିସ୍ଥିତିର ଚାପରେ ପୁଅ ତାର ବାପା ପାଇଁ ବଦଳି ଯାଇପାରେ । ବାପାର ହାତ ଛାଡି ଦେଇପାରେ । ହେଲେ ବାପା ସବୁବେଳେ ବାପା । ନିଜ ପୁଅର ଆତ୍ମାକୁ ଆର ପାରିରେ ଶାନ୍ତି ଦେବା, ପ୍ରସିଦ୍ଧି ପ୍ରଦାନ କରିବା ସହ ପୁଅ ନାମରେ ସମାଜ କଲ୍ୟାଣରେ ନିଜର ସମସ୍ତ ଅର୍ଜନ ଧନକୁ ବ୍ୟୟ କରି ଚାଲିଛନ୍ତି ଜଣେ ବାପା । ଜନ୍ମ ହେଲାପରେ ନିଜର ଶୁଶୁପୁତ୍ରକୁ ଯେମିତି ଲାଳନ ପାଳନ କରି ବଢାଇଥିଲେ ଠିକ ସେହିପରି ଶରୀର ତ୍ୟାଗ ପରେ ବି ନିଜର ପୁଅ ସ୍ମୃତିକୁ ଅତି ଯତ୍ନରେ ବଢାଇ ଚାଲିଛନ୍ତି ଜଣେ ବାପା । ଏହି ନିଆରା ବାପା ଜଣକ ହେଉଛନ୍ତି ରବିନ୍ଦ୍ର ନାଥ ସାମଲ । ତାଙ୍କର ଘର ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ବରଦା ଗ୍ରାମ ।

ଗତ ୨୮ ଅଗଷ୍ଟ ୨୦୧୪ ରେ ତାଙ୍କର ୨୮ ବର୍ଷର ପୁଅ ଉନ୍ମେଷ ସାମଲ (ଡାକନାମ- ରିକୁ)ଙ୍କ ବିଦ୍ୟୁତ ଆଘାତରେ ପରଲୋକ ହେଲା । ଜଣେ ମେଧାବୀ ଛାତ୍ର ଭାବେ ପାଠ ପଢିଥିବା ଉନ୍ମେଷ ସେତେବେଳକୁ ଇଞ୍ଜିନିୟରିଂ ପାଠ ଶେଷ କରିଥିଲେ । ବାପା ରବିନ୍ଦ୍ରନାଥ ଜଣେ ଓଡିଆ ଅଧ୍ୟାପକ ଭାବେ ଚାକିରୀରୁ ଅବସର ନେଇଛନ୍ତି । ବାପା ରବିନ୍ଦ୍ର ଓ ପୁଅ ଉନ୍ମେଷଙ୍କ ଭିତରେ ଥିଲା ଅତି ନିବିଡ ଆତ୍ମିକ ସମ୍ପର୍କ ଓ ଭଲ ପାଇବା । ଯୁବକ ପୁଅ ଚାଲିଯିବାର ଦଃୁଖ କେବଳ ଅନୁଭବୀ ବାପା ଛଡା ଅନ୍ୟ କେହି ଉପଲବ୍ôଧ କରିବା ଏତେ ସହଜ ନୁହେଁ । ୧୦ ମାସ ୧୦ ଦିନ ଗର୍ଭରେ ଧରି ପ୍ରସବ ଯନ୍ତ୍ରଣା ସହି ଜନ୍ମ ଦେଇଥିବା ମା’ଆ ଏବଂ ଏହାପରେ କୋମଳ ଶିଶୁକୁ ମଣିଷ କରି ଗଢି ତୋଳିବା ପାଇଁ ଦିନରାତି ଅଧ୍ୟବସାୟ କରିଥିବା ବାପା ଓ ମା’ଆ ଉଭୟଙ୍କ ପାଇଁ ଏହାଠାରୁ ବଳି ଯନ୍ତ୍ରଣା ଆଉ କଣ ଥାଇପାରେ । ତଥାପି ଦଇବର ବିଚାରକୁ ମୁଣ୍ଡପାତି ସହିବା ଛଡା ଅନ୍ୟ ବାଟ ବି ନଥିଲା ।

ନିଜ ପୁଅ ଉନ୍ମେଷ ଶରୀର ତ୍ୟାଗ କରିଥିଲେ ବି ନିଜ ମନ ଭିତରେ ତାକୁ ବଂଚାଇ ରଖିବାକୁ ନିଜ ସାଧ୍ୟ ମତେ ଉଦ୍ୟମ ଜାରି ରଖିଛନ୍ତି ବାପା ରବିନ୍ଦ୍ରନାଥ । ନିଜର ଗୋଟିଏ ପୁଅକୁ ଶରୀରରେ ହରାଇ ଥିଲେ ବି ତାର ଆତ୍ମାର ଉପସ୍ଥିତି ଏବଂ ଆତ୍ମାର ସଦଗତି ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଯେମିତି ଶରୀରଧାରୀ ପୁଅ ପାଇଁ ବାପାଟିଏ ଆଗପଛ ବିଚାର ନକରି ଖର୍ଚ୍ଚ କରିଚାଲେ, ଠିକ ସେମିତି ନିଜ ପୁଅ ଆତ୍ମାର ସଦଗତି ପାଇଁ ସେ ଖର୍ଚ୍ଚ କରି ଚାଲିଛନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କ ଭିତରେ ରବିନ୍ଦ୍ର ନିଜ ପୁଅକୁ ଦେଖିଛନ୍ତି । ସେମାନେ ଭଲ ମଣିଷ ହୁଅନ୍ତୁ, ଅଧିକ ଶିକ୍ଷିତ ଓ ଜ୍ଞାନୀ ହୁଅନ୍ତୁ, ସେଥିପାଇଁ ସେମାନେ ଅଧିକ ବହି ପଢିବା ଉପରେ ଗୁରୁତ୍ୱ ଦେଇଛନ୍ତି ରିବନ୍ଦ୍ରନାଥ ।

ଏଥିପାଇଁ ରବିନ୍ଦ୍ରନାଥ ନିଜ ପୁଅର ଡାକନାମ ରିକୁ ନାମରେ ରିକୁ ମୋମୋରିଆଲ ଟ୍ରଷ୍ଟ ଗଠନ କରିଛନ୍ତି । ନିଜର ଜୀବନ ଯାକର ଅର୍ଜନ ବଳରେ ରିକୁ ମୋମୋରିଆଲ ଟ୍ରଷ୍ଟ ନାମରେ ସେ ବିଭିନ୍ନ ସ୍ଥାନରେ ବହିଘର ନିର୍ମାଣ କରି ଚାଲିଛନ୍ତି । ଆଶ୍ଚର୍ଯ୍ୟର କଥା ଏହି କି, ରବିନ୍ଦ୍ରନାଥ ନିଜ ଜୀବନରେ ଯେଉଁ ଯେଉଁ ସ୍ଥାନରେ ଅଧ୍ୟାପନା ଚାକିରୀ କରି ଯାଇଛନ୍ତି ସେହିସବୁ କଲେଜ ସହ ଅନ୍ୟ କେତେକ ଶିକ୍ଷାନୁଷ୍ଠାନରେ ଏହି ବହିଘର ନିର୍ମାଣ କରିଚାଲିଛନ୍ତି । ଅଦ୍ୟାବଧି ବାପା ରବିନ୍ଦ୍ରନାଥ ପୁଅ ନାମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୁଷ୍ପଗିରୀ କଲେଜ, ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ, ବାଲିଚନ୍ଦ୍ରପୁରର ସାହାସପୁର ମହାବିଦ୍ୟାଳୟ ସମେତ ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ମନ୍ଦିର ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଭଳି ବହିଘର ନିର୍ମାଣ କରିଛନ୍ତି । ପ୍ରତି ବହିଘରେ ୮ ରୁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ନିଜ କଷ୍ଟଲବ୍ଧ ଅର୍ଜିତ ଅର୍ଥକୁ ପୁଅର ସ୍ମୃତିରେ ବ୍ୟୟ କରିବାରେ ପରମ ଆନନ୍ଦ ପାଇଛନ୍ତି ବାପା ରବିନ୍ଦ୍ର । ଏମିତି ସେମିତି ବହିଘର ନୁହେଁ ବରଂ ଛାତ୍ରଛାତ୍ରୀ ମାନେ ଆରାମରେ ବହି ପଢିବା ପାଇଁ ସେଠାରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଠାରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି । ଏପରିକି ଏଠାରୁ ପାଠକ ମାନେ ବହି ନେଇ ପଢିବା ପରେ ପୁନଶ୍ଚ ଫେରାଇବାର ବ୍ୟବସ୍ଥା ରହିଛି । ଜ୍ଞାନ ଠାରୁ ବଡ ସାମର୍ଥ୍ୟ ଓ ଶକ୍ତି ନାହିଁ । ନିଜ ପୁଅ ସ୍ମୃତିରେ ଗଢା ହୋଇଥିବା ବହିଘର ଜରିଆରେ ହଜାର ହଜାର ସଶକ୍ତ ଯୁବଶକ୍ତି ସୃଷ୍ଟି ହେବା ଏହି ବାପାଙ୍କର ଲକ୍ଷ ।

ଏତିକିରେ କଥା ସରୁନାହିଁ । ପରସ୍ପର ମଧ୍ୟରେ ପାରସ୍ପରିକ ପ୍ରେମର ଅଭାବ, ହିଂସାର ବୃଦ୍ଧି ଏବେ ମାନବ ସମାଜ ପାଇଁ ସବୁଠାରୁ ବଡ ବପତ୍ତି ହୋଇଛି । ଏଥିପାଇଁ ଯୁବ ସମାଜ ଶାନ୍ତି, ପ୍ରେମ, ଅହିଂସାର ବାର୍ତ୍ତାବହ ଭଗବାନ ଗୌତମ ବୁଦ୍ଧଙ୍କ ପ୍ରତିମୁର୍ତ୍ତି ମଧ୍ୟ ଏହି ଟ୍ରଷ୍ଟ ଜରିଆରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ବାପା ରବିନ୍ଦ୍ର । ଅଦ୍ୟାବଧି ଯାଜପୁର ଜିଲ୍ଲାର ଛତିଆ, ମୁଗୁପାଳ , କଟକ ଜିଲ୍ଲାର ଏରକଣା, ଟାଙ୍ଗୀ ଜଗତସିଂହପୁରର ପାରାଦ୍ୱୀପର ଶୈଶବ ପାଠାଶାଳାରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିଜୁ ପୁଅର ସ୍ମୃତିରେ ପ୍ରତିଷ୍ଠା କରାଇଛନ୍ତି ରବିନ୍ଦ୍ର । ଛାତ୍ର ଛାତ୍ରୀଙ୍କ ଭିତରେ ଅଧ୍ୟୟନ ନେଇ ଅଧିକ ଆଗ୍ରହ ଓ ପ୍ରତିଯୋଗୀତା ବୃଦ୍ଧି ପାଇଁ ବାପା ରବିନ୍ଦ୍ରଙ୍କ ଉଦ୍ୟମରେ ପୁଅର ସ୍ମୃତି ଉଦ୍ଦେଶ୍ୟରେ ଛତିଆ କଲେଜର +୨ ଶ୍ରେଣୀରେ ସର୍ବାଧିକ ନଂବର ରଖିଥିବା ଏବଂ +୩ ଓଡିଆରେ ସର୍ବାଧିକ ନଂବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ପୁରଷ୍କୃତ କରାଯାଇ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯାଇ ଥାଏ ।
ଉନ୍ମେଷ ସାମଲଙ୍କ ସ୍ମୃତିରେ ଗଢା ହୋଇଥିବା ରିକୁ ମୋମୋରିଆଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଆଜି ୨୮.୦୮.୨୦୧୮ ରିଖରେ ଛତିଆ କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା । କଲେଜ ସଭାପତି ପ୍ରହ୍ଲାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପକ ଚିତ୍ତ ରଂଜନ ସାହୁ ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପକ ନିତ୍ୟାନନ୍ଦ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା କବି ଅପର୍ଣ୍ଣା ମହାନ୍ତି କହିଥିଲେ, ବ୍ୟଥାରୁ କବିତା ସୃଷ୍ଟି ଏବଂ ଯାହା ପାଖରେ ବ୍ୟଥା ନାହିଁ ତା ପାଖରେ ସୃଜନଶୀଳତା ନାହିଁ । ମୁଖ୍ୟ ଅତିଥି ପ୍ରଫେସର ଜୟନ୍ତ କୁମାର ବିଶ୍ୱାଳ ଅତ୍ୟଧିକ ଇଣ୍ଟରନେଟ ବ୍ୟବହାର ମଣିଷକୁ ବିପଥଗାମୀ କରୁଛି ଏବଂ ସାମାଜିକ ସମ୍ପର୍କକୁ ଉଜାଡି ଦେଉଛି ବୋଲି କହିଥିଲେ । ଟ୍ରଷ୍ଟ ତରଫରୁ ରୁଦ୍ର ପ୍ରଶହ୍ନ ସାମଲ ବିବରଣୀ ପାଠ କରିଥିବା ବେଳେ ଇଂରାଜୀ ଅଧ୍ୟାପକ ବିଶ୍ୱନାଥ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ କଲେଜରେ ଅଧିକ ନଂବର ରଖଥିବା ମମତା ସାହୁ ଏବଂ ରୁବିନା ଧଳଙ୍କୁ ପୁରସ୍କୃତ କରାଯାଇ ଥିଲା ।

ଭୁବନପୁର, ଗଡମଧୁପୁର, ଯାଜପୁର, ମୋ-୯୪୩୭୦୧୯୧୧୭

By amfnews

Related Post