Sun. Mar 8th, 2026

ଛୁରାମାଡ଼ରେ ଅଳଙ୍କାର ବ୍ୟବସାୟୀ ଆହତ

171 Views

ରାଉରକେଲା: ମଙ୍ଗଳବାର ରାତି ଦଶଟା ପରେ ଟ୍ରାଫିକ୍‌ ଗେଟ୍‌ ଅଞ୍ଚଳର ଗଞ୍ଜାମ ବସ୍ତି ନିକଟରେ ଛୁରାମାଡ଼ରେ ଆହତ ହୋଇଥିବା ଜଣେ ଅଳଙ୍କାର ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ଆହତ ବ୍ୟକ୍ତିଜଣକ ହେଉଛନ୍ତି ପ୍ରସାଦ ଜୁଏଲାରିର ମାଲିକ ଅନୀଲ ପ୍ରସାଦଙ୍କ ପୁତୁରା ବିନୁ ପ୍ରସାଦ।

ଗତରାତି ୧୦ଟାରେ ବିନୁ ସେକ୍ଟର୍‌ ୧୯ରେ ଥିବା ତାଙ୍କ ଦୋକାନ ବନ୍ଦ କରି ନିଜ କାର୍‌ରେ ଘରକୁ ଫେରୁଥିଲେ। ଏହାର କିଛି ସମୟ ପରେ ସେହି ବାଟ ଦେଇ ଘରକୁ ଫେରୁଥିବା ବିନୁଙ୍କର ବାଦଲ ନାମକ ଜଣେ ଭାଇ ଦେଖିଲେ ଯେ ସେଠାରେ ବିନୁଙ୍କ ଗାଡ଼ି ଠିଆ ହୋଇଛି। ଘଟଣା କ’ଣ ଜାଣିବାକୁ ସେ ଗାଡ଼ି ନିକଟକୁ ଯାଇ ଡୋର୍‌ ଖୋଲି ଦେବାରୁ ଭିତରେ କ୍ଷତାକ୍ତ ଅବସ୍ଥାରେ ଅଚେତ ହୋଇପଡ଼ିଥିବା ବିନୁଙ୍କୁ ଦେଖିଥିଲେ। ତାଙ୍କ ବେକ ଓ ପେଟରେ ଗଭୀର କ୍ଷତ ହୋଇଥିଲା। ଏତିକି ବେଳେ ସେହି କାର୍‌ର ପଛ ସିଟ୍‌ରେ ବସିଥିବା ଦୁଇ ଜଣ ଯୁବତୀ ବାଦଲଙ୍କୁ ଦେଖି ବାହାରି ଘଟଣାସ୍ଥଳରୁ ଖସି ପଳାଇଥିଲେ।

ବାଦଲ ତାଙ୍କର ଅନ୍ୟ ଭାଇମାନଙ୍କୁ ଡକାଇ ଅଚେତ ବିନୁଙ୍କୁ ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ୍‌ ରାଉରକେଲାରେ ଭର୍ତ୍ତି କରିଛନ୍ତି। ବିନାୟକଙ୍କୁ କ’ଣ ପାଇଁ ଛୁରି ଭୁଷା ଯାଇଛି, ତାହା ଜଣାପଡ଼ିନାହିଁ। ପ୍ଲାଣ୍ଟ୍‌ ସାଇଟ୍‌ ପୁଲିସ ଘଟଣାର ତଦନ୍ତ କରୁଛି।

By amfnews

Related Post