Sun. Jun 15th, 2025

ଚାରି ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା ଘଟଣା: ସାବତ ମା’ ଗିରଫ

By amfnews Aug 26, 2019 #Featured
161 Views

ରୁପ୍ରା/ ରୁପ୍ରାରୋଡ୍‌/ କେସିଙ୍ଗା : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଖପଦର ଗାଁରେ ଶନିବାର ୪ ବର୍ଷର ଶିଶୁକନ୍ୟା ନନ୍ଦିନୀ ସାହୁକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗରେ ପୁଲିସ ସାବତ ମା’ ଆଶା ସାହୁଙ୍କୁ ଗିରଫ କରିଛି। ହତ୍ୟା ଘଟଣାକୁ ଅଭିଯୁକ୍ତ ଆଶା ସାହୁ ସ୍ବୀକାର କରିଛନ୍ତି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନର୍ଲା ଆଇଆଇସି ରମଣୀ ରଞ୍ଜନ ଦଲେଇ ପ୍ରକାଶ କରିଛନ୍ତି। ଭବାନୀପାଟଣାରେ ନନ୍ଦିନୀର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଲାଖପଦର ଗାଁର ଯୋଗେଶ୍ବର ସାହୁଙ୍କ ଝିଅ ନନ୍ଦିନୀ ସନ୍ଧ୍ୟାରେ ଖେଳି ବୁଲି ଘରକୁ ଆସିଥିଲା। ଘରେ ସାବତ ମାଆ ଆଶା କୌଣସି କାରଣରୁ ନନ୍ଦିନୀର ତଣ୍ଟି ଚିପି ହତ୍ୟା କରିଥିଲେ। ଯୋଗେଶ୍ବର ରାତିରେ ରୁପ୍ରାରୋଡ୍‌ରୁ ନିଜ କାମ ସାରି ଘରକୁ ଫେରିଥିଲେ। ଝିଅ ପାଇଁ ସେ ସିଙ୍ଗଡ଼ା ଆଣିଥିଲେ। ହେଲେ ନନ୍ଦିନୀ ଶୋଇ ପଡ଼ିଛି ବୋଲି ଆଶା କହିଥିଲେ। ତେବେ ଯୋଗେଶ୍ବର ଝିଅର ମୁହଁରେ ରକ୍ତ ଦାଗ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେତେବେଳକୁ ସେ ମରି ସାରିଥିଲା। ପାଖ ପଡ଼ିଶାରେ ଘଟଣା ପ୍ରଘଟ ହେବା ପରେ ବିଳମ୍ବିତ ରାତିରେ ନନ୍ଦିନୀର ମାମୁ ନର୍ଲା ଥାନାରେ ଏତଲା ଦେଇଥିଲେ। ରବିବାର ସକାଳୁ ଏସଡିପିଓ ଗୁପ୍ତେଶ୍ବର ଭୋଇ, ନର୍ଲା ଥାନା ଆଇଆଇସି ଶ୍ରୀ ଦଲେଇ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିଲେ। ସାବତ ମା’ ନନ୍ଦିନୀକୁ ତା’ ରାସ୍ତାରେ କଣ୍ଟା ଭାବୁଥିଲା ବୋଲି ନନ୍ଦିନୀର ମାମୁ ଅଭିଯୋଗ କରିଛନ୍ତି। ନନ୍ଦିନୀର ତଣ୍ଟିକୁ କପଡ଼ାରେ ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଯୋଗେଶ୍ବର ୨୦୧୪ରେ ଗନ୍ଧର୍ବୀ ସାହୁଙ୍କୁ ବାହା ହୋଇଥିଲେ। ୪ ମାସ ତଳେ ଗନ୍ଧର୍ବୀଙ୍କ ମୃତ୍ୟୁ ହେବା ପରେ ସେ ଆଶାକୁ ଦ୍ବିତୀୟ ବିବାହ କରିଥିଲେ।

By amfnews

Related Post