Wed. Dec 25th, 2024

ଚାବି ଖୋଜିବାରେ ଉଡ଼ାଇ ଦେଲେ ୨୪ ଲକ୍ଷ, ରତ୍ନଭଣ୍ଡାର ସୁରକ୍ଷା କଥା ଭୁଲିଗଲେ

By amfnews Aug 1, 2019 #Featured
156 Views

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗୃହ ଅସୁରକ୍ଷିତ। ବିମ୍ ଫାଟି ପାଣି ଗଳୁଛି। ଫନି ପ‌ରେ ସ୍ଥିତି ଆହୁରି ସଂଗିନ। ବର୍ଷା ବଢିଲେ ରତ୍ନଭଣ୍ଡାର ପ୍ରତି ବିପଦ ବଢୁଛି। ଭଣ୍ଡାର ଗୃହର ସୁରକ୍ଷା ନେଇ ଭଣ୍ଡାର ମେକାପ ବାରମ୍ବାର ଅଭିଯୋଗ କରୁଛନ୍ତି। ମାତ୍ର ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲି ଏହାର ମରାମତି କରିବାକୁ ଡରୁଛନ୍ତି ସରକାର। ସବୁଠୁ ବଡ଼କଥା ହେଲା, ବିପଦସଂକୁଳ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଉପସ୍ଥିତ ଥିବା ବେଳେ ଜଣାପଡ଼ିଲା ଚାବି ହଜିଯାଇଛି। ବାସ୍ ସେବେଠୁ ହଜିଥିବା ରତ୍ନଭଣ୍ଡାର ଚାବି ଖୋଜିବାରେ ସରକାରୀ ତହବିଲରୁ ୨୪ ଲକ୍ଷ ଉଡ଼ିଗଲାଣି। ସେପଟେ ମୂଳ ପ୍ରସଙ୍ଗ (ରତ୍ନଭଣ୍ଡାର ମରାମତି) ଜନମାନସରୁ ହଜିଯିବାକୁ ବସିଥିବା ବେଳେ ଚାବି ହଜିବା ଘଟଣାରେ ଗଠିତ ବିଚାର ବିଭାଗୀୟ କମିସନଙ୍କ ରିପୋର୍ଟକୁ ମଧ୍ୟ ସାର୍ବଜନୀନ କରାଯାଉନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଭଣ୍ଡାର ଗୃହ ଅସୁରକ୍ଷିତ ଥିଲା, ଯାହାକୁ ଖୋଲି ମରାମତି କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ସେ ପୁଣି ଦେଢ ବର୍ଷ ହେଲା ସୁରକ୍ଷିତ ହୋଇଗଲା କେମିତି?

ରତ୍ନ ଭଣ୍ଡାର ଖୋଲିବାକୁ ସରକାର ମୁଣ୍ଡକାନ ହଲାଉନଥିବାରୁ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର କେତେ ସୁରକ୍ଷିତ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ଏ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିର ରହସ୍ୟମୟ ନିରବତା ନାନା ଚର୍ଚ୍ଚାର ଖୋରାକ୍‌ ଯୋଗାଉଛି। ଦୁଇ ଦିନ ତଳେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକଙ୍କୁ ଏ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। ଏ ବାବଦରେ ସରକାର ଯାହା କିଛି ନିଷ୍ପତ୍ତି ନେବେ କହି ମୁଖ୍ୟ ପ୍ରଶାସକ କଥାଟିକୁ ଏଡାଇ ଯାଇଛନ୍ତି। ପରିଚ‌ାଳନା କମିଟି ସଦସ୍ୟ ମଧ୍ୟ ଏ ବାବଦରେ ମୁହଁ ଖୋଲୁନାହାନ୍ତି। ଚାବି ଖୋଜିବା‌ରେ ସରକାର ୨୪ ଲକ୍ଷ ଖର୍ଚ୍ଚ କଲେ, ଅଥଚ ଭୁଲ ପାଇଁ କିଏ ଦାୟୀ, ଚାବି କେମିତି ହଜିଲା, କେଉଁ ପରିସ୍ଥିତିରେ ପୁଣି ମିଳିଲା ତାର କିଛି ତଥ୍ୟ ଲୋକଲୋଚନକୁ ଆସିଲା ନାହିଁ।

ଶ୍ରୀମନ୍ଦିର ଭଣ୍ଡାର ମେକାପଙ୍କ ରିପୋର୍ଟ ମୁତାବକ ରତ୍ନ ଭଣ୍ଡାର ଅସୁରକ୍ଷିତ। ଭଣ୍ଡାର ଗୃହରୁ ପାଣି ଗଳୁଥିବା ଓ ସେଥରୁ ଖଣ୍ଡ ଖଣ୍ଡ ହୋଇ ପ୍ଲାଷ୍ଟର ଖସୁଥିବା ସଂପର୍କରେ ଭଣ୍ଡାର ମେକାପ ବହୁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। ପୂର୍ବରୁ ୨୦୧୩ରେ ରତ୍ନ ଭଣ୍ଡାର ଷ୍ଟାଟସ୍‌ ରିପୋର୍ଟରେ ମଧ୍ୟ ସମାନ୍‌ କଥା ଦର୍ଶାଯାଇଥିଲା। ବିମ୍‌ ଦବୁଥିବା ଓ ପ୍ଲାଷ୍ଟର ଖସୁଥିବା କାରଣରୁ ଏହାର ଯାଞ୍ଚ ପାଇଁ ପରିଚାଳନା କମିଟି ପ୍ରସ୍ତାବ ଗ୍ରହଣ କରିଥିଲେ। ଆଲୋଚନା ପରେ ରତ୍ନ ଅଳଙ୍କାର ଯାଞ୍ଚ ନ କରି କେବଳ ଭଣ୍ଡାର ଗୃହ ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସରକାର ଏଥି ପାଇଁ ଅନୁମତି ଦେବା ପରେ ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ନିର୍ଦ୍ଦେଶ ଦିଆଗଲା, ଯାହାକୁ ନେଇ ସେତେବେଳେ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ଉତ୍କଣ୍ଠା। ବିଭିନ୍ନ ସଂଗଠନ ଏହାକୁ ବିରୋଧ ମଧ୍ୟ କରିଥିଲେ। ତେବେ ଯାଞ୍ଚ ପାଇଁ ଏକ ୧୭ ଜଣିଆ କମିଟି ଗଠନ କରାଯାଇଥିଲେ ବି ଚାବି ହଜି ଯାଇଥିବା କାରଣରୁ ଭଣ୍ଡାର ଗୃହ ଯାଞ୍ଚ ହୋଇ ପାରିନଥିଲା। ବିଶେଷଜ୍ଞ କମିଟି ବାହାରୁ ଯାହା ଦେଖିଥିଲେ, ସେଥିରୁ ରତ୍ନ ଭଣ୍ଡାର ସ୍ଥିତି ସଂଗିନ୍‌ ଥିବା ଏବଂ ତୁରନ୍ତ ମରାମତି ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା।

ତେବେ ସମୟ କ୍ରମେ ମୂଳ ପ୍ରସଙ୍ଗଟି ବିଚ୍ୟୁତ ହୋଇ ଚାବି ହଜିବା ମୁଖ୍ୟ ପ୍ରସଙ୍ଗ ‌‌ହୋଇ ଯାଇଥିଲା। ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ସେ ସମୟରେ ତୁମ୍ବି ତୋଫାନ କରିଥିଲେ ସମସ୍ତ ବିରୋଧୀ ରାଜନୈତିକ ଦଳ। ସରକାର ମଧ୍ୟ ଏ ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇ ୨୦୧୮ ଜୁନ ୬ ତାରିଖରେ ଚାବି ହଜିବା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ରଘୁବୀର ଦାସଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ତଦନ୍ତ କମିସନ୍‌ ଗଠନ ହେବାର ୬ ଦିନ ପରେ ଜୁନ୍‌ ୧୩ ତାରିଖରେ ହଜି ଯାଇଥିବା ଚାବି ମିଳିଯାଇଥିଲା। ଇତିମଧ୍ୟରେ ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ଜଷ୍ଟିସ ରଘୁବୀର ଦାସ ସରକାରଙ୍କୁ ପ୍ରଦାନ କରି ସାରିଲେଣି। ସରକାର ଏ ବାବଦରେ ୨୪ ଲକ୍ଷ ଖର୍ଚ୍ଚ କରି ରିପୋର୍ଟ ପାଇଲେ, ଅଥଚ ମହାପ୍ରଭୁଙ୍କ ରତ୍ନଭଣ୍ଡାର‌ ଆଗରୁ ଯେମିତି ଥିଲା ଏବେ ବି ସେମିତି ରହିଛି।

By amfnews

Related Post