Tue. Mar 10th, 2026

ଚାକିରି ଦେବାକୁ କହି ନାବାଳିକାକୁ ବିକ୍ରି କରିଦେଲା ଦଲାଲ୍

162 Views

ସୁନ୍ଦରଗଡ଼ : ଚାକିରି କରାଇ ଦେବାକୁ କହି ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ମାନମୁଣ୍ଡା ଗାଁର ଜଣେ ନାବାଳିକାକୁ ଜଣେ ଦଲାଲ ରାଜ୍ୟ ବାହାରେ ବିକ୍ରି କରି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ଗତ ଜୁନ୍‌ ୫ ତାରିଖରେ ଗାଁର ସୀତା ଖଡ଼ିଆଙ୍କ ଘରକୁ ସ୍ଥାନୀୟ ଅଞ୍ଚଳର ଦଲାଲ ଯୁଗଳ ଓରାମ ଆସିଥିଲା। ତାଙ୍କ ଝିଅକୁ ମଧ୍ୟପ୍ରଦେଶର ଏକ ଅଗରବତୀ କାରଖାନାରେ କାମ ଯୋଗାଇ ଦେବ ବୋଲି କହିଥିଲା। ତାଙ୍କ କଥା ଶୁଣି ନାବାଳିକା ଝିଅଟି ଲୋଭରେ ପଡ଼ି ଯାଇଥିଲା ଓ  ଘର ଲୋକଙ୍କ ବାରଣ ସତ୍ତ୍ୱେ ସେ ମଧ୍ୟପ୍ରଦେଶର କଟ୍‌ନୀକୁ କାମ କରିବାକୁ ଚାଲି ଯାଇଥିଲେ। ତେବେ କିଛି ଦିନ ପରେ ତା’ ସହ ଯାଇଥିବା ଅନ୍ୟ ଯୁବକ ଓ ଯୁବତୀମାନେ ଗାଁକୁ ଫେରି ଆସିଥିଲେ। କିନ୍ତୁ ସୀତା ଖଡ଼ିଆଙ୍କ ନାବାଳିକା ଝିଅ ଫେରି ନଥିଲା। ଏହା ପରେ ତାଙ୍କ ଝିଅକୁ ଦଲାଲ ସେଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ଜଣାପଡ଼ିଥିଲା। ଏହା ପରେ ସୀତା ଖଡ଼ିଆ ଥାନାରେ ଏତଲା ଦେଇଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ନାବଳିକାକୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ବଳଭଦ୍ର ଦୀପ୍‌ କହିଛନ୍ତି।

By amfnews

Related Post