Sat. Dec 28th, 2024

ଚରମ ସୀମାରେ ସିବିଆଇ ଝଡ଼ : ଛୁଟିରେ ଗଲେ ଆଲୋକ ବର୍ମା, ନାଗେଶ୍ବରଙ୍କୁ ଦାୟିତ୍ବ

By amfnews Oct 25, 2018 #Featured
145 Views

ନୂଆଦିଲ୍ଲୀ, ଅକ୍ଟୋବର ୨୫ : ଯେଉଁ ତଦନ୍ତକାରୀ ସଂସ୍ଥା (ସିବିଆଇ)କୁ ନେଇ ଦେଶ ଗର୍ବ କରୁଥିଲା ‌େସହି ସଂସ୍ଥା ଆଜି ଘୋର ସଙ୍କଟ ଦେଇ ଗତି କରୁଛି। ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଝଗଡ଼ା ଏବଂ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଅଭିଯୋଗ ପରିସ୍ଥିତିକୁ ବିଗାଡ଼ି ଦେଇଛି। ସିବିଆଇକୁ ନେଇ ଲୋକମାନଙ୍କ ମଧ୍ୟରେ ରହିଥିବା ଆସ୍ଥା ଓ ବିଶ୍ବାସ ଖିନ୍‌ଭିନ୍ ହୋଇଯାଇଛି। ଉକ୍ତ ତଦନ୍ତକାରୀ ସଂସ୍ଥାର ୭୭ ବର୍ଷ ଇତିହାସରେ ଏଭଳି ପରିସ୍ଥିତି କେବେ ଦେଖିବାକୁ ମିଳିନଥିଲା। ଦୁର୍ନୀତି ବି‌େରାଧରେ ଅସ୍ତ୍ର ରୂପେ ପରିଚିତ ସିବିଆଇ ନିଜେ ଦୁର୍ନୀତି ଜାଲରେ ଫସିଯାଇଛି।

ଏହାର ବରିଷ୍ଠ ଅଧିକାରୀମାନେ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। କିଏ କେଉଁ ତଦନ୍ତ ମାମଲା‌େର ଅନୁଗୃହୀତ ହୋଇଛନ୍ତି ତାହାକୁ ନେଇ ଅଭିଯୋଗ ପ୍ରତିଅଭିଯୋଗର ସୁଅ ଛୁଟିଛି। ଏପରିକି ସିବିଆଇ ମୁଖ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅନେକ ହାଇପ୍ରୋଫାଇଲ ମାମଲାରେ ସରକାର ହସ୍ତକ୍ଷେପ କରୁଛନ୍ତି। ଏପରିକି ନିଜ ଇଚ୍ଛା ଅନୁସାରେ ସରକାର କିପରି ତଦନ୍ତକୁ ପ୍ରଭାବିତ କରୁଛନ୍ତି ତାହାର ତାଲିକା ଦେବାକୁ ମଧ୍ୟ ସେ ଧମକ ଦେଇଛନ୍ତିି। ଶେଷରେ ସେମାନେ ସରକାରଙ୍କୁ କୋର୍ଟକୁ ଟାଣିବାକୁ ମଧ୍ୟ ପଛାଇ ନାହାନ୍ତି।

ସିବିଆଇ ନିର୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଝଗଡା ଯୋଗୁଁ ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ମୁକାବିଲା କରିବାକୁ ଯାଇ କେନ୍ଦ୍ର ସରକାର ରାତିଅଧିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉଭୟ ବର୍ମା ଏବଂ ଆସ୍ଥ୍‌ାନାଙ୍କୁ ଛୁଟିରେ ପଠାଇ ଦେଇଥିବା ବେଳେ ଅନ୍ୟ ୧୩ ଜଣ ବରିଷ୍ଠ ଅଧିକାରୀଙ୍କର ଅନ୍ୟତ୍ର ବଦଳି କରି ଦିଆଯାଇଛି। ଓଡ଼ିଶା କ୍ୟାଡରର ଆଇପିଏସ୍ ଅଧିକାରୀ ନାଗେଶ୍ବର ରାଓଙ୍କୁ ସିବିଆଇ ମୁଖ୍ୟର ଦାୟିତ୍ବ ଦିଆଯାଇଛି। ରାତି ଗୋଟାଏ ପରେ ସିବିଆଇ ଅଫିସକୁ ‌େପାଲିସ ଘେରରେ ରଖି ବଡ଼ଧରଣର ଅଦଳବଦଳ କରିଛନ୍ତି।

କେନ୍ଦ୍ର ସରକାର ଏହି ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଯୁକ୍ତି ରଖିଛନ୍ତି। କହିଛନ୍ତି ଯେ ଦେଶର ଏହି ପ୍ରମୁଖ ତଦନ୍ତକାରୀ ସଂସ୍ଥାର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ଲାଗି ଏଭଳି କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା। ସିବଆଇରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିଲାଗି କେନ୍ଦ୍ର ସରକାର ଆଲୋକ ବର୍ମାଙ୍କୁ ଦାୟୀ କରିଛନ୍ତି। ତେଣୁ ତାଙ୍କ ଟିମରେ କାମ କରୁଥିବା ସମସ୍ତ ଅଧିକାରୀଙ୍କ କ୍ଷମତା ଛଡ଼ାଇ ନିଆଯାଇଛି ଏବଂ ସେମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି।

ଆଲୋକ ବର୍ମା ଏବଂ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍ ବା ଏସଆଇଟି ଗଠନ କରାଯାଇଛି।

ଆଲୋକ ବର୍ମା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମକୋର୍ଟରେ‌ ଚାଲେଞ୍ଜ କରିଛନ୍ତି। ସୁପ୍ରିମ କୋର୍ଟ ଏହି ପିଟିସନ ଗ୍ରହଣ କରିଛନ୍ତି ଏବଂ ଆସନ୍ତା ଶୁକ୍ରବାର ମାମଲାର ଶୁଣାଣି କରିବେ। ବର୍ମା ତାଙ୍କ ପିଟିସନରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି।

ସମଗ୍ର ଘଟଣା ନେଇ ବିରୋଧୀ ଦଳ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହାକୁ ସେମାନେ ଜରୁରିକାଳୀନ ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି।

By amfnews

Related Post