Sat. Nov 23rd, 2024

ଚମକିବ ଅର୍କକ୍ଷେତ୍ର ସୂର୍ଯ୍ୟମନ୍ଦିର, ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ପାଇଁ ସୁଦୃଢ ହେବ ଭିତ୍ତିଭୂମି

By amfnews Jan 22, 2021 #Featured
123 Views

କୋଣାର୍କ, ଜାନୁଆରୀ ୨୨ : କୋଣାର୍କ ସୂର୍ଯ୍ୟମନ୍ଦିରର ନକ୍ସା ବଦଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  । ସମସ୍ତ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଉପଲବ୍ଧ ରହିବା ସହ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ପାଇଁ ଏଠାରେ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ।

ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବାକୁ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି  । କୋଣାର୍କ ତଥା ସୂର୍ଯ୍ୟ ମନ୍ଦିରର ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ଆନ୍ତର୍ଜାତିକ ମାନର ଭିତ୍ତିଭୂମି କରିବାକୁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ଯୋଜନାନୁସାରେ, କୋଣାର୍କ ତଥା ସୂର୍ଯ୍ୟମନ୍ଦିରର ପ୍ରବେଶସ୍ଥଳରେ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବାକୁ ସୁଦୃଶ୍ୟ ଏଣ୍ଟ୍ରିପ୍ଲାଜା ନିର୍ମାଣ କରାଯିବ । ସାଢ଼େ ୩ କିମିର ବାହ୍ୟ ରିଂ ରୋଡକୁ ଛଅ ଥାକିଆ କରାଯିବ । ମନ୍ଦିର ସମ୍ମୁଖରେ ଥିବା ୩୦ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ । ଏଠାରେ ଲ୍ୟାଣ୍ଡସ୍କେପିଂ କରାଯିବ । ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବ । ଯାତ୍ରୀମାନଙ୍କୁ ନେବା ଆଣିବା କରିବାକୁ ଭୁବନେଶ୍ୱରରୁ କୋଣାର୍କ ଯାଏ ପଏଣ୍ଟର ବିକାଶ ହେବ । ସେଠାରେ ବସୁଥିବା ଫେରିବାଲା ଓ ବୁଲା ବିକାଳିମାନଙ୍କୁ ପୁନଃ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସେହିପରି ଗାଡ଼ି ପାର୍କିଂ ପାଇଁ ମଲଟି ମୋଡାଲ ହବ୍ ନିର୍ମାଣ ହେବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନର୍ବିନ୍ୟାସ ହେବ । ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହ ପଥଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ । ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ୱିତ କରି ପାରିପାର୍ଶ୍ବିକ ବିକାଶ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

By amfnews

Related Post